ଭୁବନେଶ୍ବର: ବିଶ୍ୱର ସବୁ ପ୍ରାଚୀନ ସଂସ୍କୃତିଠାରୁ ଭାରତୀୟ ସଂସ୍କୃତି ଓ ପରମ୍ପରା ସ୍ୱତନ୍ତ୍ର। ଏହା ମୂଳରେ ରହିଛି, ଅତୀତରେ ପ୍ରଚଳିତ ଉନ୍ନତମାନର ଶିକ୍ଷା ବ୍ୟବସ୍ଥା। ବାଲ୍ୟାବସ୍ଥାରେ ଶିଷ୍ୟମାନେ ଗୁରୁଙ୍କ ଆଶ୍ରମରେ ମାନବୀୟ ଗୁଣ ଶିକ୍ଷାଲାଭ କରୁଥିଲେ। ତେଣୁ ସେମାନେ ବ୍ୟକ୍ତିଗତ ସ୍ୱାର୍ଥରୁ ଊର୍ଧ୍ବକୁ ଉଠି ସୁସ୍ଥ ସମାଜ ଗଠନରେ ବ୍ରତୀ ଥିଲେ। କିନ୍ତୁ ବର୍ତ୍ତମାନ ବସ୍ତୁବାଦୀ ପାଶ୍ଚାତ୍ୟ ଶିକ୍ଷା ପାଇଁ ଆମର ସେ ସମୃଦ୍ଧ ଶିକ୍ଷା ବ୍ୟବସ୍ଥାର ସୂର୍ଯ୍ୟ ଅସ୍ତମିତ ହେବାକୁ ଯାଉଛି। ପାଶ୍ଚାତ୍ୟ ଓ ପୁରାତନ ଶିକ୍ଷା ବ୍ୟବସ୍ଥା ମଧ୍ୟରେ ଆଜି ଏପରି ପ୍ରଭେଦ ଦେଖାଇଥିଲା ‘ଅଭିନନ୍ଦନ’ର ପ୍ରଥମ ଅର୍ଘ୍ୟ ନାଟକ ‘ଅସ୍ତମିତ’। ସ୍ୱର୍ଗତ ଆନନ୍ଦ ଶଙ୍କର ଦାସଙ୍କୁ ଉତ୍ସର୍ଗୀକୃତ ଏହି ନାଟକର ରଚନା ହରିଶ୍ଚନ୍ଦ୍ର ବେହେରା କରିଥିବା ବେଳେ ଭାସ୍କର ଚନ୍ଦ୍ର ମହାପାତ୍ର ନିର୍ଦ୍ଦେଶନା ଦେଇଥିଲେ।

Advertisment

ସଂଧ୍ୟାରେ ଅତିଥି ଭାବେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ୱାଇଁ, ବିବେକାନନ୍ଦ ପାଣିଗ୍ରାହୀ, ଓଡ଼ିଶା ନାଟ୍ୟସଂଘ ସଭାପତି ହରେନ୍ ସାହୁ, ନାଟ୍ୟ ନିର୍ଦ୍ଦେଶକ ମନୋଜ ପଟ୍ଟନାୟକ, ବରିଷ୍ଠ ପ୍ରଶାସକ ଓ ନାଟ୍ୟକାର ହରିଶ୍ଚନ୍ଦ୍ର ବେହେରା ଓ ଓଡ଼ିଶା ନାଟ୍ୟ ସଂଘ ସମ୍ପାଦକ ଶୁଭକାନ୍ତ ପାଢ଼ୀ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ପ୍ରଫେସର୍‌ ଉପେନ୍ଦ୍ର ପ୍ରସାଦ ନାୟକ, ଇଂ ଚନ୍ଦ୍ରଶେଖର ନନ୍ଦ, ଭାସ୍କରଚନ୍ଦ୍ର ମହାପାତ୍ର ଓ ପାର୍ଥସାରଥୀ ଦାସଙ୍କୁ ‘ଆନନ୍ଦ ଶଙ୍କର ସ୍ମୃତି ସମ୍ମାନ-୨୦୨୩’ରେ ସମ୍ମାନିତ କରାଯାଇଥିଲା।