ବିଦା ହେଲେ ଦିଲ୍ଲୀପ, ଫେରିଲେ ଶରତ, ଭରତ

ଭୁବନେଶ୍ବର: ମୋ ସରକାର ଯୋଜନାରେ ନୈରାଶ୍ୟଜନକ ପ୍ରଦର୍ଶନ କରି ଚର୍ଚ୍ଚାରେ ଥିବା ପୁଲିସ ଇନ୍‌ସ୍‌ପେକ୍ଟର ଦିଲ୍ଲୀପ ସ୍ବାଇଁ କମିସନରେଟ୍‌ ପୁଲିସରୁ ବିଦା ‌ହୋଇଛନ୍ତି। ଡିଜିଙ୍କ ନିର୍ଦେଶକ୍ରମେ ତାଙ୍କୁ ଗଞ୍ଜାମ ପଠାଇ ଦିଆଯାଇଛି। ଅନ୍ୟପଟେ ପୁରୀ ପିପିଲିରେ ଥିବା ଶରତ ସାହୁଙ୍କୁ ପୁଣି ଭୁବନେଶ୍ୱରକୁ ଫେରାଇ ଅଣାଯାଇଛି। ଚିଟ୍‌ଫଣ୍ଡ ଠକେଇରେ ଗିରଫ ଶୁଭଙ୍କରଙ୍କ ସହ ତାଙ୍କର ସମ୍ପର୍କ ଥିବା ଅଭିଯୋଗ ନେଇ ସେ ଅନେକ ଦିନ ଚର୍ଚ୍ଚାରେ ରହିଥିଲେ। ସବୁ ଚର୍ଚ୍ଚାକୁ ‌ପଛରେ ପକାଇ ସେ ପୁଣିଥରେ କମିସନରେଟ୍‌ ପୁଲିସକୁ ଫେରିଛନ୍ତି। ଯଦିଓ କେଉଁ ଥାନାରେ ରହିବେ ସେନେଇ‌ ସ୍ପଷ୍ଟ ହୋଇନାହିଁ। ସେ ପୂର୍ବରୁ ଖଣ୍ଡଗିରି ଥାନାରେ ରହିଥିଲେ। ସେହିଭଳି ଗଞ୍ଜେଇ ବେପାରୀଙ୍କୁ ଛାଡ଼ି ଦେବା ସହ ଜବତ ଗଞ୍ଜେଇ ହଡପ ଅଭିଯୋଗ ପାଇଁ ଭୁବନେଶ୍ୱର ଜିଆରପିରେ ଥିବା ଭରତ ସାହୁ ବିବାଦକୁ ଆସିଥିଲେ। ତାଙ୍କ ନାମରେ ହୋଇଥିବା ଅଭିଯୋଗର ତଦନ୍ତ ମଧ୍ୟ ହୋଇଥିଲା। ହେଲେ ବିଭାଗ ତାଙ୍କୁ କ୍ଲିନ୍‌ଚିଟ୍‌ ଦେଇଥିଲା। ଅଭିଯୋଗ ମିଥ୍ୟା ବୋଲି ପ୍ରମାଣିତ ହୋଇଥିଲା। ଏଥିରୁ ମୁକୁଳିବା ପରେ ତାଙ୍କୁ କମିସନରେଟ ପୁଲିସକୁ ଅଣାଯାଇଛି। ପୂର୍ବରୁ ସେ ମଧ୍ୟ କମିସନରେଟ୍‌ ପୁଲିସରେ କାର୍ଯ୍ୟ କରିଥିଲେ। ତେବେ କେବଳ ଏହି ଦୁଇ ଅଧିକାରୀ ନୁହନ୍ତି, ବରଂ ଧଉଳି, ଏୟାରଫିଲ୍ଡ ଥାନା ଇନ୍‌ସ୍‌ପେକ୍ଟରଙ୍କୁ ମଧ୍ୟ ବଦଳି କରାଯାଇଛି। ସେହିପରି ପୁଲିସ ଏସ୍‌ଆଇଙ୍କର ହୋଇଥିବା ଅଦଳବଦଳରେ ଏସ୍‌ଆଇ ଅସିତ ବଳବନ୍ତରାୟ କ୍ୟାପିଟାଲ ଥାନାରୁ କୋରାଫୁଟକୁ ବଦଳି କରାଯାଇଛି। ଗାଡ଼ି ଚୋରା କାରବାରରେ ତାଙ୍କର ସମ୍ପୃକ୍ତି ଥିବା ନେଇ ଏକ ଅଡିଓ ଟେପ୍‌ ସୋସିଆଲ ମିଡିଆରେ ଘୂରି ବୁଲିବା ପରେ ସେ ଚର୍ଚ୍ଚାକୁ ଆସିଥିଲେ। କମିସନରେଟ୍‌ ପୁଲିସ ପକ୍ଷରୁ ମଧ୍ୟ ଏହାର ତଦନ୍ତ କରାଯାଇଥିଲା। ହେଲେ ମାମଲା ଦବି ଯାଇଥିଲା, କାର୍ଯ୍ୟାନୁଷ୍ଠାନ ହୋଇ ନ ଥିଲା। ତେବେ ତାଙ୍କୁ କୋରାପୁଟ ପଠାଯାଇଛି।

ନୂଆପଲ୍ଲୀ ଥାନା ଏସ୍‌ଆଇ ଦୀପକ ଲେଙ୍କାଙ୍କୁ ନବରଙ୍ଗପୁରକୁ ବଦଳି କରାଯାଇଛି। ସେ କ୍ୟୁଏଟିରେ ଥିବା ବେଳେ ବିବାଦକୁ ଆସିଥିଲେ। ଜବତ ଜିନିଷ ହେର୍‌ଫେର ନେଇ ତାଙ୍କ ନାମରେ ଅଭିଯୋଗ ଆସିବା ପରେ ତାଙ୍କୁ ପଦରୁ ହଟାଇ ଦିଆଯାଇଥିଲା। ଏହା ପରେ ତାଙ୍କୁ ନୂଆପଲ୍ଲୀ ଥାନାରେ ଥଇଥାନ କରାଯାଇଥିଲା। ସେଠାରୁ ଏବେ ତାଙ୍କୁ ନବରଙ୍ଗପୁର ପଠାଇ ଦିଆଯାଇଛି।
ଆଉ ଜଣେ ଇନ୍‌ସ୍‌ପେକ୍ଟର ନିକଟ ଅତୀତରେ ବେଶ୍‌ ଚର୍ଚ୍ଚାକୁ ଆସିଥିଲେ। ସୋସିଆଲ ମିଡିଆରେ ଏକ ବିବାଦୀୟ ଅଡିଓ ଘୂରି ବୁଲୁଥିଲା। ‘ଗୋଟେ ଖଣ୍ଡା ଯୋଗାଡ଼ କର, ବଡ଼ ଦଫା ଲଗେଇ ଭିତରକୁ ପୂରାଇ ଦେବା’ ବୋଲି ଜଣେ ଉପରିସ୍ଥ ଅଫିସର ତଳିଆ‌ କର୍ମଚାରୀଙ୍କୁ କହୁଥିଲେ। ଏହି କଣ୍ଠସ୍ବର ସମ୍ପୃକ୍ତ ଇନ୍‌ସ୍‌ପେକ୍ଟରଙ୍କର ବୋଲି ଅଭିଯୋଗ ହୋଇଥିଲା। ସମ୍ପୃକ୍ତ ଇନ୍‌ସ୍‌ପେକ୍ଟର ମଧ୍ୟ ଏହି ଅଭିଯୋଗକୁ ନେଇ ଖପ୍ପା ହୋଇଥିଲେ। ଖବର ପରିବେଷଣ ନେଇ ସେ ଏକ ସଂସ୍ଥାକୁ ଓକିଲ ନୋଟିସ୍‌ ପଠାଇ ନିଜକୁ ଦୋଷମୁକ୍ତ ପ୍ରମାଣ କରିବାକୁ ଉଦ୍ୟମ କରିଥିଲେ। ଦୀର୍ଘ ଦିନ ଧରି ପୁଲିସ ମହଲରେ ଘଟଣା ଚର୍ଚ୍ଚା ହୋଇଥିଲା। ତାଙ୍କର ବଦଳି ସୁନିଶ୍ଚିତ ବୋଲି ଆଲୋଚନା ହୋଇଥିଲା।

ସମ୍ବନ୍ଧିତ ଖବର