ଭୁବନେଶ୍ୱର: ଗ୍ରାମାଞ୍ଚଳର ହାଇସ୍କୁଲ୍ ଛାତ୍ରଛାତ୍ରୀ, ଯୁବ ଓ କ୍ଷୁଦ୍ର ଉଦ୍ୟୋଗୀ ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ(ଏସ୍ଏଚ୍ଜି) ସଦସ୍ୟାମାନଙ୍କୁ କମ୍ପ୍ୟୁଟର ସମ୍ବନ୍ଧୀୟ ମୌଳିକ ଶିକ୍ଷା ଦେବା ନିମନ୍ତେ ଡିଜିଟାଲ୍ ବସ୍ ‘ଓ୍ଵାର୍ଲଡ୍ ଅନ୍ ହ୍ଵିଲ୍ସ୍’ର ଶୁଭାରମ୍ଭ ହୋଇଛି। ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବସ୍ ସେବାକୁ ଲୋକାର୍ପଣ କରିଥିଲେ। ଏହି ଡିଜିଟାଲ୍ ଶିକ୍ଷା ଅଭିଯାନରେ ଗ୍ରାମାଞ୍ଚଳର ୭ ହଜାରରୁ ଅଧିକ ଛାତ୍ରଛାତ୍ରୀ, କ୍ଷୁଦ୍ର ଉଦ୍ୟୋଗୀ ଓ ମହିଳାମାନେ ଉପକୃତ ହୋଇପାରିବେ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକଟ କରିଥିଲେ। ସ୍ୱେଚ୍ଛାସେବୀ ସଂସ୍ଥା ସିଓ୍ଵାଇଏସ୍ଡି ଏବଂ ଏଣ୍ଟର୍ପ୍ରିନ୍ୟୁର୍ସିପ୍ ଡେଭେଲପ୍ମେଣ୍ଟ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ(ଇଡିଆଇଆଇ)ର ମିଳିତ ସହଯୋଗରେ ଏହି ଗାଡ଼ି ପ୍ରଥମ ପର୍ଯ୍ୟାୟରେ ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ବୁଲିବ। ଏଚ୍ପି ଇଣ୍ଡିଆ ଦ୍ୱାରା ଯୋଗାଇ ଦିଆଯାଇଥିବା ଡିଜିଟାଲ୍ ବସ୍ରେ ୨୦ ଜଣ ଏକକାଳୀନ ଭାବେ କମ୍ପ୍ୟୁଟର୍, ଇଣ୍ଟର୍ନେଟ୍ ସମ୍ବନ୍ଧରେ ମୌଳିକ ଶିକ୍ଷା ଗ୍ରହଣ କରିପାରିବେ। ସୌରଶକ୍ତି ଚାଳିତ ଏହି ଅତ୍ୟାଧୁନିକ ବସ୍ଟି ପ୍ରତି ପଞ୍ଚାୟତକୁ ଯାଇ କମ୍ପ୍ୟୁଟର ଶିକ୍ଷା ପ୍ରଦାନ କରିବ। ଲୋକାର୍ପଣ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସମାଜସେବୀ ତଥା ପୂର୍ବତନ ସୂଚନା କମିସନର୍ ଜଗନଦାନନ୍ଦ କହିଲେ, ଏହି ଗାଡ଼ି ମାଧ୍ୟମରେ କମ୍ପ୍ୟୁଟର୍ ଶିକ୍ଷା ପ୍ରଦାନ କରାଯିବା ସହ ସ୍ୱାସ୍ଥ୍ୟ, ଶିକ୍ଷା, ଜଳ ଓ ପରିମଳ ପରି ସମ୍ବେଦନଶୀଳ ସାମାଜିକ ସମସ୍ୟା ଦିଗରେ ସଚେତନତା ବୃଦ୍ଧି କରାଯିବ। କାର୍ଯ୍ୟକ୍ରମରେ ସିଓ୍ଵାଇଏସ୍ଡିର ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ସାହୁ, ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅଧିକାରୀ ନୀଳାଦ୍ରି ବିହାରୀ ସାହୁ, ଇଡିଆଇଆଇର ଆଞ୍ଚଳିକ ସଂଯୋଜକ ଚିତ୍ତରଞ୍ଜନ ପଟ୍ଟନାୟକ ଏବଂ ଏଚ୍ପି ଇଣ୍ଡିଆର ପ୍ରତିନିଧି ପି ଶ୍ରୀନିବାସ ପ୍ରମୁଖ ଉପସ୍ଥିତ ଥିଲେ।
ଡିଜିଟାଲ୍ ଶିକ୍ଷା ଗାଡ଼ିର ଶୁଭାରମ୍ଭ
/sambad/media/post_attachments/wp-content/uploads/2018/04/m1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)