ଜାନୁଆରି ୨୦ରୁ ଭୁବନେଶ୍ୱରରୁ ସୁରତକୁ ଉଡ଼ିବ ବିମାନ, ସିଧା ଯିବେ, ଅନ୍ୟ ବାଟେ ଆସିବେ

ଭୁବନେଶ୍ୱର : ଜାନୁଆରି ୨୦ରୁ ଭୁବନେଶ୍ୱରରୁ ସୁରତକୁ ବିମାନ ସେବା ଆରମ୍ଭ ହେବ। ଆଜି ଏନେଇ ଟୁଇଟ୍‌ କରି ଜଣାଇଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଉଷା ପାଢ଼ୀ।

ଭୁବନେଶ୍ୱରରୁ ସୁରତକୁ ବିମାନ ଉଡ଼ାଣ ନେଇ ରାଜ୍ୟ ସରକାର ବାରମ୍ବାର ଦାବି କରୁଥିବାବେଳେ ନିକଟରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ମଧ୍ୟ ଏନେଇ ଦାବି କରିଥିଲେ। ଏହାପରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଭୁବନେଶ୍ବରରୁ ଏୟାର ଇଣ୍ଡିଆ ବିମାନ ଉଡ଼ାଣ ନେଇ ନିଷ୍ପତ୍ତି ନେଇଛି। ଏନେଇ ଟିକେଟ୍ ବୁକିଂ ଆରମ୍ଭ ହୋଇଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଜାନୁଆରି ୨୦ରୁ ଏୟାର ଇଣ୍ଡିଆ ବିମାନ ଏଆଇ-୫୧୯ ସକାଳ ୮ଟା ୪୦ରୁ ଭୁବନେଶ୍ବରରୁ ଉଡ଼ାଣ ଆରମ୍ଭ କରିବ। ସୁରତରେ ପୂର୍ବାହ୍ନ‌ ୧୦ଟା ୪୦ରେ ଅବତରଣ କରିବ। ପ୍ରଥମ ଦିନର ଭଡ଼ା ୪,୫୦୦ଟଙ୍କା ରହିଛି। ହେଲେ ସୁରତରୁ ଭୁବନେଶ୍ୱରକୁ କୌଣସି ବିମାନ ସିଧା ଉଡ଼ାଣ କରିବନି। ସୁରତରୁ ଆସିବାକୁ ଥିବା ଯାତ୍ରୀ ଭାୟା ଦିଲ୍ଲୀ, କୋଲକାତା ବା ଅନ୍ୟ କୌଣସି ସହର ହୋଇ ଭୁବନେଶ୍ୱର ଆସିବେ।

ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଏଭଳି ନିଷ୍ପତ୍ତି ଯୋଗୁଁ ଯାତ୍ରୀ ଭୁବନେଶ୍ୱରରୁ ସିଧା ସୁରତ ଯାଇପାରିବେ, କିନ୍ତୁ ସୁରତରୁ ବିଭିନ୍ନ ବିମାନବନ୍ଦରରେ ଅଟକି ଭୁବନେଶ୍ବରରେ ପହଞ୍ଚିବେ।

ସମ୍ବନ୍ଧିତ ଖବର