ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟ ତଥା ବାଣୀବିହାର କ୍ୟାମ୍ପସରେ ଯୋଡ଼ିହେଲା ‘ଡିଜିଟାଲ ପପୁଲେସନ କ୍ଲକ’। ପ୍ରତି ସେକେଣ୍ଟରେ ଭାରତର ଜନସଂଖ୍ୟା ବିଷୟରେ ଏଥିରୁ ତଥ୍ୟ ମିଳିପାରିବ। ଛାତ୍ରଛାତ୍ରୀଙ୍କ ସମେତ ସାଧାରଣ ଜନତା ମଧ୍ୟ କ୍ୟାମ୍ପସ ପରିସରରେ ଲାଗିଥିବା ଏହି କ୍ଲକ ମାଧ୍ୟମରେ ଦେଶର ଜନସଂଖ୍ୟା ଜାଣିପାରିବେ। ଓଡ଼ିଶାର ଜନସଂଖ୍ୟା ମଧ୍ୟ ଏଠାରେ ଉପଲବ୍ଧ ହୋଇଛି। ଜନସଂଖ୍ୟା ଗବେଷଣା କେନ୍ଦ୍ର ଓ ଜନସଂଖ୍ୟା ଅଧ୍ୟୟନ ଭାରତୀୟ ସଂଘ(ଆଇଏଏସପି)ର ମିଳିତ ସହଯୋଗରେ ‘ଜନସଂଖ୍ୟା, ସ୍ୱାସ୍ଥ୍ୟ ଏବଂ ବିକାଶ: ପୂର୍ବ ଭାରତର ଦୃଷ୍ଟିକୋଣ’ ଶୀର୍ଷକ ପୂର୍ବାଞ୍ଚଳ ଆଞ୍ଚଳିକ ସମ୍ମିଳନୀ ଅବସରରେ ଏହାକୁ ଉଦ୍ଘାଟନ କରାଯାଇଛି। କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦେଶକ କୁମାର ସୁନ୍ଦରମ ଓ ଉପନିର୍ଦେଶକ ବିଶାଖା ସିଂ ରାଠୋର ଅତିଥି ଭାବେ ଯୋଗଦେଇ ଏହାକୁ ଲୋକାର୍ପିତ କରିଥିଲେ। ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ମୁଖ୍ୟଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିବା ସହ ‘ଡିଜିଟାଲ ପପୁଲେସନ କ୍ଲକ’ ଉପରେ ମତପ୍ରକାଶ କରିଥିଲେ।
ଅନ୍ୟପକ୍ଷରେ ସୈନିକ ସ୍କୁଲ-ଆଚାର୍ଯ୍ୟବିହାର ରାସ୍ତା ପାର୍ଶ୍ବରେ ଥିବା ବିଶ୍ବବିଦ୍ୟାଳୟର ଦ୍ବିତୀୟ ପ୍ରବେଶ ପଥର ନବକଳେବର ହୋଇଛି। କଂକ୍ରିଟ୍ ଖୁଣ୍ଟ ନିର୍ମାଣ ସହ ପ୍ରବେଶ ଓ ପ୍ରସ୍ଥାନ ପାଇଁ ଅଲଗା ଅଲଗା ରାସ୍ତା ରଖାଯାଇଛି। ବଡ଼ ଗାଡ଼ି ଯେପରି ଯିବା ଆସିବା କରିପାରିବ ତାହାକୁ ନଜରରେ ରଖି ଏହି ପ୍ରବେଶ ପଥ ନିର୍ମାଣ କରାଯାଇଛି। ନୀଳ ରଙ୍ଗ ଉପରେ ଧଳାରେ ଉତ୍କଳ ବିଶ୍ବବିଦ୍ୟାଳୟ ଲେଖାଯିବା ସହ ରାତିରେ ପ୍ରବେଶ ପଥର ଆଲୋକୀକରଣ ବେଶ ଆକର୍ଷଣୀୟ ହୋଇଛି। ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ କହିବା କଥା ହେଉଛି ଯେ ଛୋଟ ଫାଟକ ରହିଥିବାରୁ ଭିଭିଆଇପିଙ୍କ ଗସ୍ତ ସମୟରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଥିଲା। ତେଣୁ ପ୍ରବେଶ ପଥର ନବକଳେବର କରିବାକୁ କୁଳପତି ପ୍ରଫେସର ଆଚାର୍ଯ୍ୟଙ୍କ ନିର୍ଦ୍ଦେଶକ୍ରମେ ୨୦୨୩ ମସିହାରେ ନିଷ୍ପତ୍ତି ହୋଇଥିଲା। ୬ ମାସ ମଧ୍ୟରେ କାମ ଶେଷ କରିବାକୁ ଠିକାଦାରଙ୍କୁ କୁହାଯାଇଥିଲେ ମଧ୍ୟ ବିଭିନ୍ନ କାରଣ ପାଇଁ ସେ ବିଳମ୍ବ କରିଥିଲେ। ତିନି ମାସ ତଳେ ଏନେଇ ତାଗିଦ୍ କରାଯିବା ପରେ ତତ୍ପରତା ପ୍ରକାଶ ପାଇଥିଲା। ଏବେ କାମ ଶେଷ ହୋଇଛି। ଲୋକଙ୍କ ଚଳପ୍ରଚଳ ହେଉଛି।