ଭୁବନେଶ୍ୱର: ରାଜଧାନୀରେ ମିନି ଜୁରାସିକ୍ ପାର୍କର ମଜା। ଭଳିକି ଭଳି ଡାଇନୋସର୍ ସହିତ ବାଘ, ଗରିଲା ଓ ବଣମଣିଷର ନିଖୁଣ ପ୍ରତିକୃତି। ପାର୍କ ଭିତରକୁ ପଶି ଆସିଲେ ଡାଇନୋସର ଯୁଗକୁ ଗଲା ଭଳି ଭ୍ରମ ସୃଷ୍ଟି ହେଉଛି। ଡାଇନୋସର୍ଙ୍କ ବିକଟାଳ ଶବ୍ଦ ସହ ଏଭଳି ଦୃଶ୍ୟ ଆଜିଠାରୁ ଦେଖିବାକୁ ମିଳିଛି ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର ପରିସରରେ। ଆଜି ବିଜ୍ଞାନ କେନ୍ଦ୍ର ପରିସରରେ ‘ପ୍ରାଗ୍ ଐତିହାସିକ ସାମ୍ରାଜ୍ୟରେ ଡାଇନୋସର ଜୀବନ୍ତ’ ଶୀର୍ଷକ ପାର୍କକୁ ଉଦ୍ଘାଟନ କରିଛନ୍ତି ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଆଗକୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବିଜ୍ଞାନ ପ୍ରକଳ୍ପ ହେବ ବୋଲି ସେ ମତପ୍ରକାଶ କରିଛନ୍ତି।
ଏହି ପାର୍କ ଛାତ୍ରଛାତ୍ରୀମାନଙ୍କ ଠାରୁ ଆରମ୍ଭ କରି ବରିଷ୍ଠ ନାଗରିକ ପର୍ଯ୍ୟନ୍ତ ସମସ୍ତକୁ ବିଜ୍ଞାନର ଅଭିବୃଦ୍ଧି ସମ୍ପର୍କରେ ସୂଚନା ଦେବ। ଆଗକୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବିଜ୍ଞାନ କେନ୍ଦ୍ର ହେବ ବୋଲି ସେ କହିଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଭାଗର ପ୍ରମୁଖ ସଚିବ ଚିତ୍ରା ଅରୁମୁଗମ, ଜାତୀୟ ବିଜ୍ଞାନ ସଂଗ୍ରହାଳୟ ପରିଷଦର ନିର୍ଦ୍ଦେଶକ ମାନସ ବାଗ୍ଚୀ, କେନ୍ଦ୍ରର ପ୍ରକଳ୍ପ ନିର୍ଦ୍ଦେଶକ କପିଲ ଜୈନ ପ୍ରମୁଖ ଉପସ୍ଥିତ ଥିଲେ। ଏହି ପାର୍କରେ ସ୍ବୟଂଚାଳିତ ଡାଇନୋସର୍, ବିଭିନ୍ନ ଗୁମ୍ଫା ସହିତ ଜଙ୍ଗଲୀଜନ୍ତୁ ଓ ପକ୍ଷୀଙ୍କ ସ୍ୱର ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ାଇବ ବୋଲି କେନ୍ଦ୍ର ପକ୍ଷରୁ ଆଶା ପ୍ରକଟ କରାଯାଇଛି।