ଦିଲ୍ଲୀପ ରାୟଙ୍କ ଜୟନ୍ତୀ: ସଫଳ ବ୍ୟକ୍ତିଙ୍କ ପଛରେ ଗୁରୁଜନଙ୍କ ଆଶୀର୍ବାଦ ରହିଥାଏ: ଗୋବିନ୍ଦା

ଭୁବନେଶ୍ବର: ଜଣେ ବ୍ୟକ୍ତି ସଫଳ ହେବା ପଛରେ ଗୁରୁଜନଙ୍କ ଆଶୀର୍ବାଦ ରହିଥାଏ। ପିତାମାତା ହୁଅନ୍ତୁ କିମ୍ବା ଶିକ୍ଷକ କି କୁଳଦେବତାଙ୍କ ଆଶୀର୍ବାଦ ବଳରେ ଜଣେ ବ୍ୟକ୍ତି ଜୀବନରେ ଉଚ୍ଚ ସୋପନରେ ପହଞ୍ଚି ପାରିଥାଏ ବୋଲି କହିଛନ୍ତି ବଲିଉଡ୍‌ ସୁପରଷ୍ଟାର ଗୋବିନ୍ଦା ଆହୁଜା।

ଆଜି ରାଜ୍ୟସ୍ତରୀୟ ଦିଲ୍ଲୀପ ରାୟ ଜୟନ୍ତୀ କମିଟି ପକ୍ଷରୁ ରାଜନେତା ତଥା ସଫଳ ଉଦ୍ୟୋଗୀ ଦିଲ୍ଲୀପ ରାୟଙ୍କ ଜନ୍ମଦିନ ପାଳନ ଅବସରରେ ଏକଥା କହିଛନ୍ତି ଅଭିନେତା ଗୋବିନ୍ଦା‌। ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗୋବିନ୍ଦା କହିଲେ, ମୁଁ ରିଲ୍ ଲାଇଫ୍‌ର ହିରୋ ହୋଇଥିଲେ ହେଁ ସବୁବେଳେ ରିଅଲ ବା ପ୍ରକୃତ ହିରୋଙ୍କୁ ସମ୍ମାନ ଦେଇଥାଏ। ସେ ଦିଲ୍ଲୀପ ରାୟଙ୍କ ସମ୍ପର୍କରେ ମତ ଦେଇ କହିଥିଲେ, ସାଧାରଣ ଜୀବନରୁ ଆସିଥିବା ଜଣେ ବ୍ୟକ୍ତି ଜୀବନରେ ସଫଳତମ ଶିଖରରେ ପହଞ୍ଚିବା ନିଶ୍ଚିତଭାବେ ପ୍ରଶଂସନୀୟ। ଦିଲ୍ଲୀପ ରାୟ ମଧ୍ୟ ସେଭଳି ଜଣେ ସଫଳ ବ୍ୟକ୍ତିତ୍ବଙ୍କ ମଧ୍ୟରୁ ଅନ୍ୟତମ ବୋଲି ଗୋବିନ୍ଦା କହିଥିଲେ। ବିଶିଷ୍ଟ ଗୀତିକାର ଦେବଦାସ ଛୋଟରାୟ କହିଲେ, ଦିଲ୍ଲୀପ ରାୟ ଜଣେ ନିରବ ବ୍ୟକ୍ତିତ୍ବ। ସବୁବେଳେ ସମୟ ଉପରେ ଗୁରୁତ୍ବ ଦେଇଥାନ୍ତି। କେନ୍ଦ୍ରରେ ମନ୍ତ୍ରୀ ଥିବା ସମୟରେ ତାଙ୍କ ସହିତ କାର୍ଯ୍ୟ କରିବାର ସୁଯୋଗ ପାଇଛି। ଠିକ୍ ସମୟରେ ବୈଠକକୁ ଆସିଥାନ୍ତି ଓ କମ୍ ସମୟ ଭିତରେ ସବୁକିଛି ବୁଝି ଯାଇଥାନ୍ତି ବୋଲି ଶ୍ରୀ ଛୋଟରାୟ କହିଥିଲେ।

ମୁମ୍ବାଇର ପୂର୍ବତନ ପୁଲିସ କମିସନର ତଥା ରାଜନେତା ଅରୁପ ପଟ୍ଟନାୟକ କହିଲେ, ଓଡ଼ିଆମାନେ ଅନେକ କ୍ଷେତ୍ରରେ ସଫଳତା ହାସଲ କରିଛନ୍ତି। ମାତ୍ର ଜଣେ ବ୍ୟବସାୟୀ ଭାବେ ରାଜ୍ୟ ବାହାରେ ଶ୍ରୀ ରାୟ ଯାହା ସଫଳତା ପାଇଛନ୍ତି ତାହା ଅନନ୍ୟ। ଯାହାକି ତାଙ୍କ ବ୍ୟକ୍ତିତ୍ବକୁ ପରିପ୍ରକାଶ କରିଥାଏ। ସାଧାରଣତଃ ଓଡ଼ିଆମାନେ ବ୍ୟବସାୟୀଙ୍କୁ ଭଲ ନଜରରେ ଦେଖି ନ ଥାନ୍ତି। ଝିଅ ବିବାହ ଦେବା ବେଳେ ସରକାରୀ ଚାକିରିଆଙ୍କୁ ଖୋଜିଥାନ୍ତି। ମାତ୍ର ମୁମ୍ବାଇରେ ଏହା ସଂପୂର୍ଣ୍ଣ ଓଲଟା। ସେଠାରେ ବ୍ୟବସାୟୀମାନଙ୍କୁ ବହୁ କ୍ଷେତ୍ରରେ ପ୍ରାଥମିକତା ଦିଆଯାଇଥାଏ। ତେଣୁ ଜଣେ ସଫଳ ବ୍ୟବସାୟୀଭାବେ ଶ୍ରୀ ରାୟ ଅନେକଙ୍କ ପାଇଁ ପ୍ରେରଣାର ଉତ୍ସ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ଏହି ଅବସରରେ ପଦ୍ମଶ୍ରୀ ଡି. ପ୍ରକାଶ ରାଓ, ଗୋବିନ୍ଦ ପଟ୍ଟନାୟକ, ମୁକ୍ତିକାନ୍ତ ବିଶ୍ବାଳ, କଲ୍ୟାଣ ସିହ୍ନା, ଆହୁତି ମହାନ୍ତି, ପ୍ରକାଶ ତ୍ରିପାଠୀ, ସତ୍ୟବାଦୀ ମିଶ୍ର, ରାଜେଶ ନାୟକ, ସାଇସ୍ମୃତି ସେନାପତି ଓ ଗୟାଧର ପରିଡ଼ାଙ୍କୁ ସମ୍ବର୍ଧିତ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ସୁଶୀଲ ରାୟ ଓ ରାଜା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। କୌଶିକ ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର