ଏମ୍ସର ଅଚଳ ଆଇସିୟୁ ଏସି ନେଲା କି ରୋଗୀଙ୍କ ଜୀବନ?

ଭୁବନେଶ୍ବର: ଏମ୍ସର ଅଚଳ ଆଇସିୟୁ ଏସି ନେଲା କି ରୋଗୀଙ୍କ ଜୀବନ! ନ୍ୟୁରୋ ସର୍ଜରିର ଏଚ୍‌ଡିୟୁରେ ଭର୍ତ୍ତି ରାଜଧାନୀର ପୁଷ୍ପିତା ମହାପାତ୍ର(୩୮)ଙ୍କ ମୃତ୍ୟୁକୁ ନେଇ ଏଭଳି ଗୁରୁତର ଅଭିଯୋଗ ହୋଇଛି। ଗୁରୁବାର, ଶୁକ୍ରବାର ଛୁଟି ଥିବାରୁ ପ୍ରବଳ ଗରମ ସତ୍ତ୍ବେ ମରାମତି ନାଁରେ ଏମ୍ସର ସମସ୍ତ ଆଇସିୟୁ ଏସି ବନ୍ଦ କରିଦିଆଯାଇଥିଲା। ଗତ ରାତିରେ ଏହାକୁ ନେଇ ଏମ୍ସରେ ରୋଗୀଙ୍କ ମଧ୍ୟରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇବା ପରେ ଶନିବାର ସକାଳେ ସବୁ ଏସି ସଚଳ କରାଯାଇଛି। ଆଇସିୟୁ ଏସିର ରକ୍ଷଣାବେକ୍ଷଣ ପାଇଁ ସବୁକୁ ଏକା ସହିତ ବନ୍ଦ କରାଯିବା ଉଚିତ କି ଏହାର କୌଣସି ବିକଳ୍ପ ବ୍ୟବସ୍ଥା ରହିଛି, ଏହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ପୁଷ୍ପିତାଙ୍କ ଭାଇ ଆଲୋକଙ୍କ ଅଭିଯୋଗ ଅନୁଯାୟୀ ମାର୍ଚ ୧୬ରେ ନୟାଗଡ଼ରେ ପୁଷ୍ପିତା ଦୁର୍ଘଟଣାର ଶିକାର ହେବାରୁ ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଏମ୍ସ ଜରୁରୀକାଳୀନ ବିଭାଗ ଏବଂ ପରେ ଟ୍ରମା ୱାର୍ଡରେ ଭର୍ତ୍ତି କରାଯାଇଥିଲା। ୨୪ ତାରିଖରେ ତାଙ୍କର ଅସ୍ତ୍ରୋପଚାର ହୋଇଥିଲା। ଏହାପରେ ତାଙ୍କ ଅବସ୍ଥାରେ ଉନ୍ନତି ହେବା ଆରମ୍ଭ ହୋଇଥିଲା। ଏମିତିକି ସେ ମଝିରେ ମଝିରେ କଥା କହିପାରୁଥିଲେ। ଗୁରୁବାର, ଶୁକ୍ରବାର ଛୁଟି ପଡ଼ିବା ତାଙ୍କ ପାଇଁ କାଳ ହେଲା। ଏହି ଦୁଇ ଦିନ ଦୁଇ ବରିଷ୍ଠ ଡାକ୍ତର ଚିନ୍ମୟ ଦାସ ଓ ଡାକ୍ତର ଭାର୍ଗବୀ ଅନୁପସ୍ଥିତ ଥିଲେ। ଏଣେ ପ୍ରବଳ ଗରମ ହେଉଥିବା ସତ୍ତ୍ବେ ଏସି ବନ୍ଦ ହୋଇଗଲା। ଏଥିଯୋଗୁଁ ପୁଷ୍ପିତାଙ୍କୁ ଜ୍ବର ହେବା ସହିତ ପ୍ରବଳ ଝାଳ ବୋହିବା ଆରମ୍ଭ ହୋଇଯାଇଥିଲା।

ପରିବାର ଆଣିଲେ ଗୁରୁତର ଅଭିଯୋଗ

ରକ୍ଷଣାବେକ୍ଷଣ ପାଇଁ ଦୁଇ ଦିନ ଧରି ଆଇସିୟୁ ଏସି ବନ୍ଦ ଜରୁରୀ କି?

ପରିବାର ସଦସ୍ୟମାନେ ମଝିରେ ମଝିରେ ତାଙ୍କୁ ପୋଛାପୋଛି କରୁଥିଲେ। ଶୁକ୍ରବାର ରାତିରେ ତାଙ୍କ ଅବସ୍ଥା ସଂକଟାପନ୍ନ ହୋଇପଡ଼ିଲା। ଡାକ୍ତର ଅଧା ଘଣ୍ଟା ବିଳମ୍ବରେ ପହଞ୍ଚିଥିଲେ ବୋଲି ପରିବାର ପକ୍ଷରୁ କୁହାଯାଇଛି। ଏଥିଯୋଗୁଁ କେବଳ ଏକମାତ୍ର ପୁଷ୍ପିତା ନୁହଁନ୍ତି ଗତକାଲି ଏକାବେଳେକେ ଆହୁରି ଅନେକଙ୍କ ମୃତ୍ୟୁ ହୋଇଥିବା ନେଇ ପୁଷ୍ପିତାଙ୍କ ପରିବାର ପକ୍ଷରୁ କୁହାଯାଇଛି।

ସେହିଭଳି ବିଷପାନ ଯୋଗୁଁ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ପୁରୀର ଜଣେ ଯୁବକଙ୍କ ମୃତ୍ୟୁ ପରେ ତାଙ୍କ ଭାଇ ମଧ୍ୟ କହିଛନ୍ତି ଯେ ଦୁଇ ଦିନ ଧରି ଆଇସିୟୁ ଏସି ଅଚଳ ହେବା ରୋଗୀଙ୍କ ପାଇଁ ସମସ୍ୟା ସୃଷ୍ଟି କରିଥିଲା। ଏମ୍ସ ଜନସମ୍ପର୍କ ଅଧିକାରୀ ଅତିରିକ୍ତ ପ୍ରଫେସର ପ୍ରଭାସ ତ୍ରିପାଠୀ କହିଛନ୍ତି ଯେ ଏମ୍ସରେ ଭର୍ତ୍ତି ଅଧିକାଂଶ ରୋଗୀ ଜଟିଳ ଅବସ୍ଥାରେ ଆସୁଥିବାରୁ ଏସି ଯୋଗୁଁ ମୃତ୍ୟୁ ହୋଇଥିବା କୁହାଯାଇପାରିବନାହିଁ। ସେ ଦିନ ଏସି ଅଚଳ ହୋଇନଥିଲା। ସଂକ୍ରମଣ ନିୟନ୍ତ୍ରଣ ପାଇଁ ଏସି ପାଇପ୍‌, ଭାଲ୍ଭ ଏବଂ ଫିଲ୍‌ଟରକୁ ମଝିରେ ମଝିରେ ସଫା କରିବାକୁ ପଡ଼ିଥାଏ।

ଅଧୀକ୍ଷକ, ଅଧୀକ୍ଷଣ ଯନ୍ତ୍ରୀଙ୍କ ନୋଟିସ ସହିତ ଦୁଇ ଦିନ ଏସି ବନ୍ଦ ହୋଇଥିଲା। ଗୋଟିଏ ଆଇସିୟୁରେ ଆବାସୀୟ ଡାକ୍ତର ଡ୍ୟୁଟିରେ ଥାଆନ୍ତି। ବରିଷ୍ଠ ଡାକ୍ତର ଅନ୍‌କଲ୍‌ରେ ଥାଆନ୍ତି। ଏମ୍ସରେ ଡାକ୍ତରୀ ଅବହେଳାର ପ୍ରଶ୍ନ ଉଠୁନାହିଁ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଆଉ କିଛି ବିଶେଷଜ୍ଞଙ୍କ ଅନୁସାରେ ଆଇସିୟୁରେ ଅଚଳ ଏସି ଯୋଗୁଁ ରୋଗୀ ମୃତ୍ୟୁ ହେବନାହିଁ। କିନ୍ତୁ ସେ ସଂକ୍ରମିତ ହେବାର ଆଶଙ୍କା ରହିଥାଏ। ସଂକ୍ରମଣରୁ ରକ୍ଷା ପାଇଁ ଏସି ବ୍ୟବସ୍ଥା ଥାଏ। ଏହା ସତ୍ତ୍ବେ ଏକାସହିତ ଦୁଇ ଦିନ ଧରି ଏସି ବନ୍ଦ କରିବା ଗ୍ରହଣୀୟ ନୁହେଁ।

ସମ୍ବନ୍ଧିତ ଖବର