ଦୀପାଳି ମୃତ୍ୟୁ ମାମଲାରେ ଭଉଣୀଙ୍କ ସାକ୍ଷ୍ୟ ପ୍ରଦାନ: ‘ନିର୍ଯାତନା ଦେଉଥିଲେ, ବ୍ଲାକମେଲ୍‌ କରୁଥିଲେ’

ଭୁବନେଶ୍ବର: ବହୁଚର୍ଚ୍ଚିତ ଆଇନଜୀବୀ ଦୀପାଳି ପ୍ରିୟଦର୍ଶିନୀ ଆତ୍ମହତ୍ୟା ମାମଲାରେ ଆଜି ଖୋର୍ଦ୍ଧା ଜିଲ୍ଲା ଦୌରାଜଜ୍‌ଙ୍କ କୋର୍ଟରେ ଦୀପାଳିଙ୍କ ଭଉଣୀ ଇତିଶ୍ରୀ ଜେନା ସାକ୍ଷ୍ୟ ପ୍ରଦାନ କରିଛନ୍ତି। ଇତିଶ୍ରୀ ତାଙ୍କ ବୟାନରେ କହିଛନ୍ତି ଯେ ଦୀପାଳି ଓ ଅଭିଯୁକ୍ତ ବିକ୍ରମ ମିଶ୍ରଙ୍କ ଭିତରେ ପ୍ରେମ ସମ୍ପର୍କ ଥିଲା। ଏହାର ଫାଇଦା ଉଠାଇ ବିକ୍ରମ ଦୀପାଳିଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର କିଛି ଫଟୋ ଉଠାଇ ରଖିଥିଲେ। ପରେ ସେସବୁକୁ ନେଇ ବିକ୍ରମ ବ୍ଲାକ୍‌ମେଲ୍‌ କରୁଥିଲେ। ବିବାହ ପାଇଁ କଥା ଉଠିବା ବେଳେ ବିକ୍ରମ ମନା କରି ଦେଉଥିଲେ। କିନ୍ତୁ ଅନେକ ସମୟରେ ସେ ଦୀପାଳିଙ୍କୁ ବ୍ଲାକ୍‌‌ମେଲ୍‌ କରି ମାନସିକ ନିର୍ଯାତନା ଦେଉଥିଲେ।

ସୂଚନାଯୋଗ୍ୟ ୨୦୧୯ ଅକ୍ଟୋବର ୧୯ ତାରିଖ ରାତିରେ ବିକ୍ରମ ଧଉଳି ଥାନା ଅନ୍ତର୍ଗତ ଇନ୍ଦିରା କଲୋନିରେ ରହୁଥିବା ଦୀପାଳିଙ୍କ ଘରକୁ ଯାଇଥିଲେ। ସେଠାରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। କିଛି ସମୟ ପରେ ଦୀପାଳି ଘର ଭିତର ପଟୁ କବାଟ ଦେଇ ଆତ୍ମହତ୍ୟା କରିଥିଲେ। ତେବେ ଠିକ୍ ଏହା ପୂର୍ବରୁ ଦୀପାଳି ଆତ୍ମହତ୍ୟାର ଧମକ ଦେଉଥିବା ନେଇ ବିକ୍ରମ ତାଙ୍କ ଭଉଣୀ ଇତିଶ୍ରୀଙ୍କୁ ଜଣାଇଥିଲେ। ପରିବାର ଲୋକ ଓ ପୁଲିସ ପହଞ୍ଚି ଘରର କବାଟ ଭାଙ୍ଗିବା ପରେ ଦୀପାଳିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା। ତେଣୁ ଆଜି କୋର୍ଟରେ ଇତିଶ୍ରୀ ପୁଣି ଦୀପାଳିଙ୍କ ଆତ୍ମହତ୍ୟା ପାଇଁ ବିକ୍ରମ ଦାୟୀ ବୋଲି ତାଙ୍କ ବୟାନରେ କହିଥିଲେ। ମାମଲାର ପରବର୍ତ୍ତୀ ଶୁଣାଣି ଫେବ୍ରୁଆରି ୯ ତାରିଖକୁ ଧାର୍ଯ୍ୟ କରାଯାଇଛି। ଉଲ୍ଲେଖଯୋଗ୍ୟ, ପ୍ରଥମ ଶୁଣାଣିରେ ଦୀପାଳିଙ୍କ ବଡ଼ ଭଉଣୀ ବନଶ୍ରୀ ସାକ୍ଷ୍ୟ ଦେଇଥିଲେ। ସେ ମଧ୍ୟ ଦୀପାଳି ପ୍ରତି ବିକ୍ରମର ବ୍ଲାକ୍‌ମେଲିଂ ଓ ମାନସିକ ନିର୍ଯାତନା ପ୍ରସଙ୍ଗ କୋର୍ଟରେ କହିଥିଲେ।

ସମ୍ବନ୍ଧିତ ଖବର