ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ପ୍ରତି ଅନ୍ୟାୟ କାହିଁକି? ୧୩୯ ଦୃଷ୍ଟି ଓ ଶ୍ରବଣ ବାଧିତ ଦଶମ ବିଦ୍ୟାର୍ଥୀଙ୍କ ଭବିଷ୍ୟତ ଅନ୍ଧାରରେ

ସ୍ବତନ୍ତ୍ର ବ୍ୟବସ୍ଥା ନ କରି ଅଫ୍‌ଲାଇନ୍ ପରୀକ୍ଷା ପାଇଁ ବାଧ୍ୟ କରାଯାଉଛି

ଭୁବନେଶ୍ବର: କରୋନା ଜନିତ ଲକ୍‌ଡାଉନ୍‌ରେ ଗତବର୍ଷ ପରୀକ୍ଷା ଫଳାଫଳ ଆଧାରରେ ରାଜ୍ୟର ୨ ଲକ୍ଷ ମାଟ୍ରିକ ପରୀକ୍ଷାର୍ଥୀଙ୍କ ପରୀକ୍ଷା ଫଳାଫଳ ପ୍ରକାଶିତ ହେଲା। ଏପରିକି ଏହି ପରୀକ୍ଷାଫଳରେ ଅସନ୍ତୁଷ୍ଟଙ୍କ ପାଇଁ ମଧ୍ୟ ଅଫ୍‌ଲାଇନ୍‌ ପରୀକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଛି। କିନ୍ତୁ ରାଜ୍ୟରେ ଥିବା ୯ଟି ଦୃଷ୍ଟିହୀନ ଓ ମୂକବଧିର ବିଦ୍ୟାଳୟର ୧୩୯ଜଣ ଦୃଷ୍ଟି ଓ ଶ୍ରବଣ ବାଧିତ ବିଦ୍ୟାର୍ଥୀଙ୍କ ପରୀକ୍ଷା ଫଳାଫଳ ପ୍ରକାଶ କରାଗଲା ନାହିଁ। ଜୁଲାଇ ୩୦ ତାରିଖରେ ସେମାନଙ୍କ ପାଇଁ କୌଣସି ପ୍ରକାର ସ୍ବତନ୍ତ୍ର ବ୍ୟବସ୍ଥା ନ କରି ଅଫ୍‌ଲାଇନ୍‌ ପରୀକ୍ଷା ପାଇଁ ବାଧ୍ୟ କରାଯାଉଛି। ଏହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ରାଜ୍ୟରେ ଥିବା ବାଲେଶ୍ୱର ଦୃଷ୍ଟିହୀନ ସ୍କୁଲ, କେନ୍ଦୁଝର ଦୃଷ୍ଟିହୀନ ସ୍କୁଲ, ସୁନ୍ଦରଗଡ଼ ରେଡ଼କ୍ରସ ଦୃଷ୍ଟିହୀନ ସ୍କୁଲ, ହେଲେନ୍‌କେଲର ବୀଣାପାଣି ଦୃଷ୍ଟିହୀନ ଓ ମୂକବଧିର ବାଳିକା ସ୍କୁଲ, ଅଭିନଚନ୍ଦ୍ର ଦୃଷ୍ଟିହୀନ ହାଇସ୍କୁଲ, ଭବନେଶ୍ୱରର ଲୁଇ ବ୍ରେଲ ଦୃଷ୍ଟିହୀନ ହାଇସ୍କୁଲ, ସୁନ୍ଦରଗଡ଼ ରେଡକ୍ରସ ମୁକବଧିର ହାଇସ୍କୁଲ, କଟକର ବେଲେଶ୍ୱର ମୁକବଧିର ହାଇସ୍କୁଲ, ନିଶ୍ଚିନ୍ତ କୋଇଲି ସ୍ଥିତ ମଦରଟେରେସା ମୂକବଧିର ହାଇସ୍କୁଲ, ନିମାପଡ଼ା ସ୍ଥିତ ପତିତପାବନ ଦୃଷ୍ଟିହୀନ୍ନ ମୂକବଧିର ସ୍କୁଲ ଓ ଭୁବନେଶ୍ୱରର ରାଜଧାନୀ ମୂକବଧିର ସ୍କୁଲରେ ଶତାଧିକ ଦୃଷ୍ଟି ଓ ଶ୍ରବଣବାଧିତ ଛାତ୍ରଛାତ୍ରୀ ଏଥର ମାଟ୍ରିକ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଛନ୍ତି। ଏହି ସ୍କୁଲର ପରୀକ୍ଷା ଫଳାଫଳ ପ୍ରକାଶ ପାଇଁ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ଶାସନ ସଚିବ ବୋର୍ଡ କତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ସ୍କୁଲଗୁଡ଼ିକର ଭିତ୍ତିଭୂମି ନାହିଁ ବୋଲି କହି ଗଣଶିକ୍ଷା ବିଭାଗ ଏହାକୁ ନାକଚ କରିଦେଇଛନ୍ତି।

ସୂଚନା ଅନୁଯାୟୀ, ରାଜ୍ୟରେ ସମୁଦାୟ ୧୩ଟି ଦୃଷ୍ଟିହୀନ ଏବଂ ଶ୍ରବଣ ବାଧିତ ବିଦ୍ୟାର୍ଥୀଙ୍କ ହାଇସ୍କୁଲ ରହିଛି। ଏଥିରୁ ରାଜ୍ୟ ଗଣଶିକ୍ଷା ବିଭାଗ କେବଳ ୪ଟି ହାଇସ୍କୁଲ, ଏସଏସଇପିଡି ବିଭାଗ ଅଧୀନରେ ୯ଟି ଅନୁଦାନପ୍ରାପ୍ତ ହାଇସ୍କୁଲ ରହିଛି। ଗଣଶିକ୍ଷା ବିଭାଗ ୧୯୮୦ ମସିହା ପରଠାରୁ ଭିନ୍ନକ୍ଷମ ବିଦ୍ୟାର୍ଥୀଙ୍କ ପାଇଁ ସ୍କୁଲ ପ୍ରତିଷ୍ଠା କଲେ ନାହିଁ। ଏଥିଯୋଗୁଁ ଏସଏସଇପିଡି ବିଭାଗ ସ୍କୁଲ ଖୋଲିବା ଦିଗରେ ପଦକ୍ଷେପ ନେଲେ। ଏଠାରେ ସ୍ବତନ୍ତ୍ର ତାଲିମପ୍ରାପ୍ତ ଶିକ୍ଷକ ଅଛନ୍ତି ଏବଂ ନିୟମିତ କ୍ଲାସ୍‌ ମଧ୍ୟ ହେଉଛି। ଏମାନେ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହୁଅନ୍ତି। ୯ଟି ଅନୁଦାନପ୍ରାପ୍ତ ହାଇସ୍କୁଲ ମଧ୍ୟରୁ ରେଡକ୍ରସ ଦୃଷ୍ଟିହୀନ ସ୍କୁଲ ବାରିପଦା, ରେଡକ୍ରସ ଦୃଷ୍ଟିହୀନ ସ୍କୁଲ ସୁନ୍ଦରଗଡ଼, ଅଭିନଚନ୍ଦ୍ର ଦୃଷ୍ଟିହୀନ ସ୍କୁଲ ଭଦ୍ରକ, ଲୁଇବ୍ରେଲ ଦୃଷ୍ଟିହୀନ ବିଦ୍ୟାଳୟ ଭୁବନେଶ୍ବର ପ୍ରାୟ ୨୦ ବର୍ଷରୁ ଊର୍ଧ୍ବ ସମୟ ହେଲା ଚାଲୁଛି। ଅନ୍ୟ ସ୍କୁଲଗୁଡ଼ିକ ୨୦୧୮ ମସିହାରୁ ଅନୁଦାନ ପାଇଛି। ଏହି ସମୟ ମଧ୍ୟରେ ଗଣଶିକ୍ଷା ବିଭାଗ ସ୍କୁଲଗୁଡ଼ିକ ପରିଦର୍ଶନ କରି ସ୍କୁଲଗୁଡ଼ିକୁ ସ୍ବୀକୃତି ପ୍ରଦାନ କରି ନାହାନ୍ତି। ଏଥିଯୋଗୁଁ ଏସ୍‌ଏସ୍‌ଇପିଡିର ୯ଟି ହାଇସ୍କୁଲ ଅନ୍ୟ ସ୍କୁଲ ଏବଂ ପତ୍ରାଚାର ଶିକ୍ଷା ମାଧ୍ୟମରେ ପରୀକ୍ଷା ଦେଉଥିଲେ। ସେହି ଅନୁଯାୟୀ ଫଳାଫଳ ପ୍ରକାଶ ପାଉଥିଲା।

ମାତ୍ର ଚଳିତ ବର୍ଷ ଏଭଳି ସମ୍ଭବ ନଥିଲା। ମାର୍ଗଦର୍ଶିକା ଅନୁସାରେ, ଯେଉଁ ସ୍କୁଲର ବିଦ୍ୟାର୍ଥୀ ୧୦୦ ଦିନ କ୍ଲାସ୍‌ କରିଥିବେ, ସେମାନଙ୍କ ପୂର୍ବ ବର୍ଷ ପରୀକ୍ଷା ଫଳ ଆଧାରରେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ କରାଗଲା। ଏହି ସ୍ବତନ୍ତ୍ର ସ୍କୁଲର ବିଦ୍ୟାର୍ଥୀମାନେ ପୂର୍ବ ବର୍ଷ ପରୀକ୍ଷା ଦେଇଥିଲେ ମଧ୍ୟ ସେମାନଙ୍କ ନବମ ଶ୍ରେଣୀ ପରୀକ୍ଷା ରାଜ୍ୟ ସରକାର ବିଚାରକୁ ନେଉ ନାହାନ୍ତି। ଏମାନଙ୍କୁ ଜୁଲାଇ ୩୦ ତାରିଖରୁ ମାଟ୍ରିକ ପରୀକ୍ଷାରେ ଅବତୀର୍ଣ୍ଣ ହେବାକୁ ବାଧ୍ୟ କରୁଛନ୍ତି। ଯେଉଁମାନେ ଦେଖିପାରୁ ନାହାନ୍ତି, ସେମାନେ ଛୁଇଁ କି କାର୍ଯ୍ୟ କରନ୍ତି। କରୋନା ସେମାନଙ୍କ ପାଇଁ ସ୍ଥିତି ଆହୁରି ବିପନ୍ନ କରୁଛି। କରୋନା ଯୋଗୁଁ ସାଧାରଣ ବିଦ୍ୟାର୍ଥୀ ସ୍କ୍ରାଇପ୍‌ ପାଇଁ ଆଗେଇ ଆସୁ ନାହାନ୍ତି। ବୋର୍ଡ ପକ୍ଷରୁ ମଧ୍ୟ ସେମାନଙ୍କ ପାଇଁ ବ୍ରେଲ ଲିପି ବା ସାଙ୍କେତିକ ଭାଷାରେ ସ୍ବତନ୍ତ୍ର ପ୍ରଶ୍ନପତ୍ର ପ୍ରସ୍ତୁତ କରାଯାଇ ନାହିଁ।

ଆବାସିକ ବିଦ୍ୟାଳୟର ହଷ୍ଟେଲ ଖୋଲିବା ପାଇଁ ମଧ୍ୟ ନିର୍ଦେଶ ଦିଆଯାଇ ନାହିଁ। କୌଣସି ବିଦ୍ୟାଳୟର ନିଜସ୍ବ ଗାଡ଼ି ନଥିବାରୁ ଘରୁ ସୁରକ୍ଷିତ ଭାବରେ ଯାତାୟାତ କରିବା ସମ୍ଭବ ନୁହେଁ। ଏଭଳି ସ୍ଥିତିରେ ନବମ ଶ୍ରେଣୀ ଫଳ ଆଧାରରେ ସେମାନଙ୍କୁ ଦଶମ ଶ୍ରେଣୀ ପରୀକ୍ଷାରେ ଉତ୍ତୀର୍ଣ୍ଣ କରାଯିବା କଥା। ମାତ୍ର ଏଭଳି ନ କରି ସେମାନଙ୍କୁ ଅଫ୍‌ଲାଇନ୍ ପରୀକ୍ଷା ଦେବାକୁ ବାଧ୍ୟ କରିବା ଏବଂ ଏଥିଲାଗି କୌଣସି ସ୍ବତନ୍ତ୍ର ବ୍ୟବସ୍ଥା ନ କରିବା କେତେଦୂର ଯୁକ୍ତିଯୁକ୍ତି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହା ବ୍ୟତୀତ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ରାଜ୍ୟ ସରକାରଙ୍କ ଏକ ଅଂଶ ବିଶେଷ। ଏହି ସ୍କୁଲରେ ପାଠ ପଢି ବିଦ୍ୟାର୍ଥୀ କ୍ଷତିଗ୍ରସ୍ତ ହେବେ କାହିଁକି ? ୨୦ ବର୍ଷ ଧରି ଏହି ସ୍କୁଲଗୁଡ଼ିକ ବିନା ଭିତ୍ତିଭୂମିରେ ଚାଲୁଛି, ତାହେଲେ ଗଣଶିକ୍ଷା ବିଭାଗ କାହିଁକି ଚୁପ ବସିଲା? ୧୯୮୦ ମସିହା ପର ଠାରୁ ଏହି ଭିନ୍ନକ୍ଷମ ବିଦ୍ୟାର୍ଥୀଙ୍କ ପାଇଁ ସବୁପ୍ରକାର ଭିତ୍ତିଭୂମି ଥାଇ ସ୍କୁଲ ପ୍ରତିଷ୍ଠା କରାଗଲା ନାହିଁ କାହିଁକି ବୋଲି ପ୍ରଶ୍ନ ଉଠିଛି। ମାତ୍ର ଏହିସବୁ ପ୍ରଶ୍ନର ଉତ୍ତର ଦେବାକୁ କେହି ନାହାନ୍ତି।

ସମ୍ବନ୍ଧିତ ଖବର