ଭୁବନେଶ୍ବର : ଓଡ଼ିଶା ବିଶ୍ବବିଦ୍ୟାଳୟ ସଂଶୋଧନ ଆଇନ ‌ଦ୍ବାରା ବିଶ୍ବବିଦ୍ୟାଳୟଗୁଡ଼ିକ ସରକାରୀ ନିୟନ୍ତ୍ରଣକୁ ଆସିଲେ। ଅଥଚ ବିଶ୍ବବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଫେସରମାନେ ଏବେ ମଧ୍ୟ ସରକାରୀ ଅବସରପ୍ରାପ୍ତ ପ୍ରଫେସରଙ୍କଠାରୁ କମ୍‌ ପେନ୍‌ସନ୍‌ ପାଉଛନ୍ତି। ୬ଷ୍ଠ ବେତନ କମିସନଙ୍କ ସୁପାରିଶ ଅନୁଯାୟୀ ଏବଂ ୨୦୧୩ ଅଗଷ୍ଟ ୧ରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ବାରା ଏହାର ବୈଧତା ସ୍ବୀକୃତ ହେବା ପରେ ସର୍ବଭାରତୀୟ ବିଜ୍ଞାପନ ଦ୍ବାରା ସିଧାସଳଖ ନିଯୁକ୍ତ ପ୍ରଫେସରମାନେ ସେହି ପଦବିରେ ସର୍ବନିମ୍ନ ୫୩ ହଜାର ଟଙ୍କା ଦରମାର ୫୦ ପ୍ରତିଶତ ଅର୍ଥାତ୍‌ ମାସିକ ୨୬ ହଜାର ୫୦୦ ଟଙ୍କା ସର୍ବନିମ୍ନ ପେନସନ୍‌ ପାଇବା କଥା।

Advertisment

ଏହି ନିୟମ ଅନୁସାରେ ଓଡ଼ିଶାର ସମସ୍ତ ସରକାରୀ ଅବସରପ୍ରାପ୍ତ ପ୍ରଫେସରଙ୍କର ମାସିକ ମୂଳ ‌ପେନସନ୍‌ ସର୍ବନିମ୍ନ ୨୬ ହଜାର ୫୦୦ ଟଙ୍କା ଧାର୍ଯ୍ୟ ହେଲା। ଅଥଚ୍‌ ଓଡ଼ିଶାର ଅବସରପ୍ରାପ୍ତ ବିଶ୍ବବିଦ୍ୟାଳୟ ପ୍ରଫେସର ଏହି ସମାନ ନିୟମରୁ ବଞ୍ଚିତ ହୋଇ ମାତ୍ର ୨୩ ହଜାର ୭୦୦ ଟଙ୍କା ମୂଳ ପେନ୍‌ସନ୍‌ ପାଉଛନ୍ତି। ବିଶ୍ବବିଦ୍ୟାଳୟ ଅଧିନିୟମ ୨୮୮ ଅନୁସାରେ ସମସ୍ତ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ପେନ୍‌ସନ ନିୟମ ବିଶ୍ବବିଦ୍ୟାଳୟଗୁଡ଼ିକ ପାଇଁ ମଧ୍ୟ ଲାଗୁ ହେବା ବିଧେୟ। ତେଣୁ ବିଶ୍ବବିଦ୍ୟାଳୟ ପେନସନ୍‌ପ୍ରାପ୍ତ ପ୍ରଫେସର ଅବସରପ୍ରାପ୍ତ ସରକାରୀ ପ୍ରଫେସରଙ୍କଠାରୁ କମ୍‌ ପେନ୍‌ସନ୍‌ ପାଇବା ନୀତି ବିରୁଦ୍ଧ। ଏନେଇ ବାରମ୍ବାର ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ନ୍ୟାୟ ମିଳିପାରି ନାହିଁ। ସମାନ ପେନ୍‌ସନ୍‌ ପାଇବାର ନାର୍ଯ୍ୟ ଅଧିକାରରୁ ବଞ୍ଚିତ ହୋଇ ଅନେକ ଅବସରପ୍ରାପ୍ତ ପ୍ରଫେସରଙ୍କ ମୃତ୍ୟୁ ହୋଇ ସାରିଲାଣି। ରାଜ୍ୟ ସରକାର ଏହି ବୈଷମ୍ୟ ଶୀଘ୍ର ଦୂର କରିବେ ବୋଲି ପ୍ରଫେସରମାନେ ଆଶାବ୍ୟକ୍ତ କରିଛନ୍ତି।