ଚିକିତ୍ସାଠୁ ବଳିପଡ଼ୁଛି ରହିବା ଦୁଃଖ, ଆର୍ଥିକ ଶୋଷଣର ଶିକାର ହେଉଛନ୍ତି ରୋଗୀ
ସରକାର ଓ ସ୍ବେଚ୍ଛାସେବୀ ସଂଗଠନ ଆଗେଇ ଆସନ୍ତୁ
ଭୁବନେଶ୍ୱର : ରାଜ୍ୟରେ ସବୁଠି ସ୍ୱାସ୍ଥ୍ୟସେବାର ଦୁର୍ବଳ ଭିତ୍ତିଭୂମି ଓ ଚିକିତ୍ସା ପାଇଁ ଭୁବନେଶ୍ବର ଆସିବାକୁ ବାଧ୍ୟ ହୁଅନ୍ତି ଅଧିକାଂଶ ରୋଗୀ। ସ୍ଥିତି ଏଭଳି ଯେ ଏଠାରେ ଏମ୍ସ, ସମ୍, ଆପୋଲୋ, ଆମ୍ରି, କେୟାର, ଉତ୍କଳ, ସ୍ପର୍ଶ, କିମ୍ସ, ହାଇଟେକ୍ ଭଳି ଡାକ୍ତରଖାନାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ପ୍ରତିଦିନ ପ୍ରାୟ ଦୁଇରୁ ଅଢ଼େଇ ହଜାର ରୋଗୀ ଚିକିତ୍ସା ପାଇଁ ଆସୁଥିବା ଅନୁମାନ କରାଯାଏ। ମାତ୍ର ସେମାନଙ୍କ ମଧ୍ୟରୁ ଅନେକଙ୍କ ପାଇଁ ଚିକିତ୍ସା ଠାରୁ ରହିବା ଦୁଃଖ ବଳେଇ ପଡ଼ୁଛି। ରାଜ୍ୟ ସରକାରଙ୍କ ସହିତ ଘରୋଇ ଡାକ୍ତରଖାନା ଏବଂ ସାମାଜିକ ସଙ୍ଗଠନଗୁଡ଼ିକ ଏହି ରୋଗୀମାନଙ୍କ ରହିବା ସୁବିଧା କରାଇବାକୁ ଆଗେଇ ଆସିବା ଉଚିତ ବୋଲି ମତ ଦେଇଛନ୍ତି ରୋଗୀ, ଡାକ୍ତର ଏବଂ ସାମାଜିକ କର୍ମକର୍ତ୍ତାମାନେ।
Sambad is now on WhatsApp
Join and get latest news updates delivered to you via WhatsApp
ଭୁବନେଶ୍ବରରେ ରହିବା ସମସ୍ୟା ଯୋଗୁଁ ଅଧାରୁ ଚିକିତ୍ସା ଛାଡ଼ି ଦିଅନ୍ତି ପଶ୍ଚିମ ଏବଂ ଦକ୍ଷିଣ ଓଡ଼ିଶାର ଅନେକ ରୋଗୀ। ବାରମ୍ବାର ଏଭଳି ଘଟଣା ଦେଖିବା ପରେ କର୍କଟ ରୋଗୀଙ୍କ ରହିବା ପାଇଁ ୧୨ ଶଯ୍ୟା ବିଶିଷ୍ଟ ସେବା ହୋମ୍ ଆରମ୍ଭ କରାଯାଇଥିବା କହିଛି ସାମାଜିକ ସଙ୍ଗଠନ ‘ଉମିଦେଁ’। ଏମ୍ସରେ ପ୍ରାୟ ୨୦୦ ରୋଗୀ ରହିବା ଭଳି ହଲ୍ର ସୁବିଧା ଥିଲେ ମଧ୍ୟ ପ୍ରତିଦିନ ଅନେକ ସଂଖ୍ୟା ରୋଗୀ ଖୋଲା ଆକାଶ ତଳେ ରହୁଥିବା ଦୃଶ୍ୟ ସାଧାରଣ ମଣିଷକୁ ବି ବିଚଳିତ କରେ। ଏହାକୁ ଦୃଷ୍ଟିରେ ରଖି ଏହି ଡାକ୍ତରଖାନାରେ ଧର୍ମଶାଳା ନିର୍ମାଣ କରାଯାଉଛି। ଯାହା ଖୁବ୍ ଶୀଘ୍ର ଉଦ୍ଘାଟିତ ହେବ ବୋଲି ଆଶା ରହିଛି। ମାତ୍ର ଏହା ମଧ୍ୟ ସମସ୍ୟାର ସ୍ଥାୟୀ ସମାଧାନ କରିବନାହିଁ। ଭିମ୍ସାର, ଏମ୍କେସିଜିରେ ଉପଯୁକ୍ତ ଭିତ୍ତିଭୂମି ନଥିବାରୁ ବାଧ୍ୟ ହୋଇ ରୋଗୀ କଟକ ଏବଂ ଭୁବନେଶ୍ବରକୁ ରେଫର୍ ହୋଇଆସନ୍ତି। ଏଠାକୁ ଆସୁଥିବା ରୋଗୀଙ୍କ ମଧ୍ୟରୁ କିଛି ଓପିଡିରେ ଦେଖାଇ ସେହି ଦିନ ଚାଲି ଯାଆନ୍ତି। ଆଉ କିଛି ଜଣଙ୍କୁ ଏକ ସପ୍ତାହ କିମ୍ବା ୧୫ ଦିନ ପର୍ଯ୍ୟନ୍ତ ରହିବାକୁ ହୁଏ। ସେମାନେ ଧର୍ମଶାଳା କିମ୍ବା ଲଜ୍ରେ ରୁହନ୍ତି।
କେମୋଥେରାପି ନେଉଥିବା, ଅସ୍ତ୍ରୋପଚାର ହେଉଥିବା କର୍କଟ ରୋଗୀ, ଆଇସିୟୁରେ ଭର୍ତ୍ତି ରୋଗୀ, ସ୍ନାୟବିକ ସମସ୍ୟାରେ ପୀଡ଼ିତ, କିଡ୍ନି ରୋଗୀ ସମେତ ଗୁରୁତରଙ୍କୁ ୬ ରୁ ୭ ମାସ କିମ୍ବା ଅଧିକ ଦିନ ରହିବାକୁ ପଡ଼େ। ସମସ୍ତଙ୍କ ପାଇଁ ପ୍ରତ୍ୟେକ ଦିନ ଅନ୍ୟୁନ ୧ ହଜାର ଟଙ୍କା ଖର୍ଚ ଆବଶ୍ୟକ ହୁଏ। ଯାହା ବହନ କରିବା ସେମାନଙ୍କ ପାଇଁ ସମ୍ଭବ ନୁହେଁ। ଏମ୍ସ, ସମ୍, ଆପୋଲୋ ସମେତ ବିଭିନ୍ନ ଡାକ୍ତରଖାନା ନିକଟରେ ରୋଗୀଙ୍କ ପାଇଁ ଯେଉଁ ଭଡ଼ା ଘର ରହିଛି, ତାର ମୂଲ୍ୟ ମାତ୍ରାଧିକ। ଅର୍ଥାତ୍ ଦୈନିକ ହିସାବରେ ଭଡ଼ା ୩୦୦ରୁ ୬୦୦ ଟଙ୍କା, ମାସିକ ୪ ହଜାରରୁ ୮ ହଜାର ଟଙ୍କା କିମ୍ବା ଆହୁରି ଅଧିକ ରହିଛି। ଯାହା ବହନ କରିବା ଅନେକଙ୍କ ପାଇଁ ଅସମ୍ଭବ ଥାଏ। ଭଡ଼ା ଘରଗୁଡ଼ିକ ଅବସ୍ଥା ଏଭଳି ଯେ ରୋଗୀଙ୍କ ଅସୁବିଧାର ଫାଇଦା ଉଠାଇ ଏହି ଘରଗୁଡ଼ିକ ନିର୍ମାଣ ହୋଇଥାଏ। ଏଠାରେ ରହିବା ଭଳି କୌଣସି ସୁବିଧା ନଥାଏ। ଅନେକ ସ୍ଥାନରେ ଘର ମାଲିକଙ୍କ କଟକଣା ମଧ୍ୟରେ ପରିଜନଙ୍କୁ ରହିବାକୁ ପଡ଼େ। ରାନ୍ଧିବା ପାଇଁ ବାରଣ କରାଯାଏ। ନିମ୍ନ ମଧ୍ୟବିତ୍ତଙ୍କ ଅବସ୍ଥା ମଧ୍ୟ ଶୋଚନୀୟ ହୋଇପଡ଼େ। ରହିବା ଦୁଃଖ ସମ୍ପର୍କରେ ସୁନ୍ଦରଗଡ଼ର ଜଣେ ଆଦିବାସୀ ଝିଅ କହିଥିଲେ, ମା’ଙ୍କ କର୍କଟ ରୋଗ ଚିକିତ୍ସା ପାଇଁ ଏମ୍ସ ଆସିଥିଲେ। ଡାକ୍ତର ଦେଖିବା ପରେ ଭର୍ତ୍ତି କଲେ ନାହିଁ। କିନ୍ତୁ ଏଠାରେ ରହି ଚିକିତ୍ସା କରିବାକୁ କହିଲେ। ରହିବା ପାଇଁ ଘର ଖୋଜିବା ବେଳକୁ ତାଙ୍କ ଭାଷା କେହି ବୁଝୁନଥିଲେ। ରହିବା ସୁବିଧା କରିନପାରି ଅନେକ ଦିନ ପର୍ଯ୍ୟନ୍ତ ଡାକ୍ତରଖାନା ବାହାରେ ରହିଲେ।
ହୃଦ୍ରୋଗ ବିଶେଷଜ୍ଞ ଡାକ୍ତର ବ୍ୟୋମକେଶ ଦୀକ୍ଷିତ କହନ୍ତି, ଘରୋଇ ଡାକ୍ତରଖାନାକୁ ଅନେକ ଗରିବ ରୋଗୀ ଆସନ୍ତି। ରୋଗୀଙ୍କ ପରିଜନ ଥାଆନ୍ତି, ଯେଉଁମାନେ ଲଜ୍ ଖର୍ଚ ବହନ କରିପାରନ୍ତି ନାହିଁ। ଡାକ୍ତରଖାନାରେ ସେମାନଙ୍କ ପାଇଁ ଯେଉଁ ଅପେକ୍ଷା ଗୃହ ଥାଏ, ଏହା ନାମକୁ ମାତ୍ର। ବଡ଼ ଘରୋଇ ଡାକ୍ତରଖାନାଗୁଡ଼ିକ ମଧ୍ୟ ରୋଗୀଙ୍କ ପରିଜନଙ୍କ ରହିବା ବ୍ୟବସ୍ଥା କରିବା ଉଚିତ। ଏମ୍ସର କର୍କଟ ରୋଗ ବିଶେଷଜ୍ଞ ଡ. ଦିଲ୍ଲୀପ ପରିଡ଼ା କହନ୍ତି, ଭୁବନେଶ୍ବରକୁ ଆସୁଥିବା ରାଜ୍ୟ ଏବଂ ରାଜ୍ୟ ବାହାର ରୋଗୀଙ୍କ ପାଇଁ ସରକାରଙ୍କ ନୈତିକ ଦାୟିତ୍ବ ରହିଛି। ଦୁର୍ବଳ ଭିତ୍ତିଭୂମି ଥିବା ଜିଲ୍ଲାରେ ରାଜ୍ୟବାସୀ ରାଜଧାନୀ ଉପରେ ନିର୍ଭର ହେବାକୁ ବାଧ୍ୟ ଅଟନ୍ତି। ଏଥିପ୍ରତି ଧ୍ୟାନ ଦେବାକୁ ପଡ଼ିବ। ସାମାଜିକ ସଙ୍ଗଠନ ଉମିଦେଁ କହିଛି, ମୁମ୍ବାଇ, ଚଣ୍ଡିଗଡ଼, ବାଙ୍ଗାଲୋରରେ ଅନେକ ସାମାଜିକ ସଙ୍ଗଠନଗୁଡ଼ିକ କୋହଳ ଦରରେ ଧର୍ମଶାଳା ନିର୍ମାଣ କରିଛନ୍ତି। ଭୁବନେଶ୍ବରରେ ଏହିଭଳି ଧର୍ମଶାଳା ଅଧିକ ସଂଖ୍ୟାରେ ନିର୍ମାଣ କରାଯାଇପାରିବ। ରାଜ୍ୟ ସରକାରଙ୍କ ସହିତ ସାଂସଦ ପାଣ୍ଠି କିମ୍ବା ବିଏମ୍ସି ନିଜ ତରଫରୁ ଏଥିସଂକ୍ରାନ୍ତରେ ବ୍ୟବସ୍ଥା କରିପାରିବ। ବାହାରୁ ଆସୁଥିବା ରୋଗୀ ଏବଂ ପରିଜନଙ୍କ ପାଇଁ ସରକାର କେବେ ଦୃଷ୍ଟି ଦେବେ ଦେଖିବାକୁ ବାକି ରହିଲା।