ଭୁବନେଶ୍ବର : ରାଜ୍ୟ ସରକାର ଭୁବନେଶ୍ବରରୁ ବିଦେଶକୁ ଅଧିକ ବିମାନ ଉଡ଼ାଣ ପାଇଁ ଦୀର୍ଘ ବର୍ଷ ହେଲା ଉଦ୍ୟମ କରୁଥିଲେ ହେଁ ଏଥିରେ ସଫଳ ହୋଇପାରି ନାହାନ୍ତି। ରାଜ୍ୟ ସରକାରଙ୍କ ଉଦ୍ୟମରେ ଦୁଇ ବର୍ଷରେ ତିନିଟି ବିମାନ ବିଦେଶକୁ ଉଡ଼ାଣ ଆରମ୍ଭ କରିଥିଲେ ହେଁ ଆଜିକା ଦିନରେ କେବଳ କ୍ବାଲାଲମ୍ପୁରକୁ ବିମାନ ଉଡ଼ାଣ ହେଉଛି। ଏବେବି ବିଦେଶକୁ ଯାଉଥିବା ୯୫%ରୁ ଅଧିକ ଯାତ୍ରୀ ଦିଲ୍ଲୀ, କୋଲକତା, ମୁମ୍ବାଇ, ବେଙ୍ଗାଲୁର ହୋଇ ଯାଉଛନ୍ତି। ବ୍ୟାଙ୍କକ୍କୁ ଏୟାର ଇଣ୍ଡିଆ ଓ ଏୟାର ଏସିଆ ବିମାନ ଉଡ଼ାଣ କରିଥିଲେ ହେଁ କିଛି ମାସ ଚଳାଇ ବନ୍ଦ କରିଦେଲେ। ତେଣୁ ରାଜ୍ୟ ସରକାର ଯେଉଁ ଯୋଜନା ରଖି ବୁଧବାର ବିମାନ କମ୍ପାନି ସିଇଓମାନଙ୍କ ବୈଠକ ଡାକିଛନ୍ତି ତାହା ସଫଳ ହେବ ତ ବୋଲି ପ୍ରଶ୍ନ ଉଠିଲାଣି।
ବୁଧବାର ହେବାକୁ ଥିବା ବିମାନ କମ୍ପାନି ସିଇଓ ସମ୍ମିଳନୀରେ ଇଣ୍ଡିଗୋ, ଗୋ ଏୟାର, ଭିସ୍ତାରା, ଏୟାର ଏସିଆ, ସ୍ପାଇସ୍ ଜେଟ୍ ସମେତ ବିଭିନ୍ନ ଅନ୍ତର୍ଜାତୀୟ ବିମାନ କମ୍ପାନିର ସିଇଓ ଯୋଗଦେବାର ସମ୍ଭାବନା ଅଛି। ଏଥିରେ ରାଜ୍ୟ ସରକାର ଓଡ଼ିଶାରେ କ’ଣ ସୁବିଧା ସୁଯୋଗ ଅଛି, ଏଠାରୁ କେତେ ଯାତ୍ରୀ କେଉଁ କେଉଁ ଦେଶକୁ ଯାଉଛନ୍ତି, ପର୍ଯ୍ୟଟକଙ୍କ ପାଇଁ କ’ଣ ଭିତ୍ତିଭୂମି ରହିଛି, ରାଜ୍ୟ ସରକାର କି ପ୍ରକାରର ସହଯୋଗ କରିବେ ସେନେଇ ଆଲୋଚନା କରିବେ। ଏପରିକି କେତେକ ବିମାନ କମ୍ପାନିଙ୍କୁ ସବ୍ସିଡି ଲୋଭ ଦେଖାଇ ଆକର୍ଷଣ କରିବାର ଯୋଜନା ଅଛି। ହେଲେ ରାଜ୍ୟ ସରକାରଙ୍କ ସବ୍ସିଡି ମୋହରେ ଏୟାର ଏସିଆ ବ୍ୟାଙ୍କକ୍କୁ ବିମାନ ଉଡ଼ାଣ କରିଥିଲେ ହେଁ ସବ୍ସିଡି ନମିଳିବାରୁ ବିମାନ ଉଡ଼ାଣ ବନ୍ଦ କରିଦେଇଥିଲା। ଏବେ ରାଜ୍ୟ ସରକାର ଏୟାର ଏସିଆକୁ ପୁଣି ବ୍ୟାଙ୍କକ୍କୁ ବିମାନ ଉଡ଼ାଣ ଆରମ୍ଭ କରିବାକୁ କହୁଥିଲେ ହେଁ ସଂସ୍ଥା ଧରାଛୁଆଁ ଦେଉନି। କେବଳ କ୍ବାଲାଲମ୍ପୁର ଉଡ଼ାଣ ପାଇଁ ଏୟାର ଏସିଆକୁ ପ୍ରତି ଉଡ଼ାଣ ପିଛା ୧ଲକ୍ଷ ଟଙ୍କା ସବ୍ସିଡି ଦେଉଥିବାରୁ ଏହି ରୁଟ୍ରେ ପ୍ରାୟ ଦୁଇ ବର୍ଷ ହେଲା ବିମାନ ଚଳାଚଳ କରୁଛି।
ଏପଟେ ଇଣ୍ଡିଗୋ କର୍ତ୍ତୃପକ୍ଷ ଆବୁଧାବିକୁ ବିମାନ ଉଡ଼ାଣ କରିବାକୁ ଯୋଜନା କରୁଥିଲେ ହେଁ ଭାରତ ଓ ଦୁବାଇ ମଧ୍ୟରେ ହୋଇଥିବା ଦ୍ବିପାକ୍ଷିକ ଚୁକ୍ତି ଅନୁଯାୟୀ ଧାର୍ଯ୍ୟ ବିମାନ ଉଡ଼ାଣ କରୁଥିବାରୁ ନୂଆ ବିମାନ ଉଡ଼ାଣ ହୋଇପାରୁନି। ଦୁବାଇ ସରକାର ନିଜ ଦେଶର ବିମାନ ଉଡ଼ାଣ କରିବାକୁ ଚାହୁଁଥିବାବେଳେ ଭାରତ ସରକାର ଭାରତୀୟ କମ୍ପାନି ବିମାନ ଉଡ଼ାଣ କରିବାକୁ ଚାହୁଁଛନ୍ତି। ତେଣୁ ଦୁଇ ଦେଶ ମଧ୍ୟରେ ଏନେଇ ସହମତି ହୋଇପାରୁନଥିବାରୁ ଭୁବନେଶ୍ବରରୁ ଆବୁଧାବିକୁ ବିମାନ ଉଡ଼ାଣ ହୋଇପାରୁନି। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ବି ଏନେଇ କିଛି ପଦକ୍ଷେପ ନେଉନି।
ଅପରପକ୍ଷେ ୟୁରୋପୀୟ ଦେଶ କି କୁଏତ୍କୁ ବିମାନ ଉଡ଼ାଣ କଲେ ଭୁବନେଶ୍ବରରୁ ଅଧିକ ଯାତ୍ରୀ ଯାତାୟତ କରିବାର ସମ୍ଭାବନା ଥିଲେ ହେଁ ରାଜ୍ୟ ସରକାର କୌଣସି ବିମାନ ସଂସ୍ଥାକୁ ଆକର୍ଷଣ କରିପାରୁନାହାନ୍ତି। ଭୁବନେଶ୍ବରରୁ ଗୋଟିଏ ରହଣି ହୋଇ ଅନ୍ୟ ଦେଶକୁ ଯଥା ଚୀନ୍, ଭିଏତ୍ନାମ, ଇଣ୍ଡୋନେସିଆ ଆଦି ଦେଶକୁ ବିମାନ ଉଡ଼ାଣ କଲେ କିମ୍ବା ଛୋଟ ଛୋଟ ସହରକୁ ଟାର୍ଗେଟ୍ କରି ବିମାନ ସେବା ଆରମ୍ଭ କଲେ ବଡ଼ ବିମାନ ଉଡ଼ାଣ ସଂସ୍ଥା ଆକର୍ଷିତ ହୋଇପାରନ୍ତେ। ହେଲେ ରାଜ୍ୟ ସରକାର ବଡ଼ ଦେଶକୁ ଟାର୍ଗେଟ୍ କରୁଥିବାରୁ ଗୋଟିଏ ବି ଯୋଜନା ଫଳପ୍ରଦ ହୋଇପାରୁନି। ତେଣୁ ରାଜ୍ୟ ସରକାର ବୁଧବାର କେଉଁଭଳି ଭାବେ ବିମାନ କମ୍ପାନି ସିଇଓମାନଙ୍କୁ ଆକର୍ଷିତ କରୁଛନ୍ତି ତାହା ଦେଖିବା ବାକି ରହିଲା।