ଆରପାରିରେ ଚଳଚ୍ଚିତ୍ର ନିର୍ଦେଶକ ଦିଲ୍ଲୀପ ପଟ୍ଟନାୟକ

ସାକାର ହେଲାନି ‘ଚନ୍ଦ୍ରଗ୍ରହଣ’ର ସ୍ବପ୍ନ

ଭୁବନେଶ୍ବର: ଚଳଚ୍ଚିତ୍ର ନିର୍ଦେଶକ ଦିଲ୍ଲୀପ ପଟ୍ଟନାୟକ ଆଉ ନାହାନ୍ତି। ୬୩ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଯାଇଛି। ଦୀର୍ଘଦିନ ରୋଗଶଯ୍ୟାରେ ରହିବା ପରେ ଗତକାଲି ତାଙ୍କର ଅଙ୍ଗ ପ୍ରତ୍ୟଙ୍ଗ ଅଚଳ ହୋଇଯାଇଥିଲା। ପରେ ତାଙ୍କୁ ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁରୀ ଜିଲ୍ଲା ସାକ୍ଷୀଗୋପାଳସ୍ଥିତ ‘ନଡ଼ାଖଣ୍ଡ’ ଗ୍ରାମରେ ୧୯୫୫ ମସିହାରେ ଜନ୍ମିତ ଶ୍ରୀ ପଟ୍ଟନାୟକ ଲକ୍ଷ୍ମୀସାଗରରେ ରହୁଥିଲେ। ଓଡ଼ିଆ ଚଳଚ୍ଚିତ୍ର ‘ମାୟା ମିରିଗ’ ଓ ‘ଉଲ୍‌କା’ ଚଳଚ୍ଚିତ୍ରର ମୁଖ୍ୟ ସହକାରୀ ନିର୍ଦେଶକ ଭାବେ ଦାୟିତ୍ବ ତୁଲାଇଥିଲେ। ନିଜସ୍ବ ନିର୍ଦେଶିତ ‘ନୀଳମାଧବ’ ୨୦୧୦ ମସିହାରେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଥିଲା। ବିଶିଷ୍ଟ କଣ୍ଠଶିଳ୍ପୀ ସୁନନ୍ଦା ପଟ୍ଟନାୟକଙ୍କ ନିଜସ୍ବ ସୃଷ୍ଟିର ରାଗ ନୀଳମାଧବକୁ ନେଇ ସେ ଏହି କଳାତ୍ମକ ଚଳଚ୍ଚିତ୍ର ନିର୍ମାଣ କରିଥିଲେ। ପୁନେର ‘ଫିଲ୍ମ ଆଣ୍ଡ୍‌ ଟେଲିଭିଜନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ଇଣ୍ଡିଆ’ରୁ ଉତ୍ତୀର୍ଣ୍ଣ ହେବା ପରେ ‘ବିହାର ଫିଲ୍ମ ଡିଭିଜନ୍‌’ରେ ଚାକିରି କରିଥିଲେ। ମାତ୍ର ଫିଲ୍ମ କରିବାର ନିଶା ତାଙ୍କୁ ଚାକିରିରେ ବାନ୍ଧି ପାରିନଥିଲା। ଚାକିରି ଛାଡ଼ି ଚଳଚ୍ଚିତ୍ର ନିର୍ମାଣରେ ଲାଗିଥିଲେ। ତେବେ ତାଙ୍କ ନିର୍ମିତ ଚଳଚ୍ଚିତ୍ର ‘ଚନ୍ଦ୍ରଗ୍ରହଣ’ ସୁଟିଂ କାମ ସରିଥିଲେ ବି କୌଣସି କାରଣ ବଶତଃ ଏହାର ରିଲ୍‌ ନମିଳିବାରୁ ତାଙ୍କ ଜୀବନରେ ଯେମିତି ଗ୍ରହଣ ଲାଗି ଯାଇଥିଲା। ତାଙ୍କର ଦେଖାରଖା କରୁଥିବା ସୁଦର୍ଶନ ମିଶ୍ରଙ୍କ କହିବା ମୁତାବକ, ସେ ଏହି ଚଳଚ୍ଚିତ୍ର ପାଇଁ ପୁରୀ ଅଜାଘର ସମ୍ପତ୍ତି, ନିଜର ସମ୍ପତ୍ତି, ମା’ଙ୍କ ସୁନା ଅଳଙ୍କାର ସବୁକିଛି ବିନିଯୋଗ କରି ଦେଇଥିଲେ। ରଘୁବୀର ଯାଦବ ଏହି ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଥିଲେ। କିନ୍ତୁ ଚଳଚ୍ଚିତ୍ରର ରିଲ୍ ନମିଳିବାରୁ ସେ ଭାଙ୍ଗି ପଡ଼ିଥିଲେ। ପରେ ରବିଶଙ୍କର ରଥଙ୍କ ପ୍ରଯୋଜନାରେ ଆଉ ଏକ ଚଳଚ୍ଚିତ୍ର କାମ ଆରମ୍ଭ କରିଥିଲେ। ଫିଲ୍ମର ସ୍କ୍ରିପ୍ଟ ଲେଖା ସରିଥିଲା। କିନ୍ତୁ ଆରମ୍ଭ ପୂର୍ବରୁ ସେ ଚାଲିଗଲେ। ମା’ ବାପାଙ୍କର ଏକ ମାତ୍ର ସନ୍ତାନ ଥିଲେ ମଧ୍ୟ ସେ ବିବାହ କରିନଥିଲେ। ଆଜି ସତ୍ୟନଗର ଶ୍ମଶାନରେ ତାଙ୍କର ଶେଷକୃତ୍ୟ କରାଯାଇଥିଲା।

ସମ୍ବନ୍ଧିତ ଖବର