ଜଟଣୀ: ପ୍ରଚଣ୍ଡ ଖରା ଓ ଅସହ୍ୟ ଗୁଳୁଗୁଳି ଯୋଗୁ ଦିନ ୧୧ଟା ବେଳକୁ ରାସ୍ତାଘାଟ ଖାଁ ଖାଁ ହୋଇଯାଉଛି। ଏତିକି ବେଳେ ଚୋରା ଖଣିରେ ଚାଲୁଛି ଜେସିବି ଓ ପାୱାର୍ ଟିଲର୍। ଅପରାହ୍ନ ୩ଟା ସୁଦ୍ଧା ହଜାର ହଜାର ମାଙ୍କଡ଼ା ପଥର ଓ ଟ୍ରିପ୍ ଟ୍ରିପ୍ ମୋରମ୍ ଖୋଳା ଯାଉଛି। ମୁଣ୍ଡଫଟା ଖରାକୁ ଡରି କେହି ବାହାରକୁ ନ ବାହାରିବାରୁ ଖଣି ଖନନର ସୋର ଶବ୍ଦ କାହା କାନରେ ପଡ଼ୁନି। ରାତି ୧୧ଟା ପରେ ଆରମ୍ଭ ହୋଇଯାଉଛି ଚାଲାଣ। ରାତି ୪ଟା ପର୍ଯ୍ୟନ୍ତ ଟ୍ରାକ୍ଟର, ଟ୍ରକ୍ ଓ ହାଇୱା ଖଣିରୁ ପଥର ଓ ମୋରମ୍ ବୋହି ନେଉଛନ୍ତି। ଖଣିବିଭାଗ ଅଧୀନକୁ ଳଘୁ ଖଣିଜ ପଦାର୍ଥ ଜଗାରଖା ଦାୟିତ୍ୱ ଆସିବା ପରଠୁ ତହସିଲ୍ ଓ ପୁଲିସ ପ୍ରଶାସନ ଆଉ ଏଥିରେ ମୁଣ୍ଡ ଖେଳାଉ ନାହାନ୍ତି।ଗ୍ରୀଷ୍ମଋତୁ ଆରମ୍ଭରୁ ମାଫିଆମାନେ ଜଟଣୀ ତହସିଲ୍ ଅଞ୍ଚଳର ବିଭିନ୍ନ ସ୍ଥାନରୁ ଚୋରା ଖଣିରେ ଏମିତି ନୂଆ ତରିକା ଆପଣେଇଛନ୍ତି। ଏହି ଖଣି ଖୋଳାରେ ନିୟୋଜିତ ଶ୍ରମିକମାନେ ଦିପଇସା ପାରିଶ୍ରମିକ ପାଇବାକୁ ପ୍ରଚଣ୍ଡ ଖରାରେ ଜୀବନ ବାଜିରେ ଲଗାଇ ଦେଉଛନ୍ତି।
ସୂଚନା ଅନୁସାରେ, ଜଟଣୀ ତହସିଲ୍ ଅଞ୍ଚଳର ରଥିପୁର, ନିରଞ୍ଜନପୁର, କନ୍ତିଆ, କୁସୁମାଟି, ପାଣିଓରା, ଅରଗୁଳ, ପିତାପଲି, ତିରିମଲ, ଗୋପୀନାଥପୁର, ନିରଞ୍ଜନପୁର, ବୁଢ଼ାପଡ଼ା ଭଳି ଅଞ୍ଚଳରେ ବର୍ତ୍ତମାନ ଶତାଧିକ ସ୍ଥାନରେ ବେଧଡ଼କ ଭାବେ ଲଘୁ ଖଣିଜ ଲୁଟ୍ ଚାଲିଛି। ପ୍ରଶାସନ ଯେଉଁ ସ୍ଥାନରେ ଚଢ଼ଉ କରି ଖଣି ଖୋଳା ବନ୍ଦ କରିଥିଲା, ସେଠାରୁ ପୁଣି ବେଧଡ଼କ ମାଙ୍କଡ଼ା ଓ ମୋରମ୍ ଖୋଳା ଚାଲିଛି। ସେହିପରି ଖଣି ବୋହିନେଉଥିବା ହାଇୱା ଦ୍ରୁତ ବେଗରେ ଯାତାୟାତ କରୁଥିବାରୁ ଘର ବାହାରକୁ ବାହାରିବାକୁ ଡର ଲାଗୁଛି। ଗଭୀର ଖାଲରେ ପଡ଼ି ଗୃହପାଳିତ ପଶୁଙ୍କ ପ୍ରାଣ ଯାଉଛି। ପ୍ରଶାସନର ଅବଗତରେ ଏହି ଖଣି ଚାଲିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଦିନବେଳା ଖଣି ଉପରେ ତୀକ୍ଷ୍ଣ ନଜର ରଖାଯିବା ସହିତ ରାତିରେ ପାଟ୍ରୋଲିଂ କଡ଼ାକଡ଼ି କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/05/19/ouV6eSQEeEioLSqdNYHS.jpg)