କୁଷ୍ଠ, ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ପାଇଁ ଭେଦଭାବ ରହିବା ଉଚିତ ନୁହେଁ

ଭୁବନେଶ୍ବର : ସାମାଜିକସ୍ତରରେ କୁଷ୍ଠ ଏବଂ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ପାଇଁ କୌଣସି ଭେଦଭାବ ରହିବା ଉଚିତ ନୁହେଁ। ତେଣୁ କୁଷ୍ଠ ସହିତ ଜଡ଼ିତ ସମସ୍ତ ପ୍ରକାର କଳଙ୍କ ଦୂରୀକରଣ କରିବାରେ ସମସ୍ତଙ୍କ ଦାୟିତ୍ବ ରହିଛି ବୋଲି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପକ୍ଷରୁ ଆୟୋଜିତ କୁଷ୍ଠମୁକ୍ତ ବ୍ୟକ୍ତିଙ୍କ ସାମର୍ଥ୍ୟ ବିକାଶ ଓ ସେମାନଙ୍କୁ ସାଧାରଣ ଜନସେବା ପ୍ରଦାନ ଶୀର୍ଷକ ଦୁଇ ଦିନିଆ ରାଜ୍ୟସ୍ତରୀୟ କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଭାଗୀୟ ପ୍ରମୁଖ ଶାସନ ସଚିବ ନିତେନ ଚନ୍ଦ୍ରା ଏହା କହିଛନ୍ତି। ସ୍ଥା‌ନୀୟ ରେଡ୍‌କ୍ରସ୍‌ ଭବନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଚିବ ଶ୍ରୀ ଚନ୍ଦ୍ରା ଆହୁରି କହିଛନ୍ତି, କୁଷ୍ଠମୁକ୍ତଙ୍କୁ ସମାଜରେ ଗ୍ରହଣ କରିବାକୁ ନୀତି ଓ ରଣକୌଶଳ ସହଜରେ ପ୍ରଣୟନ ହୋଇପାରିବ।

ବିଭାଗର ନିର୍ଦେଶକ ସୁଶାନ୍ତ ମହାପାତ୍ର କହିଛନ୍ତି, କୁଷ୍ଠମୁକ୍ତ ବ୍ୟକ୍ତିମାନଙ୍କୁ କିଭଳି ସ୍ବାବଲମ୍ବୀ କରାଯାଇ ପାରିବ, ସେମାନେ କିଭଳି ରୋଜଗାରକ୍ଷମ ହେବେ, ସେନେଇ ବିଭାଗ ଉଦ୍ୟମ ଜାରି ରଖିଛି। ସେମାନଙ୍କୁ ବାର୍ଧକ୍ୟ ଭତ୍ତା, ଇନ୍ଦିରା ଆବାସ ପ୍ରଦାନ କରାଯିବ ସହିତ ଗ୍ରୁପ ଗଠନ କରାଯାଇ ବ୍ୟାଙ୍କରୁ ଋଣ ଯୋଗାଇ ଦିଆଯାଉଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କୁଷ୍ଠ ରୋଗର ପ୍ରତିଷେଧକ ଓ ଆରୋଗ୍ୟ ଦିଗରେ କାର୍ଯ୍ୟ କରୁଥିବା ବେଳେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ସେମାନଙ୍କ ସାମାଜିକ ଓ ଅର୍ଥନୈତିକ ଥଇଥାନ ଦିଗରେ କାର୍ଯ୍ୟ କରିଥାଏ ବୋଲି ନିର୍ଦେଶକ ଶ୍ରୀ ମହାପାତ୍ର କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଯୁଗ୍ମ ଶାସନ ସଚିବ ମଧୁମିତା ନାୟକ, ଉପଶାସନ ସଚିବ ଯଦୁମଣି ମହଲା, ସ୍ବାସ୍ଥ୍ୟ ନିର୍ଦେଶାଳୟର ଅତିରିକ୍ତ ନିର୍ଦେଶକ ଶକ୍ତି ପ୍ରସାଦ ପାଢ଼ୀ, ଯୁଗ୍ମ ନିର୍ଦେଶକ ଏସପି ସାହୁ, ଲେପ୍ରା ସୋସାଇଟିର ପରାମର୍ଶଦାତା ଏସ ଏନ ପତି ଓ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସନ୍ୟାସୀ କୁମାର ବେହେରା ପ୍ରମୁଖ ନିଜ ବକ୍ତବ୍ୟ ରଖିଥିଲେ।

ସମ୍ବନ୍ଧିତ ଖବର