ଦିବ୍ୟାଙ୍ଗ ଶିଶୁ କନ୍ୟା ହେଲା ଅଲୋଡ଼ା

ବାରଙ୍ଗ : ଦିବ୍ୟାଙ୍ଗ ହୋଇ ଜନ୍ମ ହେବ ବୋଲି ସେ ତ ଜାଣିନଥିଲା। ମାତ୍ର ଦୁନିଆକୁ ଆସୁଆସୁ ସେ ଅଲୋଡ଼ା ହୋଇଗଲା। ଏମିତି ଏକ ଘଟଣା ଘଟିଛି ବାରଙ୍ଗ ଥାନା ଅଧୀନସ୍ଥ ମଧୁବନ ଗ୍ରାମରେ। ଆଜି ସଂପୃକ୍ତ ଗ୍ରାମର ଶିଶିର ପଣ୍ଡା ଗାଁ ନିକଟ କନକେଶ୍ୱର ମନ୍ଦିରକୁ ଯାଇଥିବା ବେଳେ ଶ୍ମଶାନ ନିକଟରେ ଦିବ୍ୟାଙ୍ଗ ଶିଶୁ କନ୍ୟାଟିଏ ପଡ଼ି କାନ୍ଦୁଥିବା ଦେଖିବାକୁ ପାଇଥିଲେ। ଶିଶୁକନ୍ୟାର ପିଠିରେ କୁବୁଜ ଥିବା ବେଳେ ୨ ଗୋଡ଼ ଅଚଳ ହୋଇଯାଇଥିବା ଦେଖି ସେ ଶିଶୁଟିକୁ ଘରକୁ ନେଇ ଯାଇଥିଲେ। ପରେ ଶିଶିର ଏନେଇ ବାରଙ୍ଗ ଥାନାକୁ ଜଣାଇଥିଲେ। ମାତ୍ର ପୁଲିସ୍‌ ଏ ବାବଦରେ ସାହାଯ୍ୟ କରିପାରିବ ନାହିଁ ବୋଲି କହିଥିଲା। ତେଣୁ ଶିଶିର ଶିଶୁକୁ ନେଇ କଟକ ବଡ଼ ମେଡିକାଲ୍‌କୁ ନେଇ ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ। ଡାକ୍ତର ଶିଶୁର ଚିକିତ୍ସା ପାଇଁ ଦେଢ଼ ଲକ୍ଷ ଟଙ୍କା ଖର୍ଚ ହେବ ବୋଲି କହିଥିଲେ। ତେବେ ଶିଶିରଙ୍କ ପାଖରେ ଏତେ ସମ୍ବଳ ନଥିବାରୁ ସେ ସେଠାରୁ ଫେରି ଆସିଥିଲେ। ପରେ କଟକ ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀ ପ୍ରଗତି ମହାନ୍ତିଙ୍କୁ ଭେଟି ଶିଶୁ କନ୍ୟାକୁ ତାଙ୍କ ଜିମା ଦେଇଥିଲେ।

ସମ୍ବନ୍ଧିତ ଖବର