ମଡ଼ାଚଣ୍ଡିଆ ବୃତ୍ତି ଆଗରେ ହାରିିଛି କରୋନା : ଡିପ୍ଲୋମା ଇଂଜିନିୟର ଏବେ ଶବ ପୋଡ଼ୁଛନ୍ତି

ଭୁବନେଶ୍ୱର : ହୁତ୍‌ହୁତ୍‌ ହୋଇ ଜଳୁଥିଲା କରୋନାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ମୃତଦେହ। ବିନା ସଙ୍କୋଚରେ ଶବକୁ ଦାହ କରି ଚାଲିଥିଲେ ମଡ଼ାଚଣ୍ଡିଆ ରାବଣ। ଗୋଟେ କି ଦୁଇଟା ନୁହେଁ, ଏକକାଳୀନ ୩ଟି ଶବକୁ ଅତି ଯତ୍ନରେ ପୋଡ଼ୁଥିବା ବେଳେ ନିଆଁ ଧାସ ତାଙ୍କ ଆଡ଼କୁ ଚିହିଁକି ଆସୁଥିଲା। ଏଥିପ୍ରତି କିନ୍ତୁ ଭ୍ରୂକ୍ଷେପ ନଥିଲା। ଆଗରୁ କେବେ କେମିତି ଦିନକୁ ଗୋଟେ କି ଦୁଇଟା ଶବ ଆସିଲେ ଢେର୍‌। ଏବେ କିନ୍ତୁ ଦୈନିକ ମଶାଣିକୁ ୨୦ରୁ ୨୫ ଶବ ଆସୁଛି। ସେଥିରୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କେବେ ୧୨ ତ କେବେ ‌୧୫ଛୁଉଁଛି। ଏହା ଭିତରେ କିନ୍ତୁ ଥକି ପଡ଼ିନାହାନ୍ତି ରାବଣ। କରୋନା କୋପରେ ଲୋକେ ଘର ଏରୁଣ୍ଡି ଡେଇଁବା ଆଗରୁ ଚିନ୍ତାରେ ପଡ଼ୁଛନ୍ତି। ହେଲେ ରାବଣ, ପ୍ରକାଶ ଓ ଗୌତମଙ୍କ ଭଳି ମଡ଼ାଚଣ୍ଡିଆ ଏବେ ବି ପ୍ରତି ମୁହୂର୍ତରେ ସତ୍ୟନଗର ଶ୍ମଶାନରେ କରୋନା ଆକ୍ରାନ୍ତଙ୍କୁ ସାମ୍ନାସାମ୍ନି ହେଉଛନ୍ତି। ବୃତ୍ତି ହେଉ ଅବା ବାଧ୍ୟବାଧକତା; କରୋନା ମୃତକଙ୍କୁ ନିଜର ଲୋକଟିଏ ଭଳି କୋଳେଇ ମଶାଣିକୁ ନେଉଛନ୍ତି। ଦାହ କରି ମୋକ୍ଷ ଦେଉଛନ୍ତି।

ନାଁ ତାଙ୍କର ରଂଜନ କୁମାର ପ୍ରଧାନ, କିନ୍ତୁ ପୃଥୁଳ ଶରୀର ଓ ମଶାଣିରେ ଶବ ଦାହ କରିବା ବେଳେ ତାଙ୍କର କାର୍ଯ୍ୟକଳାପ ଯୋଗୁଁ ସେ ରାବଣ ଭାବେ ଜଣାଶୁଣା। ରାବଣ କହିଛନ୍ତି, କରୋନା ଆକ୍ରାନ୍ତଙ୍କୁ ଦାହ କରିବା ବେଳେ ପ୍ରଥମେ ବହୁତ ଭୟ ଲାଗୁଥିଲା। ମାତ୍ର ଜୁନ୍‌ ମାସରୁ ଚାଲିଥିବାରୁ ଦେହସୁହା ହୋଇଗଲାଣି। ତଥାପି ମନରୁ ଭୟ ଯାଇନାହିଁ। ଘରକୁ ଫେରିବା ପରେ ପରିବାରରେ କେହି ମୋ’ଠୁ ଆକ୍ରାନ୍ତ ହୋଇଯିବେ ଭାବି ଭୟ ଲାଗୁଛି। ହେଲେ ଏଇ ମଶାଣି ଦୀର୍ଘବର୍ଷ ହେଲା ଆମ ପେଟ ପୋଷୁଛି। ୟା’କୁ ଛାଡ଼ି ଯିବୁ ବା କୁଆଡ଼େ? କେହିକେହି ଆସି ଯେବେ ପ୍ରଶଂସା କରନ୍ତି, ଭଲ ଲାଗେ। କିନ୍ତୁ କିଛି ଲୋକ ଯେବେ ଅଲଗା ନଜରରେ ଦେଖନ୍ତି ଟିକେ କଷ୍ଟ ଲାଗେ ବୋଲି ସେ କହିଛନ୍ତି।

ମଡ଼ାଚଣ୍ଡିଆ ଭାବେ ପ୍ରମୁଖ ଭୂମିକା ନିଭାଉଥିବା ପ୍ରକାଶ କୁମାର ନାୟକ ଜଣେ ଡିପ୍ଲୋମା ଇଂଜିନିୟରିଂର ଛାତ୍ର। ହେଲେ ପାଠପଢ଼ା ସରିବା ପରେ ଏବେ ସେ ବିଏମ୍‌ସି ପକ୍ଷରୁ ସତ୍ୟନଗର ଶ୍ମଶାନରେ ମୃତବ୍ୟକ୍ତିଙ୍କ ଦାହ କର୍ମରେ ନିୟୋଜିତ।

ପ୍ରକାଶ କହିଛନ୍ତି, ଆଗରୁ ବେଳେବେଳେ ଦିନକୁ ଗୋଟେ କି ଦୁଇଟା ଶବ ଆସୁଥିଲା। ବେଳେବେଳେ ସପ୍ତାହେ ପର୍ଯ୍ୟନ୍ତ ଗୋଟେ ବି ଶବ ଆସୁନଥିଲା। ମାତ୍ର ଏବେ ଦୈନିକ ୧୨ରୁ ୧୫ଜଣ କରୋନା ଆକ୍ରାନ୍ତଙ୍କ ଦାହ କରାଯାଉଛି। କିଛି ବ୍ୟକ୍ତି ବିଦ୍ୟୁତ୍‌ ଚୁଲାରେ ଦାହ ହେଉଥିଲେ ହେଁ ଆଉ କିଛି ବ୍ୟକ୍ତିଙ୍କ ଚିତା ଏହି ମଶାଣି ଭୂଇଁରେ ଜଳୁଛି। କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ଦାହ କରିବା ବେଳେ ମନରେ ଭୟ ରହୁଛି। ମାତ୍ର ମୃତ ବ୍ୟକ୍ତିଙ୍କ ନିଜର ଲୋକଟିଏ ଯେତେବେଳେ ତାଙ୍କ ପାଖରେ ଠିଆ ହୋଇପାରୁନି, ସେତେବେଳେ ଆମେ ଯଦି ହତାଦର କରି ଶବଦାହ ପାଇଁ ଅରାଜି ହେବୁ, ତେବେ ତାଙ୍କ ଘରଲୋକଙ୍କୁ ବହୁତ କଷ୍ଟ ହେବ। ଏତେ ଶବ‌ ଯେ ଦାହ କରିପାରିବୁ ସେ ବିଶ୍ବାସ ନଥିଲା, କିନ୍ତୁ ବେଳେବେଳେ ଲାଗେ ଭଗବାନ ଯେମିତି ଆମ ଦେହରେ ଶକ୍ତି ଭରି ଦେଇଛନ୍ତି। ବାପା ହରି ନାୟକଙ୍କ ପରେ ମୋ’ ମା ରଂଜନା ଦେଇ ଏହି କାମ କରି ଆସୁଥିଲେ। ପିଲାବେଳୁ ମା’ଙ୍କର ଏହି କାର୍ଯ୍ୟ ଦେଖି ମୁଁ ପ୍ରଭାବିତ ହୋଇ ୨୦-୨୧ବର୍ଷରୁ ଏଇଥିରେ ନିୟୋଜିତ ହୋଇଛି। ଡିପ୍ଲୋମା ଇଂଜିନିୟରିଂ ସରିବା ପରେ ମୋତେ ଚାକିରିଟିଏ ମିଳିଥିଲା। କିନ୍ତୁ ଗୋଟେ ପୁଅ ହୋଇଥିବାରୁ ବାହାରକୁ ଯାଇ ଚାକିରି କରିବା ପାଇଁ ମା’ ମନା କରିଦେଲେ। ସଂଯୋଗବଶତଃ ଏଠାରେ କାମ ମିଳିଗଲା। ମଣିଷର ଶେଷ ସମୟରେ ଛିଡ଼ା ହୋଇପାରୁଥିବାରୁ ଏହି କର୍ମ ମତେ ଆତ୍ମସନ୍ତୋଷ ଦେଇଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର