ଭୁବନେଶ୍ବର: ରାଜଧାନୀ ବକ୍ଷରେ ବହି ଯାଇଥିବା ପ୍ରାକୃତିକ ନାଳକୁ ଦିଆଯିବ ନୂଆ ରୂପ। ନାଁ ରହିବ ଲେକ୍ ଜୋନ୍-୨। ଚିତ୍ରକୂଟ ଆଶ୍ରମ କଡ଼େକଡ଼େ ନୂଆ ବିଏମ୍ସି କାର୍ଯ୍ୟାଳୟ ପର୍ଯ୍ୟନ୍ତ ବହିଯାଇଥିବା ପ୍ରାକୃତିକ ନାଳରେ ହେବ ଏହି ଲେକ୍ ଜୋନ୍। ପ୍ରାୟ ୨୯ ଏକର ଜମିରେ ଗଢ଼ିଉଠିବ ସବୁଜ ବଳୟ। ପାଦଚଲା ରାସ୍ତାଠାରୁ ଆରମ୍ଭ କରି ବୋଟିଂ, ଝୁଲା ପୋଲ, କିଓସ୍କ , ହସ୍ତଶିଳ୍ପ ବଜାର ଭଳି ବ୍ୟବସ୍ଥା ରହିବ। ପ୍ରାୟ ୫୦ କୋଟି ଟଙ୍କା ବ୍ୟୟ ହେବ। ବଡ଼ ସୁନ୍ଦର ଯୋଜନା ପ୍ରସ୍ତୁତ କରିଥିଲା ବିଡିଏ। କିନ୍ତୁ ୨୦୧୮ ମସିହାରୁ ପ୍ରସ୍ତୁତ ହୋଇଥିବା ଏହି ଯୋଜନା ଏବେ ବି ସେମିତି ଯୋଜନାରେ ହିଁ ରହିଛି। ଫାଇଲ୍ କେଉଁଠି ହଜି ଯାଇଛି କି ଲୁଚାଇ ଦିଆଯାଇଛି, ତାହା ଅସ୍ପଷ୍ଟ। କେବଳ ଜବରଦଖଲ ହଟାଇବା କାଠିକର ପାଠ ହୋଇପଡ଼ୁଥିବାରୁ ଏହି ସୁନେଲି ଯୋଜାନା କେଉଁ ଫାଇଲ୍ ତଳେ ଅଳନ୍ଦୁ ଲଗା ହୋଇ ପଡ଼ିଛି ବୋଲି ଚର୍ଚ୍ଚା ହେଉଛି।
୨୦୧୮ ମସିହାରେ ଏହି ଯୋଜନା ନେଇ ବୈଠକ ବସିଥିଲା। ଯୋଜନା ମୁତାବକ ସଚିବାଳୟ ମାର୍ଗରୁ ଚିତ୍ରକୂଟ ଆଶ୍ରମ କଡ଼ରେ ନୂଆ ବିଏମ୍ସି ଅଫିସ୍ ପର୍ଯ୍ୟନ୍ତ ଥିବା ଅଞ୍ଚଳରେ ଏହି ଲେକ୍ ଜୋନ୍-୨ ନିର୍ମାଣ ହେବାରଥିଲା। ପ୍ରାୟ ୨୯ ଏକର ଜାଗାକୁ ବିକଶିତ କରାଯାଇ ଶିଶୁ, ଯୁବକ ଓ ବରିଷ୍ଠନାଗରିକଙ୍କ ପାଇଁ ମନୋରଞ୍ଜନ ବ୍ୟବସ୍ଥା କରାଯାଇଥା’ନ୍ତା। ଏହାକୁ ଶିଶୁ, ଯୁବକ ଓ ବୟସ୍କ ଏଭଳି ତିନୋଟି ଜୋନ୍ରେ ବିଭକ୍ତ କରାଯାଇଥିଲା। ବୟସ୍କଙ୍କ ପାଇଁ ଓଲ୍ଡ ଏଜ୍ ଜୋନ୍ରେ ସବୁଜ ବଳୟ ତିଆରି କରାଯାଇ ପାଦଚଲା ରାସ୍ତା ତିଆରି ହୋଇଥା’ନ୍ତା। ପ୍ରାୟ ୨.୫ କିଲୋମିଟର ପର୍ଯ୍ୟନ୍ତ ଚାଲିବା ରାସ୍ତା ତିଆରି ହୋଇଥା’ନ୍ତା। ଏହି ରାସ୍ତାରେ ରାଜ୍ୟର ବିଭିନ୍ନ କଳାକୃତି ସ୍ଥାନ ପାଇଥା’ନ୍ତା। ଶିଶୁଙ୍କ ପାଇଁ ଖେଳିବା ପାଇଁ ବିଭିନ୍ନ ସରଞ୍ଜାମ ଓ ଯୁବକଙ୍କ ପାଇଁ ବିଭିନ୍ନ ପ୍ରକାରର ଫୁଲଗଛ, ବସିବା ଜାଗା ଓ ଏକ ସେଣ୍ଟ୍ରାଲ ପ୍ଲାଜା ରହିଥାନ୍ତା।
ନାଳର ପାଣିକୁ ପରିଷ୍କାର କରାଯିବା ସହ ଉଭୟ ପାର୍ଶ୍ବରେ ପ୍ରାୟ ୧ କିଲୋମିଟର ପର୍ଯ୍ୟନ୍ତ ଏହି ଜୋନ୍ ସବୁ ହେବାର ଯୋଜନା ଥିଲା। ଏହା ସହ ସପିଂ ଜୋନ୍ ମଧ୍ୟ ରହିଥାନ୍ତା। ଏଥିରେ ଖାଦ୍ୟ, ହସ୍ତଶିଳ୍ପ ସାମଗ୍ରୀ ଓ ଅନ୍ୟାନ୍ୟ ଜିନିଷ ଉପଲବ୍ଧ ହୋଇଥାନ୍ତା। ହସ୍ତଶିଳ୍ପ ବଜାର ଦିଲ୍ଲୀ ହାଟ ଢାଞ୍ଚାରେ ହେବାକୁ ଯୋଜନା ଥିଲା। ଏଭଳି ବ୍ୟବସାୟ ପାଇଁ ପାଖାପାଖି ୨ଶହ କିଓସ୍କ ରହିଥାନ୍ତା। ଏଥିରୁ ହେବାକୁ ଥିବା ଆୟରୁ ଏହାର ପରିଚାଳନା କରାଯାଇଥା’ନ୍ତା। ଉଭୟ ପାର୍ଶ୍ବ ଅର୍ଥାତ୍ ସଚିବାଳୟ ମାର୍ଗ ଓ ଜନପଥ ପଟୁ ଦୁଇଟି ପ୍ରବେଶ ପଥ ରହିଥା’ନ୍ତା। ମଝିରେ ନାଳର ଉଭୟ ପାର୍ଶ୍ବକୁ ସଂଯୋଗ କରିବାକୁ ଦୁଇଟି ଝୁଲା ପୋଲ ତିଆରି ହେବା ଯୋଜନା ଥିଲା। ପାଣିକୁ ସଫା କରିବା ପରେ ଏଥିରେ ବୋଟିଂ ବ୍ୟବସ୍ଥା ହୋଇଥା’ନ୍ତା।
ମାତ୍ର ଆଜି ପର୍ଯ୍ୟନ୍ତ ଏଥିରେ କୌଣସି ଅଗ୍ରଗତି ହୋଇନାହିଁ। କଥା ଲଟକିଛି ଜବରଦଖଲରେ। ଏହି ଅଞ୍ଚଳରେ ଜଣେ ପୁରୁଣା ନେତା ପ୍ରାକୃତିକ ନାଳ କଡ଼ରେ ସରକାରୀ ଜାଗା ମାଡ଼ି ବସି ଘର ତିଆରି କରିଛନ୍ତି। ପ୍ରାୟ ୩୦ଟି ଘର ତିଆରି କରି ଭଡ଼ାରେ ଲଗାଇଛନ୍ତି। ସମ୍ପୃକ୍ତ ନେତା ଶାସକ ଦଳର ହୋଇଥିବାରୁ ବିଡିଏ ଏନ୍ଫୋର୍ସମେଣ୍ଟ ଟିମ୍ ଜବରଦଖଲ ହଟାଇ ପାରୁନାହିଁ। ଏନେଇ କେତେଥର ସେଠାକୁ ଯାଇ ଉଚ୍ଛେଦ ସ୍କ୍ବାଡ୍ ଭାଣ୍ଡିଆ ହୋଇ ଫେରିଛି। ନେତାଙ୍କ ସମର୍ଥନରେ ଉଚ୍ଛେଦକୁ କଡ଼ା ବିରୋଧ କରାଯାଉଥିବାରୁ ଉଚ୍ଛେଦ ସମ୍ଭବ ହୋଇପାରୁନାହିଁ।
ସୂଚନାଯୋଗ୍ୟ, ନୂ୍ଆପଲ୍ଲୀ ମମ୍ତାଜ୍ ଅଲ୍ଲୀ ସ୍କୁଲ୍ ଦେଇ ବହି ଯାଇଥିବା ୧୦ ନମ୍ବର ପ୍ରାକୃତିକ ନାଳ(ନ୍ୟାଚୁରାଲ୍ ଡ୍ରେନ୍) ରାଜଧାନୀ ମଧ୍ୟ ଦେଇ ଗଙ୍ଗୁଆ ନାଳରେ ମିଶିଛି। ସହର ଭିତରେ ଥିବା ନାଳର ଅଂଶକୁ ତିନି ଭାଗରେ ବିଭକ୍ତ କରାଯାଇ ଉନ୍ନତୀକରଣ କରିବାକୁ ଯୋଜନା ହୋଇଥିଲା। ଲେକ୍ ଜୋନ୍-୧ ଅଞ୍ଚଳରେ ବିଡିଏ ସିଟି ସେଣ୍ଟର(ନିକୋ ପାର୍କ) ନିର୍ମାଣ କରିସାରିଛି। ବାକି ଅଂଶରୁ ଜବରଦଖଲ ହଟାଇ ନୂଆ ରୂପ ଦେବା ପାଇଁ ବିଭିନ୍ନ ସମୟରେ ଯୋଜନା ହୋଇଛି। ବିଦ୍ୟୁତ୍ ମାର୍ଗରୁ ସଚିବାଳୟ ମାର୍ଗ ପର୍ଯ୍ୟନ୍ତ ଲେକ୍ ଜୋନ୍-୧ରେ ନିକୋ ପାର୍କ ହୋଇଥିବା ବେଳେ ଜନପଥ (ସତ୍ୟନଗର ମଶାଣି) ଠାରୁ ଟ୍ରେନ୍ ଲାଇନ୍ ପର୍ଯ୍ୟନ୍ତ ଲେକ୍ ନ୍ୟୁଟ୍ରାଲ୍(ଲେକ୍ ଜୋନ୍-୩) ଜୋନ୍ ନିର୍ମାଣ କରିବାକୁ ଯୋଜନା ପ୍ରସ୍ତୁତ କରୁଛି ସ୍ମାର୍ଟ ସିଟି ଲିମିଟେଡ୍। ତେବେ ସଚିବାଳୟ ମାର୍ଗରୁ ଜନପଥ(ସତ୍ୟନଗର ମଶାଣି) ପର୍ଯ୍ୟନ୍ତ ଲେକ୍ ଜୋନ୍-୨ ପାଇଁ ବିଡିଏର ଯୋଜନା କାର୍ଯ୍ୟକାରୀ ହୋଇପାରୁନାହିଁ। ୨୦୧୫ ମସିହାରୁ ଏହି ଯୋଜନା ପାଇଁ ସ୍ଥପତିଙ୍କ ଜରିଆରେ ନକ୍ସା ତିଆରି ହୋଇରହିଛି।