ଭୁବନେଶ୍ବର: ଶ୍ରୀହନୁମାନ ଭକ୍ତ ମଣ୍ଡଳୀର ପୂର୍ବତନ ସମ୍ପାଦକ ତଥା ସମାଜସେବୀ ଦିଲ୍ଲୀପ କୁମାର ମହାନ୍ତିଙ୍କର ଗତ ୨ ତାରିଖ ରାତିରେ ହୃଦ୍ଘାତରେ ତାଙ୍କ ବୁଦ୍ଧନଗରସ୍ଥିତ ବାସଭବନରେ ପରଲୋକ ହୋଇଛି। ତାଙ୍କୁ ୬୮ବର୍ଷ ହୋଇଥିଲା। ମୃତ୍ୟୁଶଯ୍ୟା ନିକଟରେ ତାଙ୍କ ପତ୍ନୀ, ପୁଅ, ବୋହୂ ଉପସ୍ଥିତ ଥିଲେ।
ସେ ଜଣେ ସ୍ନେହୀ, ପରୋପକାରୀ, ଈଶ୍ବରବିଶ୍ବାସୀ ଥିଲେ। ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିଲା। ହନୁମାନ ଭକ୍ତମଣ୍ଡଳୀର ସମସ୍ତ ସଦସ୍ୟ, ସ୍ଥାନୀୟ କର୍ପୋରେଟର୍ଙ୍କ ସମେତ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ଶେଷଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପୁରୀ ସ୍ବର୍ଗଦ୍ବାରରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ତାଙ୍କ ଏକମାତ୍ର ପୁଅ ମୁଖାଗ୍ନି ଦେଇଥିଲେ। ତାଙ୍କ ମୃତ୍ୟୁରେ ଶ୍ରୀହନୁମାନ ଭକ୍ତମଣ୍ଡଳୀ ପକ୍ଷରୁ ଗଭୀର ଶୋକ ପ୍ରକାଶ ପାଇଛି। ମଣ୍ଡଳୀ ପାଇଁ ତାଙ୍କ ବିୟୋଗ ଏକ ଅପୂରଣୀୟ କ୍ଷତି ଏବଂ ତାଙ୍କ ଆତ୍ମା ଚିରଶାନ୍ତି ଲଭୁ ବୋଲି ସଭାପତି ଚିତ୍ରାଙ୍ଗଦା ପ୍ରଧାନ ଏକ ଶୋକବାର୍ତ୍ତାରେ କହିଛନ୍ତି।