ଭୁବନେଶ୍ୱର : ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ଲାଗି ରାଜ୍ୟ ସରକାର ଏକାଧିକ କାର୍ଯ୍ୟକ୍ରମ ହାତକୁ ନେଉଛନ୍ତି। ମାତ୍ର ତାହା କିଭଳି କାର୍ଯ୍ୟକାରୀ କରାଯାଉଛି ତାହାର ଶ୍ରେଷ୍ଠ ଉଦାହରଣ ଦେଖିବାକୁ ମିଳିଛି ପୋଖରିପୁଟସ୍ଥିତ ଏନ୍ସିଏସ୍ସିଡିଏ ବିଲଡିଂରେ ପ୍ରତିଷ୍ଠା ହୋଇଥିବା ସ୍ବତନ୍ତ୍ର କ୍ୟାରିଅର ପାଠାଗାରରେ। ଦେଢ଼ ବର୍ଷ ହେଲା ଏହି ପାଠାଗାରରେ ତାଲା ପଡ଼ିଥିଲେ ମଧ୍ୟ ଖୋଲିବା ଦିଗରେ କେହି ବି ପଦକ୍ଷେପ ନେଉନାହାନ୍ତି। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ(ଏସ୍ଏସ୍ଇପିଡି) ଅଧିକାରୀମାନେ ସବୁ ଜାଣି ମଧ୍ୟ ଚୁପ୍ ବସିପଡ଼ିଛନ୍ତି। ରାଜ୍ୟର ଶତାଧିକ ଛାତ୍ରଛାତ୍ରୀ ଏହାଦ୍ବାରା ପ୍ରଭାବିତ ହେଉଥିଲେ ମଧ୍ୟ ସେମାନଙ୍କ କଥା ଶୁଣିବାକୁ କେହି ନାହାନ୍ତି।
ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଏଠାରେ ବିଭାଗ ପ୍ରତିଯୋଗିତା ମୂଳକ ପରୀକ୍ଷା ଯେପରିକି ଓଏସ୍ଏସ୍ସି, ଓଏସ୍ଏସ୍ଏସ୍ସି, ବ୍ୟାଙ୍କିଙ୍ଗ୍, ଏସ୍ଏସ୍ସି, ରେଲୱେ, ଓପିଏସ୍ସି, ୟୁପିଏସ୍ସି, ନେଟ୍, ଗେଟ୍, ସିଟି ଓ ବିଏଡ୍ ପାଇଁ ପ୍ରସ୍ତୁତି କରିଥାନ୍ତି। ସମସ୍ତ ପ୍ରକାର ପୁସ୍ତକ(ପ୍ରିଣ୍ଟ ଓ ବ୍ରେଲ୍) ମଧ୍ୟ ଯୋଗାଇ ଦିଆଯାଇଥାଏ। ଏମିତିକି ଦିବ୍ୟାଙ୍ଗଙ୍କ ପାଇଁ ବ୍ରେଲ୍ ପୁସ୍ତକ ପ୍ରତି ମାସରେ ଡେରାଡୁନ୍ସ୍ଥିତ ଏନ୍ଆଇଇପିଭିଡି ଦ୍ବାରା ପ୍ରତି ମାସରେ ଡାକ ଯୋଗେ ଏଠାରେ ପହଞ୍ଚିଥାଏ। ପାଠାଗାରରେ ଅଡିଓ ମାଧ୍ୟମରେ ହେଉ କି ଅନ୍ଲାଇନ୍ ମାଧ୍ୟମରେ ପଢ଼ିବା ପାଇଁ ସମସ୍ତ ଡିଜିଟାଲ ସେବା ଓ ସୁବିଧା ଯୋଗାଇ ଦିଆଯାଇଥାଏ। ଦିବ୍ୟାଙ୍ଗଙ୍କ ଲାଗି ଇନ୍ଡୋର ଓ ଆଉଟ୍ଡୋର ଖେଳ ସରଞ୍ଜାମ ମଧ୍ୟ ରହିଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ଏହି ପାଠାଗାରରେ ଥିବା କର୍ମଚାରୀମାନେ ସମସ୍ତ ଡକ୍ୟୁମେଣ୍ଟ ଅପଲୋଡ୍ କରି ଏନ୍ଆଇଇପିଭିଡିର ସଦସ୍ୟତା ଗ୍ରହଣ କରିଥାନ୍ତି। ଯାହାଦ୍ବାରା ସେମାନଙ୍କ ଆବଶ୍ୟକୀୟ ଅନୁଯାୟୀ ପୁସ୍ତକ ଡାକ ଯୋଗେ ନିଜ ପାଖରେ ପହଞ୍ଚିଥାଏ। କେବଳ ସେତିକି ନୁହେଁ, ହ୍ବାଟସ୍ଅପ୍ ଗ୍ରୁପ୍ କରି ପାଠାଗାରର କର୍ମଚାରୀମାନେ ପ୍ରତିଦିନର ତାଜା ଖବର ଯୋଗାଇ ଦିଅନ୍ତି।
୨୦୧୭ ଡିସେମ୍ବର ୩ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍ଘାଟନ କରିଥିଲେ। ଏସ୍ଏସ୍ଇପିଡି ବିଭାଗ ଓ ସ୍ବତନ୍ତ୍ର ଲାଇବ୍ରେରି କୋର୍ସ କରି ପାଠାଗାରରେ ନିଯୁକ୍ତ ହୋଇଥିବା କର୍ମଚାରୀଙ୍କ ସହଯୋଗରେ ଏହି ପାଠାଗାରଟି ବହୁତ ଉନ୍ନତି କରିଥିଲା। ଆହୁରି ନୂତନ କୌଶଳ ତଥା ସଂସ୍କାର ଆଣିବାକୁ ପ୍ରସ୍ତାବ ମଧ୍ୟ ରହିଥିଲା। ତେବେ କରୋନା ଆସିବା ଦ୍ବାରା ହଠାତ୍ କୌଣସି ଲିଖିତ ରିପୋର୍ଟ ନ ଦେଇ ଫୋନ୍ ମାଧ୍ୟମରେ ୨୦୨୦ ଜୁଲାଇ ୧୭ରେ ଏହାକୁ ବନ୍ଦ କରି ଦିଆଗଲା। ସେବେଠାରୁ ଏହା ବନ୍ଦ ହୋଇ ରହିଛି। ଏବେ କରୋନା ସ୍ଥିତିରେ ପରିବର୍ତନ ଆସିଛି। ୬ଷ୍ଠରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ କ୍ଲାସରୁମ୍ ପାଠପଢ଼ା ଆରମ୍ଭ ହୋଇଛି। ବିଶ୍ବବିଦ୍ୟାଳୟ ବି ଖୋଲିଛି। ତା’ପରେ ବି ଏସ୍ଏସ୍ଇପିଡି ବିଭାଗର ନିଦ ଭାଙ୍ଗୁନି। ପାଠାଗାର ପୁଣିଥରେ ଖୋଲିବାକୁ କୌଣସି ପ୍ରୟାସ କରାଯାଉ ନାହିଁ। ଯେଉଁଥିପାଇଁ ଶତାଧିକ ଛାତ୍ରଛାତ୍ରୀ ଅନ୍ଲାଇନ୍ ଓ ଅଫ୍ଲାଇନ୍ ପାଠପଢ଼ା ସୁବିଧାରୁ ବଞ୍ଚିତ ହେଉଛନ୍ତି। ଏହି ପାଠାଗାର ଖୋଲିବାକୁ ତୁରନ୍ତ ଅନୁମତି ଦେବାକୁ ଛାତ୍ରଛାତ୍ରୀ ଦାବି କରିଛନ୍ତି।