ଭୁବନେଶ୍ୱର: ଗୃହ ନିର୍ମାଣ ଓ ନଗର ଉନ୍ନୟନ ଏବଂ ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଡା. କୃଷ୍ଣଚନ୍ଦ୍ର ମହାପାତ୍ର କ୍ରୁଟ୍ ମୁଖ୍ୟ କାର୍ଯ୍ୟାଳୟ ପରିଦର୍ଶନ କରି ଏହାର କାର୍ଯ୍ୟକ୍ଷେତ୍ର, ଆଗାମୀ ଦିନରେ ଆରମ୍ଭ ହେବାକୁ ଥିବା ନୂତନ ସେବା ଓ ଯୋଜନାଗୁଡ଼ିକର ସମୀକ୍ଷା କରିଛନ୍ତି। ଭିତ୍ତଭୂମି ବିକାଶର ରୂପରେଖ ସମ୍ପର୍କରେ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଆଗକୁ ୮ ନୂଆ ସହରରେ ‘ଆମ ବସ’ ସେବା ଆରମ୍ଭ ହେବାକୁ ଯାଉଛି। ପ୍ରଥମ ପର୍ଯ୍ୟାୟରେ ୪ ଜିଲ୍ଲାକେନ୍ଦୁଝର, ବାରିପଦା, ଅନୁଗୁଳ ଓ ଝାରସୁଗୁଡ଼ାରେ ‘ଆମ ବସ୍’ ସେବା ଆରମ୍ଭ ହେବ।  ପରେ ଯାଜପୁର, ଜୟପୁର, ରାୟଗଡ଼ା ଓ ବାଲେଶ୍ବରରେ ‘ଆମ ବସ୍‌ ’ଗଡ଼ିବ। ମନ୍ତ୍ରୀ ଏହାର ଭିତ୍ତିଭୂମି ବିକାଶ ଓ ଅନ୍ୟାନ୍ୟ ବ୍ୟବସ୍ଥାର ରୂପରେଖ ପଚାରି ବୁଝିଛନ୍ତି।  ଅଧିକ ଯାତ୍ରୀ ଡିଜିଟାଲ୍‌ ପ୍ଲାଟଫର୍ମରେ ସୁବିଧାରେ ଟିକେଟ୍ ବୁକିଂ କରିପାରିବା ଉପରେ ଆଲୋଚନା କରିଛନ୍ତି। ସମସ୍ତ ସହରରେ ଡିଜିଟାଲ୍ ‘ଆମ ବସ୍’ ପାସ୍ ସୁବିଧା, ନ୍ୟାସନାଲ୍‌ କମନ୍ ‌ମୋବିଲିଟି କାର୍ଡ ପ୍ରଚଳନ, ହ୍ୱାଟ୍‌ସଆପ୍ ଟିକେଟ୍‌ ବୁକିଂ ସୁବିଧାର ପ୍ରଚଳନ, ଆଡ୍‌ଭାନ୍ସଡ ଡ୍ରାଇଭର୍ ଆସିଷ୍ଟାଣ୍ଟ ସିଷ୍ଟମ୍‌ ବ୍ୟବହାର, ଗ୍ରିଡ୍‌କୋ ଓ ଏନ୍‌ଟିପିସି ସହଯୋଗରେ ତିନିଟି ହାଇଡ୍ରୋଜେନ୍ ଚାଳିତ ବସ୍‌ ଚଳାଚଳ ଉପରେ ମନ୍ତ୍ରୀ ଆଲୋଚନା କରିଥିଲେ।

Advertisment

କ୍ରୁଟ୍‌ ସେବାର ସମୀକ୍ଷା କଲେ ନଗର ଉନ୍ନୟନ ମନ୍ତ୍ରୀ
ଡିଜିଟାଲ୍‌ ଯାତ୍ରୀ ଟିକେଟ୍‌ ସେବାକୁ ଗୁରୁତ୍ବ

କ୍ରୁଟ୍ ପରିଚାଳନା ନିର୍ଦ୍ଦେଶକ ଡା. ଥିରୁମାଲା ନାୟକ କଟକର ନରାଜ, ଭୁବନେଶ୍ୱରର ପୋଖରୀପୁଟ, ରାଉରକେଲାର ଛେଣ୍ଡ, ବ୍ରହ୍ମପୁରର ହଳଦିଆପଦର ଓ ସମ୍ବଲପୁରରେ ଇଲେକ୍ଟ୍ରିକ୍ ଡିପୋ ନିର୍ମାଣର ଅଗ୍ରଗତି ବିଷୟରେ ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ପ୍ରଥମ ପର୍ଯ୍ୟାୟରେ ଆରମ୍ଭ ହେବାକୁ ଥିବା ୪ ଜିଲ୍ଲାରେ ‘ଆମ ବସ୍’ ସେବା ପରିଚାଳନା ପାଇଁ ସମ୍ପ୍ରସାରଣ ଯୋଜନାର ବିବରଣୀ ପ୍ରଦାନ କରିଥିଲେ। ଏହି ଅବସରରେ ମନ୍ତ୍ରୀ ଡ. ମହାପାତ୍ର କମାଣ୍ଡ୍‌ ଆଣ୍ଡ୍ କଣ୍ଟ୍ରୋଲ ସେଣ୍ଟର ପରିଦର୍ଶନ କରିଥିଲେ। ଓଡ଼ିଶାର ଯାତ୍ରୀ ଓ କ୍ରୁଟ୍ ପାଇଁ ରିଅଲ୍ ଟାଇମ୍ ବସ୍ ଟ୍ରାକିଂ, ଯାତ୍ରୀ ଅଭିଯୋଗ ସମାଧାନ ବ୍ୟବସ୍ଥାର ଅନୁଧ୍ୟାନ କରିଥିଲେ।  ବସ୍‌ରେ ବିନା ଟିକେଟ୍‌ରେ ଯାତ୍ରା କରୁଥିବା ଯାତ୍ରୀଙ୍କ ଉପରେ କଡ଼ା ନଜର ରଖିବାକୁ ନିର୍ଦ୍ଦେଶ ଦେଇଥିଲେ।  ରାଜ୍ୟର ଚାରି ସରକାରୀ ଭାରୀଯାନ ଚାଳନା ତାଲିମ ପ୍ରତିଷ୍ଠାନରେ ସମସ୍ତ ଡ୍ରାଇଭରଙ୍କ ପାଇଁ ବାଧ୍ୟତାମୂଳକ ରିଫ୍ରେସ୍‌ର ତାଲିମ ଉପରେ ଗୁରୁତ୍ୱ ଦେଇଥିଲେ। ମନ୍ତ୍ରୀ ଡିଜିଟାଇଜେସନ୍ ପଦକ୍ଷେପଗୁଡ଼ିକର ସମୀକ୍ଷା ମଧ୍ୟ କରିଥିଲେ। ଚଳିତ ବର୍ଷ ଶେଷ ସୁଦ୍ଧା ଅନ୍‌ଲାଇନ୍ ଟିକେଟି ବୁକିଂରେ ସମୁଦାୟ ଯାତ୍ରୀଙ୍କର ୫୦ ପ୍ରତିଶତ ପର୍ଯ୍ୟନ୍ତ ଲକ୍ଷ୍ୟ ରଖି ଡିଜିଟାଲ୍ କାରବାର ବୃଦ୍ଧି କରିବା ଉପରେ ଗୁରୁତ୍ୱାରୋପ କରିଥିଲେ।

ସୂଚନାଯୋଗ୍ୟ, ବର୍ତ୍ତମାନ କ୍ରୁଟ୍ କଟକ, ପୁରୀ, ଭୁବନେଶ୍ୱର, ରାଉରକେଲା, ବ୍ରହ୍ମପୁର ଓ ସମ୍ବଲପୁରରେ ୧୦୬ଟି ରୁଟ୍‌ରେ ୫୬୦ଟି ‘ଆମ ବସ୍’ ଚଲାଉଛି। ଯେଉଁଥିରେ ୩୮୦ଟି ଡିଜେଲ ଓ ୧୮୦ଟି ଇଲେକ୍ଟ୍ରିକ୍‌ ବସ୍‌ ରହିଛି। ଆଜିର ଏହି ସମୀକ୍ଷା ବୈଠକରେ କ୍ରୁଟ୍ ମହାପ୍ରବନ୍ଧକ ସଞ୍ଜୟ ବିଶ୍ୱାଳ, ମହାପ୍ରବନ୍ଧକ ସହଦେବ ସମଧିଆଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।