‘ବିଶିଷ୍ଟ ରାଜନେତା ଓ ସଫଳ ଉଦ୍ୟୋଗୀ ଦିଲ୍ଲୀପ ରାୟ’ ଶୀର୍ଷକ ଆଲୋଚନାଚକ୍ର

ଭୁବନେଶ୍ବର: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କ ଜୟନ୍ତୀ ଅବସରରେ ଦିଲ୍ଲୀପ ରାୟ ଜୟନ୍ତୀ କମିଟି ପକ୍ଷରୁ ‘ବିଶିଷ୍ଟ ରାଜନେତା ଓ ସଫଳ ଉଦ୍ୟୋଗୀ ଦିଲ୍ଲୀପ ରାୟ’ ଶୀର୍ଷକ ଆଲୋଚନାଚକ୍ର ଆଜି ଜୟଦେବ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶୀ ନୃତ୍ୟଶିଳ୍ପୀ ଡୋନା ଗାଙ୍ଗୁଲି ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଲେ, ଶ୍ରୀ ରାୟ ହେଉଛନ୍ତି ଜଣେ ଦରଦୀ ମଣିଷ। ହୋଟେଲ ଶିଳ୍ପ ମାଧ୍ୟମରେ ଓଡ଼ିଶା ତଥା ଭାରତର ପର୍ଯ୍ୟଟନ କ୍ଷେତ୍ରରେ ତାଙ୍କର ବିଶେଷ ଅବଦାନ ରହିଛି। ମୁଖ୍ୟବକ୍ତା ଭାବେ ପ୍ରଫେସର ସୂର୍ଯ୍ୟନାରାୟଣ ମିଶ୍ର ଯୋଗ ଦେଇ କହିଲେ, ଶ୍ରୀ ରାୟ ଜଣେ ଦକ୍ଷ ରାଜନେତା। ସ୍ରୋତର ପ୍ରତିକୂଳରେ ଥାଇ ମଧ୍ୟ ସେ ସଫଳ ହୋଇଛନ୍ତି। ବିଧାୟକ ଭାବେ ବିଜୟ ଲାଭ କରିବା ସହ ସ୍ବାଧୀନ ସାଂସଦ ଭାବେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ଏଥିରୁ ତାଙ୍କ କାର୍ଯ୍ୟଦକ୍ଷତା ଓ ଲୋକପ୍ରିୟତା ସ୍ପଷ୍ଟ ହେଉଛି। ସମ୍ମାନିତ ଅତିଥି ଭାବେ ପୂର୍ବତନ ସୂଚନା କମିସନର୍‌ ଜଗଦାନନ୍ଦ ଉପସ୍ଥିତ ରହି କହିଲେ, ବିନମ୍ରତା, ପତିବଦ୍ଧତା, ନିଷ୍ଠା, ସ୍ବାସ୍ଥ୍ୟ ଓ ଅହଂ ଭାବ ପରିତ୍ୟାଗ ଭଳି ଗୁଣ ଜଣେ ସଫଳ ବ୍ୟକ୍ତିତ୍ବର ଲକ୍ଷଣ। ଏସବୁ ଗୁଣ ଶ୍ରୀ ରାୟଙ୍କ ପାଖରେ ଦେଖାଯାଏ। ଅନ୍ୟତମ ଅତିଥି ଭାବେ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ ଓ ଶ୍ରୀ ରାୟଙ୍କ ରାଜନୈତିକ ସଚିବ ଦୁର୍ଗା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ନାୟକ, ସୁର ରାଉତରାୟ ଓ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ପ୍ରମୁଖ ଯୋଗ ଦେଇଥିଲେ। ସଭାରେ କମିଟିର ସଭାପତି ସୁଶୀଲ ରାୟ ସଭାପତିତ୍ବ କରିଥିଲେ। ସମ୍ପାଦକ ଅମିତ ମଲ୍ଲିକ ସ୍ବାଗତ ଭାଷଣ ଦେଇଥିଲେ। ପୂର୍ବତନ କର୍ପୋରେଟର ସମରେନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥି‌ଲେ। କାର୍ଯ୍ୟକ୍ରମରେ ଶିବକୁମାର ନାୟକ, ଦାମୋଦର ସ୍ବାଇଁ, ଇଷ୍ଟର୍ଣ୍ଣ ‌ମିଡିଆ ଡିଜିଟାଲ୍‌ର ମହାପ୍ରବନ୍ଧକ ବିନୋଦ ପଣ୍ଡା, ଅମୂଲ୍ୟ ଉପାଧାୟ, ଶାନ୍ତ୍ବନୁ ସାହୁ, ଭଗବାନ ସାହୁ, ସୁରେନ୍ଦ୍ର ମିଶ୍ର, ମନୋଜ ପରିଡ଼ା, ଚନ୍ଦନ ଦାସ, ଗୌରହରି ପ୍ରଧାନ, ଅଜିତ ସାହୁ ଓ ତାରାକାନ୍ତ ଶତପଥୀ ପ୍ରମୁଖ ସଭା ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର