ଭୁବନେଶ୍ବର,: ରାଜ୍ୟ ଗ୍ରନ୍ଥାଗାର ଉପରେ ନିର୍ଭରଶୀଳ ଛାତ୍ରଛାତ୍ରୀଙ୍କୁ ବହି ପଢ଼ିବା ପାଇଁ ଆଉ ଦହଗଞ୍ଜ ହେବାକୁ ପଡ଼ିବ ନାହିଁ। ଏବେ ଯେତେବେଳେ, ଯେଉଁ ମୁହୂର୍ତରେ, ଯେଉଁ ବହି ସେମାନେ ପଢ଼ିବାକୁ ଚାହିବେ, ସେସବୁ ୱେବ୍ସାଇଟ୍ରୁ ଡାଉନ୍ଲୋଡ୍ କରି ପଢ଼ି ପାରିବେ। ହରେକୃଷ୍ଣ ମହତାବ ପାଠାଗାରରେ ମହଜୁଦ ୨ ଲକ୍ଷ ୩୫ ହଜାର ବହିକୁ ଡିଜିଟାଇଜେସନ୍ କରାଯାଇ ଏଭଳି ସୁବିଧା ଉପଲବ୍ଧ କରାଯିବ। ତେବେ ଏହା ପର୍ଯ୍ୟାୟ ଭିତ୍ତିରେ କରାଯିବ। ଏଥିପାଇଁ ୨ବର୍ଷରୁ ଊର୍ଧ୍ବ ସମୟ ଲାଗିବ। ଏହି ଗ୍ରନ୍ଥାଗାରରେ କେଉଁ ଲେଖଙ୍କର କେଉଁ ବହି ଅଛି, ତାହା ବିଶ୍ବର ଯେକୌଣସି କୋଣରେ ଥାଇ ମଧ୍ୟ ଜଣେ ସୂଚନା ହାସଲ କରିପାରିବ।
ପ୍ରଥମ ପର୍ଯ୍ୟାୟରେ କେବଳ ବହିଗୁଡ଼ିକର ନାମ ଓ ବହିର ଲେଖକଙ୍କ ନାମ ସମ୍ପର୍କିତ ସୂଚନା ଉପଲବ୍ଧ ହେବ। ବହିଗୁଡ଼ିକୁ ବିଭିନ୍ନ ବିଭାଗ ଆଧାରରେ ସୂଚିତ କରାଯିବ। ଏହା ଦୁଇଟି ବାଟରେ ପାଠକଙ୍କୁ ସହାୟ ହେବ। ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀ ଓ ଗବେଷକମାନେ ସ୍ବଳ୍ପ ସମୟରେ ବହି ସମ୍ବନ୍ଧରେ ନିର୍ଦ୍ଦିଷ୍ଟ ସୂଚନା ପାଇଁ ଏହି ପାଠାଗାରକୁ ଆସି ବହିର ସହାୟତା ନେଇପାରିବେ। ପଢ଼ା ବହି ବ୍ୟତୀତ ବହୁ ବିରଳ ପୁସ୍ତକ ମହଜୁଦ ଥିବାରୁ ଏହା ଅନ୍ତତଃ ଗବେଷକଙ୍କ କ୍ଷେତ୍ରରେ ବେଶି ସହାୟକ ହେବ। କେବଳ ସେତିକି ନୁହେଁ, ଗ୍ରନ୍ଥାଗାର ପରିସରରେ ଏକ କିଓସ୍କ ସ୍ଥାପନ କରାଯିବ। କିଓସ୍କର ସହାୟତା ନେଇ ଜଣେ ଯେଉଁ ପ୍ରକାରର ବହି ପଢ଼ିବାକୁ ଚାହୁଛି, ତାହା ସେ ସିଧାସଳଖ ସେଇ ବିଭାଗକୁ ଯାଇ ତାହା ମାଗି ପଢ଼ି ପାରିବ। ଦ୍ବିତୀୟତଃ ସେ ଖୋଜୁଥିବା ବହିଟି ବାବଦରେ ଯଦି ପାଠକକୁ ଜଣାଥାଏ, ତେବେ ସେଇ ବହିଟିର ନାମ ଲେଖିବା ପରେ ତାହା ଅଛି କି ନାହିଁ କିଓସ୍କରୁ ହିଁ ସେ ସ୍ପଷ୍ଟ ହୋଇପାରିବ।
ଏପର୍ଯ୍ୟନ୍ତ ଅନ୍ଲାଇନ୍ ମାଧ୍ୟମରେ ୧୬ ହଜାର ବହିର ଶୀର୍ଷକ ଓ ଲେଖକଙ୍କ ନାମ ଅପ୍ଲୋଡ୍ ସରିଥିବା ବେଳେ ମାର୍ଚ ଶେଷ ସୁଦ୍ଧା ପ୍ରାୟ ୪୦ ହଜାର ବହିକୁ ଲେଖକଙ୍କ ନାମ ସହ ସୂଚୀତ କରାଯିବ। ପର୍ଯ୍ୟାୟକ୍ରମେ ସମସ୍ତ ବହିର ନାମ ସୂଚୀତ କରାଯିବ। ଫଳରେ ଜଣେ ବିଶ୍ବର ଯେକୌଣସି କୋଣରେ ଥାଇ ଏଠାରେ କେଉଁ ବହି ଉପଲବ୍ଧ ଅଛି ତାହା ଜାଣିପାରିବ ଏବଂ ନିଜେ ଆବଶ୍ୟକ କରୁଥିବା ବହିରୁ ଉପକୃତ ହୋଇପାରିବ। ଏହା ବ୍ୟତୀତ ଜିଲ୍ଲାସ୍ତରର ଗ୍ରନ୍ଥାଗାରରେ ମହଜୁଦ ବହି ସମ୍ପର୍କିତ ସୂଚନା ମଧ୍ୟ ଡିଜିଟାଇଜେସନ୍ କରାଯିବ। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଧୀରେଧୀରେ ସମ୍ପୂର୍ଣ୍ଣ ବହିକୁ ମଧ୍ୟ ଡିଜିଟାଇଜେସନ୍ କରାଯିବ। ତେବେ ୨ ଲକ୍ଷ ୩୫ ହଜାର ବହି ଥିବାରୁ ଏହା ସରିବା ବେଳକୁ ପାଖାପାଖି ୨ବର୍ଷରୁ ଅଧିକ ସମୟ ଲାଗି ଯାଇପାରେ ବୋଲି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ନିର୍ଦେଶକ ବିଜୟ ନାୟକ କହିଛନ୍ତି।
ଏହି ଯୋଜନାକୁ ସାକାର କରିବା ପାଇଁ କେନ୍ଦ୍ର ସରକାରଙ୍କ ନ୍ୟାସ୍ନାଲ୍ ମିସନ୍ ଅଫ୍ ଲାଇବ୍ରେରିଜ୍ ସହଯୋଗ ଯୋଗାଇ ଦେଇଛି ବୋଲି ଜଣାପଡ଼ିଛି। ଏଥିପାଇଁ ପ୍ରାୟ ୧ କୋଟି ଟଙ୍କାର ବ୍ୟୟବରାଦ ରହିଛି। ପ୍ରାଥମିକ ପର୍ଯ୍ୟାୟରେ ଆସିଥିବା ୯ଟି କମ୍ପ୍ୟୁଟରରେ ଏହାର କାର୍ଯ୍ୟ ଆରମ୍ଭ ହୋଇଛି। ନ୍ୟାସ୍ନାଲ୍ ମିସନ ଅଫ୍ ଲାଇବ୍ରେରିଜ୍ ପକ୍ଷରୁ ଏଥିପାଇଁ ଏକ ସଫ୍ଟୱେର୍ ଯୋଗାଇ ଦିଆଯାଇଛି। ବାର୍ଷିକ ପ୍ରାୟ ୪ ହଜାରରୁ ଅଧିକ ବହି ଏହି ଗ୍ରନ୍ଥାଗାରକୁ ଉପହାର ଆକାରରେ ଆସୁଥିବା ବେଳେ ବର୍ଷକୁ ପାଖାପାଖି ୧୫ଶହ ପୁସ୍ତକ କିଣାଯାଉଛି। ୪୧୬ ସିଟ୍ ବିଶିଷ୍ଟ ଏହି ଗ୍ରନ୍ଥାଗାରରେ ଛାତ୍ରଛାତ୍ରୀମାନେ ପର୍ଯ୍ୟାୟକ୍ରମେ ଆସି ପଢ଼ୁଛନ୍ତି। ସିଟ୍ ସଂଖ୍ୟା ସୀମିତ ଥିବାରୁ ବେଳେବେଳେ ଅନେକ ଛାତ୍ରଛାତ୍ରୀଙ୍କୁ ସ୍ଥାନାଭାବରୁ ନିରାଶ ହେବାକୁ ପଡ଼ୁଛି। ତେଣୁ ୱେବ୍ସାଇଟ୍ରେ ବହି ଉପଲବ୍ଧ ହେଲେ ଅନେକ ଛାତ୍ରଛାତ୍ରୀ ଉପକୃତ ହୋଇପାରିବେ। ଏଥିସହ ଲିଫ୍ଟ କାମ ସମ୍ପୂର୍ଣ୍ଣ ହେବା ପରେ ନବ ନିର୍ମିତ ଗ୍ରନ୍ଥାଗାର ପଢ଼ାଗୃହ ଉପଲବ୍ଧ ହେବ ବୋଲି ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ଯୁଗ୍ମ ଶାସନ ସଚିବ ଲିପ୍ସା ଦାସ କହିଛନ୍ତି।