ଭୁବନେଶ୍ୱର : ଦୀର୍ଘ ଗୋଟିଏ ବର୍ଷର ପ୍ରତୀକ୍ଷା ପରେ ସ୍ମାର୍ଟ ସିଟିରେ କାର୍ଯ୍ୟକ୍ଷମ ହୋଇଛି ଡିଜିଟାଲ କିଓସ୍କ। ଫୋନ୍ କଲ୍ ଠାରୁ ଆରମ୍ଭ କରି ପ୍ରମାଣପତ୍ର, ହୋଲ୍ଡିଂ ଟ୍ୟାକ୍ସ ପ୍ରଦାନ ଠାରୁ ଆରମ୍ଭ କରି ଯେ କୌଣସି ଆବେଦନର ସ୍ଥିତି ଜାଣିବା ପାଇଁ ସହରର ପ୍ରମୁଖ ସ୍ଥାନମାନଙ୍କରେ ବିଏସ୍ସିଏଲ୍(ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍) ସ୍ଥାପନ କରିଥିବା ଏହି କିଓସ୍କ ଏବେ ସେବା ପ୍ରଦାନ ଆରମ୍ଭ କରିଛି। ତେବେ ସ୍ମାର୍ଟ ସିଟି ବାସିନ୍ଦାଙ୍କୁ ହାତପାଆନ୍ତାରେ ସେବା ଯୋଗାଇବା ପାଇଁ ବିଏସ୍ସିଏଲ୍ର ଏହି ନିଆରା ବ୍ୟବସ୍ଥାରେ ଏକ ବିଚିତ୍ର ଦୃଶ୍ୟ ସାମ୍ନାକୁ ଆସିଛି। ଉଚ୍ଚଶକ୍ତି ସମ୍ପନ୍ନ ଇଣ୍ଟରନେଟ୍ ସଂଯୋଗ ଥିବା ଏହି ବ୍ୟବସ୍ଥାରେ କେତେକ ଯୁବକ ପର୍ଣ୍ଣ ସାଇଟ୍ ଖୋଲୁଥିବା ଦେଖାଯାଇଛି। ଏକାଧିକ କିଓସ୍କରେ ଏଭଳି ସର୍ଚ୍ଚ ନଜରକୁ ଆସିଛି। ବିଶେଷକରି ଅପରାହ୍ନରେ ବହୁ ଯୁବକ ଏଥିରେ ପର୍ଣ୍ଣ ସାଇଟ୍ ସର୍ଚ୍ଚ କରୁଛନ୍ତି। ବିଭିନ୍ନ କିଓସ୍କରେ ଏଭଳି ଅନେକ ସାଇଟ୍ ସର୍ଚ୍ଚ ହୋଇଥିବା ନଜରକୁ ଆସିଛି। ବିଶେଷକରି ରାମମନ୍ଦିର ପାଖ, କିଟ୍ ଛକ ବିଗ୍ବଜାର ପାଖ, କଳିଙ୍ଗ ଷ୍ଟାଡିୟମ ୮ ନମ୍ବର ଗେଟ୍, କ୍ୟାପିଟାଲ ହସ୍ପିଟାଲ, ଶିଶୁଭବନ ଛକ, ଏମ୍ସ ଛକ, ଆର୍ବିଆଇ ନିକଟରେ ଥିବା କିଓସ୍କରେ କେତେକ ବଗୁଲିଆ ଏଭଳି ସର୍ଚ୍ଚ କରିଥିବା ପ୍ରମାଣ ରହିଛି। ତେବେ ଏଭଳି ଘଟଣା ସାମ୍ନାକୁ ଆସିବା ପରେ କୌଣସି ପର୍ଣ୍ଣ ସାଇଟ୍ ଏହି କିଓସ୍କରେ ଖୋଲିବ ନାହିଁ ବୋଲି ସ୍ପଷ୍ଟ କରିଛି ବିଏସ୍ସିଏଲ୍। ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ମୁତାବକ, ଏ ସବୁ ୱେବ୍ସାଇଟ୍କୁ ବ୍ଲକ୍ କରାଯାଇଛି। ଭିଡିଓ ମଧ୍ୟ ପ୍ଲେ ହେବ ନାହିଁ। ମହତ୍ ଉଦ୍ଦେଶ୍ୟ ନେଇ ଏଭଳି ଏକ ସ୍ମାର୍ଟ ବ୍ୟବସ୍ଥା ଉପଲବ୍ଧ ହେଉଛି। ଏଣୁ ଏହାର ଅପବ୍ୟବହାର କରନ୍ତୁ ନାହିଁ ବୋଲି ବିଏସ୍ସିଏଲ୍ ପରାମର୍ଶ ଦେଇଛି।
ଉଲ୍ଲେଖଯୋଗ୍ୟ, ଏହି ଡିଜିଟାଲ କିଓସ୍କ ୨୦୨୦ ସୁଦ୍ଧା କାର୍ଯ୍ୟକ୍ଷମ ହେବାକୁ ଧାର୍ଯ୍ୟ ହୋଇଥିଲା। ଇନ୍ଡୋର୍ରେ ୫୦ ଓ ଆଉଟ୍ଡୋର୍ ୨୫ ଏଭଳି ୭୫ଟି କାର୍ଯ୍ୟକ୍ଷମ କରିବାକୁ ଯୋଜନା ହେବା ସହ ବିଭିନ୍ନ ଜାଗାରେ ସ୍ଥାପନ କରାଯାଇଥିଲା। ହେଲେ ଦେଢ଼ ବର୍ଷ ଧରି ପଡ଼ି ରହିବା ପରେ ୭୫ରୁ ୬୨ଟି କାର୍ଯ୍ୟକ୍ଷମ ହୋଇଛି। କାଗଜପତ୍ର ବ୍ୟବହାରକୁ କମାଇବା ତଥା ‘କଣ୍ଟାକ୍ଟଲେସ୍’ ବ୍ୟବସ୍ଥାକୁ ବଢ଼ାଇବା ପାଇଁ ଏଭଳି କିଓସ୍କ ବ୍ୟବସ୍ଥା ହୋଇଛି। ଟେଲିଫୋନ୍ କଲ୍ ସହ ଜନ୍ମ, ମୃତ୍ୟୁ, ବିବାହ ପ୍ରମାଣପତ୍ର ଠାରୁ ଆରମ୍ଭ କରି ଟ୍ରେଡ୍ ଲାଇସେନ୍ସ ଫି, ହୋଲ୍ଡିଂ ଟ୍ୟାକ୍ସ ମଧ୍ୟ ଦାଖଲ କରିହେବ। ଏହା ଛଡ଼ା ଅନେକ ଜରୁରୀ ସେବା ମଧ୍ୟ ଉପଲବ୍ଧ ହେବାକୁ ଯୋଜନା ରହିଛି। କିନ୍ତୁ କାର୍ଯ୍ୟକ୍ଷମ ହୋଇଥିବା କିଓସ୍କରେ ଅନେକ ସେବା ଏଯାଏ ଉପଲବ୍ଧ ହୋଇ ନାହିଁ। କେହି ଅସୁବିଧାରେ ପଡ଼ିଲେ ପୁଲିସ ଡାକିବା ପାଇଁ ଏମର୍ଜେନ୍ସି ସୁଇଚ୍ ବ୍ୟବସ୍ଥା ରହିଥିଲେ ମଧ୍ୟ ତାହା କାର୍ଯ୍ୟକ୍ଷମ ହୋଇ ନାହିଁ। ତେବେ ଏହା ଖୁବ୍ଶୀଘ୍ର କାର୍ଯ୍ୟକ୍ଷମ ହେବ ବୋଲି ବିଏସ୍ସିଏଲ୍ କହିଛି।