ଗାଁମୁହାଁ ଭଅଁରା ଜଙ୍ଗଲ ଝିଙ୍କ, ଚିକିତ୍ସାଧୀନ ଅବସ୍ଥାରେ ମୃତ

ବାଲିପାଟଣା: ଆଜି ସକାଳେ ସ୍ଥାନୀୟ ଭଅଁରା ଗାଁ ନିକଟରୁ ଏକ ଝିଙ୍କକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଭୋର୍ ସମୟରେ ରାସ୍ତା ପାର୍‌ ହେଉଥିବା ବେଳେ କୌଣସି ଗାଡ଼ି ଧକ୍କା ଦେଇଥିବାରୁ ଝିଙ୍କଟି ଗୁରୁତର ଆହତ ହୋଇଥିଲା। ତା’ର ମେରୁଦଣ୍ଡ ଓ ଗୋଡ଼ ଭାଙ୍ଗି ଯାଇଥିଲା। ବନ ବିଭାଗ ଓୟୁଏଟିରେ ତା’ର ଚିକିତ୍ସା କରାଇଥିଲେ ମଧ୍ୟ ତାକୁ ବଞ୍ଚାଇବା ସମ୍ଭବ ହୋଇ ନଥିଲା। ତେବେ ଦୀର୍ଘ ବର୍ଷ ପରେ ଭଅଁରା ଜଙ୍ଗଲରେ ଝିଙ୍କ ରହୁଥିବା ଜଣାପଡ଼ିବା ପରେ ସ୍ଥାନୀୟ ଲୋକଙ୍କ ଭିତରେ ଉତ୍କଣ୍ଠା ବୃଦ୍ଧି ପାଇଛି। ଜଙ୍ଗଲର ଘନତା ହ୍ରାସ ପାଉଥିବା ବେଳେ ଖାଦ୍ୟାଭାବ କାରଣରୁ ବଞ୍ଚି ରହିଥିବା କିଛି ବିରଳ ପ୍ରାଣୀ ଗାଁମୁହାଁ ହୋଇ ଏଭଳି ମୃତ୍ୟୁମୁଖରେ ପଡ଼ୁଛନ୍ତି ବୋଲି ଲୋକେ ଅଭିଯୋଗ କରିଛନ୍ତି।

ସୂଚନା ଅନୁସାରେ, ଆଜି ଭୋର୍‌ ପ୍ରାୟ ୫ଟା ସମୟରେ ଭଅଁରା ଗ୍ରାମର ତ୍ରିଲୋଚନ ପାତ୍ର ରାସ୍ତା ଉପରେ କିଛି ଝିଙ୍କ କାଠି ଏବଂ ରକ୍ତ ପଡ଼ିଥିବା ଦେଖିଥିଲେ। ସନ୍ଦେହ ହେବାରୁ ସେ ଆଖପାଖରେ ଖୋଜାଖୋଜି କରିଥିଲେ। କିଛି ଦୂରରେ ବିଲ ଭିତରେ ଝିଙ୍କଟି ଗୁରତର ଅବସ୍ଥାରେ ପଡ଼ିଥିବା ସେ ଦେଖିବାକୁ ପାଇଥିଲେ। ଖବର ପାଇ ଗ୍ରାମବାସୀମାନେ ଝିଙ୍କ ଦେଖିବାକୁ ସେଠାରେ ଭିଡ଼ ଲଗାଇଥିଲେ। ପରେ ପରେ ବନ ବିଭାଗର କର୍ମଚାରୀମାନେ ସେଠାରେ ପହଞ୍ଚି ଝିଙ୍କକୁ ଉଦ୍ଧାର କରି ପ୍ରଥମେ ବନମାଳିପୁର ପ୍ରାଣୀ ଚିକିତ୍ସା କେନ୍ଦ୍ରକୁ ନେଇଥିଲେ ଓ ସେଠାରୁ ଭୁବନେଶ୍ୱର ଓୟୁଏଟିକୁ ନେଇଥିଲେ। ଓୟୁଏଟିରେ ପରୀକ୍ଷା ପରେ ତା’ର ମେରୁଦଣ୍ଡ ଏବଂ ଗୋଡ଼ ଭାଙ୍ଗି ଯାଇଥିବା ଜଣାପଡ଼ିଥିଲା। ତେବେ ଚିକିତ୍ସା କରାଯିବା ପରେ ବି ଝିଙ୍କଟି ବଞ୍ଚିନଥିଲା। ତେଣୁ ବ୍ୟବଚ୍ଛେଦ କରିବା ପରେ ମୃତଦେହକୁ ଭଅଁରା ଜଙ୍ଗଲରେ ପୋତି ଦିଆଯାଇଛି ବୋଲି ବାଲିପାଟଣା ବନାଞ୍ଚଳ ଅଧିକାରୀ ଜୟକୃଷ୍ଣ ଯଦୁମଣି ଦାସ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର