ଭୁବନେଶ୍ବର: ଓଡ଼ିଶା ୟୁନିଭର୍ସିଟି ଅଫ୍‌ ଟେକ୍ନୋଲୋଜି ଆଣ୍ଡ୍‌ ରିସର୍ଚ୍ଚ(ଓୟୁଟିଆର୍‌)ରେ ଆଉ ଏକ ନୂତନ ଫର୍ଦ୍ଦ ଯୋଡ଼ି ହେବାକୁ ଯାଉଛି। ଅତ୍ୟାଧୁନିକ ଓ ବିକଶିତ କ୍ୟାମ୍ପସ ଏବେ ଜ୍ଞାନ, ଉଦ୍ଭାବନା ଓ ସୃଜନଶୀଳତାର ଉପାସନା କ୍ଷେତ୍ରରେ ପରିଣତ ହୋଇଛି। ଏଠାରେ ସ୍ଥାପିତ ଇନ୍‌କ୍ୟୁବେସନ୍‌ ସେଣ୍ଟର ଓ ବିଭିନ୍ନ ଉତ୍କର୍ଷ କେନ୍ଦ୍ର ବିଶ୍ୱବିଦ୍ୟାଳୟର ଗବେଷଣା, ସୁଦୃଢ଼ ଓ ଭବିଷ୍ୟତମୁଖୀ ଚିନ୍ତନର ଜୀବନ୍ତ ପ୍ରତୀକ ପାଲଟିଛି। ୪ର୍ଥ ପ୍ରତିଷ୍ଠା ଦିବସ ଅବସରରେ ଡିଜିଟାଲ୍‌ ମାନୁଫାକ୍‌ଚରିଂ ସେଣ୍ଟର୍‌ ଅଫ୍‌ ଏକ୍ସଲେନ୍ସ ଉଦ୍‌ଘାଟିତ ହେବ। ଏହାଦ୍ବାରା ଛାତ୍ରଛାତ୍ରୀଙ୍କ ବୌଦ୍ଧିକ ଓ ଦକ୍ଷତା ବିକାଶ, ଥ୍ରିଡି ପ୍ରିଣ୍ଟିଂ, ସବ୍‌ଟ୍ରାକ୍ଟିଭ୍ ମ୍ୟାନୁଫାକ୍‌ଚରିଂ ଉପରେ ପରାମର୍ଶ ଦେବାକୁ ଲକ୍ଷ୍ୟ ରଖାଯାଇଛି।

Advertisment

‘ଓୟୁଟିଆର୍‌ ଫାଇନ୍‌’ରେ ୭ଟି ଷ୍ଟାର୍ଟଅପ୍ ଆକର୍ଷିତ
ଗବେଷଣା-ଆଧାରିତ ତାଲିମ ମଡ୍ୟୁଲ୍ ଆରମ୍ଭ

ବିଶ୍ୱବିଦ୍ୟାଳୟରେ ଥିବା ଷ୍ଟୁଡେଣ୍ଟ ଆକ୍ଟିଭିଟି ସେଣ୍ଟର(ଏସ୍‌ଏସି) ଛାତ୍ରଛାତ୍ରୀଙ୍କ ସୃଜନ ଶକ୍ତିକୁ ନୂତନ ପଥରେ ଆଗେଇ ନେଉଛି। ୧୦୦ ଏକର ଜମିରେ ଥିବା କ୍ୟାମ୍ପସ, କାର୍ଯ୍ୟ କୁଶଳତା, ଉଦ୍ଭାବନ ଓ ସୌନ୍ଦର୍ଯ୍ୟର ଏକ ଅଦ୍ଭୁତ ମିଳନସ୍ଥଳ ହୋଇଛି। ଗବେଷଣାକୁ ଆଗକୁ ନେବା ଲାଗି ଟିଏମ୍‌-ଏଆଇ, ଫିଲିପ୍ସ ଡିଜିଟାଲ୍‌ ମାନୁଫାକ୍‌ଚରିଂ, ଏନ୍‌ଏନ୍‌ଏସ୍‌ୱାଇଏସ୍‌-ସିଡିସିଇ, ନିଟକଲ୍‌-ରୋବୋଟିକ୍ସ ଆଣ୍ଡ୍‌ ଏଆଇ ପରି ବହୁବିଧ ଗବେଷଣାକୁ ଆଗକୁ ବଢ଼ାଇବା ଏବଂ ଶିଳ୍ପ-ଶିକ୍ଷା କ୍ଷେତ୍ର ସମନ୍ୱୟକୁ ପ୍ରୋତ୍ସାହିତ କରିବାକୁ ବିଶ୍ୱବିଦ୍ୟାଳୟ ପ୍ରତିବଦ୍ଧ। ଏଥିସହିତ ଅନେକ ନୂତନ ଉତ୍କର୍ଷର କେନ୍ଦ୍ର ଏବଂ ଇନ୍‌କ୍ୟୁବେସନ୍‌ କେନ୍ଦ୍ର ପ୍ରତିଷ୍ଠା କରିବାକୁ ଯୋଜନା ପ୍ରସ୍ତୁତ ହୋଇଛି। ଓୟୁଟିଆର୍‌ ଆଇଡିସି, ଏଏନ୍‌ଆର୍‌ଏଫ୍‌-ପିଏଆଇଆର୍‌, ସାଥ୍‌ ଭଳି ପ୍ରକଳ୍ପ ସହିତ ଜାତୀୟ ଗବେଷଣା ମାନଚିତ୍ରରେ ନିଜର ଛାପ ସୃଷ୍ଟି କରିଛି। ମେରିଟ୍‌, ସେମିକଣ୍ଡକ୍ଟର ପ୍ରଯୁକ୍ତିବିଦ୍ୟା, ଏରୋସ୍ପେସ୍, କ୍ରାୟୋଜେନିକ୍ସ, ୫ଜି/୬ଜି, ବୈଦ୍ୟୁତିକ ଯାନବାହନ ଓ କ୍ୱାଣ୍ଟମ୍ କମ୍ପ୍ୟୁଟିଂ ଭଳି ପ୍ରକଳ୍ପ କାର୍ଯ୍ୟ ହାତକୁ ନିଆଯାଇଛି। ବିଶ୍ୱବିଦ୍ୟାଳୟ ସେକ୍ସନ-୮ କମ୍ପାନି ‘ଓୟୁଟିଆର୍‌ ଫାଇନ୍‌’ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସୃଜନଶୀଳତା ଏବଂ ଉଦ୍ୟୋଗିତାକୁ ପ୍ରୋତ୍ସାହିତ କରୁଛି। ଏହାଦ୍ବାରା ୭ଟି ଷ୍ଟାର୍ଟ-ଅପ୍ ଆକର୍ଷିତ ହୋଇଛନ୍ତି।

ବିଶ୍ୱବିଦ୍ୟାଳୟରେ ନୂତନ ସାଧାରଣ ପାଠ୍ୟକ୍ରମ ସହ ଏକ ସାଧାରଣ ଶିକ୍ଷା କ୍ୟାଲେଣ୍ଡର୍‌ କାର୍ଯ୍ୟକାରୀ ହେଉଛି। ଏହା ଜାତୀୟ ଶିକ୍ଷା ନୀତି(ଏନ୍‌ଇପି) ୨୦୨୦ର ଉଦ୍ଦେଶ୍ୟ ପୂରଣ କରୁଛି। ଶିଳ୍ପ ବିଶେଷଜ୍ଞ, ଶିକ୍ଷାଗତ ଅଂଶୀଦାର ଓ ନୀତି ବିଶ୍ଳେଷକଙ୍କ ସହ ପରାମର୍ଶ ନିଆଯାଇ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି ବୋଲି କୁଳପତି ପ୍ରଫେସର ବିଭୂତି ଭୂଷଣ ବିଶ୍ବାଳ କହିଛନ୍ତି। ବିଶ୍ୱବିଦ୍ୟାଳୟ ଜାତୀୟ ଓ ଅନ୍ତର୍ଜାତୀୟ ସଙ୍ଗଠନଗୁଡ଼ିକ ସହିତ ଅନେକ ବୁଝାମଣାପତ୍ର(ଏମ୍‌ଓୟୁ) ସ୍ୱାକ୍ଷର କରିଛି। ଗତବର୍ଷ ୯ଟି ଫ୍ୟାକଲ୍ଟି ଡେଭ୍‌ଲପ୍‌ମେଣ୍ଟ ପ୍ରୋଗ୍ରାମ୍(ଏଫ୍‌ଡିପି) ଓ ୨୦ଟି ସାମାଜିକ ସଚେତନତା କାର୍ଯ୍ୟକ୍ରମ ସଫଳତାର ସହିତ ପରିଚାଳନା ହୋଇଛି। ବିଶ୍ୱବିଦ୍ୟାଳୟ ଛାତ୍ର ଓ ଗବେଷକଙ୍କ ପାଇଁ ଗବେଷଣା-ଆଧାରିତ ତାଲିମ ମଡ୍ୟୁଲ୍ ମଧ୍ୟ ଆରମ୍ଭ କରିଛି, ଯାହାକୁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ସମର୍ଥନ କରିଛି ବୋଲି କୁଳପତି କହିଛନ୍ତି।