ଭୁବନେଶ୍ୱର: ଏକଦା ଭଲ ସ୍ତ୍ରୀ ରୋଗ ଓ ପ୍ରସୂତି ବିଶେଷଜ୍ଞ ଓ ଟେକ୍‌ନିସିଆନଙ୍କ ପାଇଁ ଗର୍ଭବତୀଙ୍କ ଭିଡ଼ ଲାଗୁଥିବା ପୁରୁଣା ଭୁବନେଶ୍ବର ସ୍ଥିତ ବିଏମ୍‌ସି ହସ୍‌ପିଟାଲ୍‌କୁ ଆଉ ଗର୍ଭବତୀ ଯାଉ ନାହାନ୍ତି। ଅଲ୍‌ଟ୍ରାସାଉଣ୍ଡ ମେସିନ୍‌ ଖରାପ ହୋଇ ଯାଇଥିବାରୁ ଭଲ ଡାକ୍ତର ବି ନାହାନ୍ତି କି ଟେକ୍‌ନିସିଆନ୍‌ ବି ନାହାନ୍ତି। ଗର୍ଭବତୀ ଏଠାରୁ ନିୟମିତ ହତାଶ ହୋଇ ଫେରିବା ପରେ ଏବେ କ୍ୟାପିଟାଲ୍‌ ହସ୍‌ପିଟାଲ୍‌ରେ ଗର୍ଭବତୀଙ୍କ ସଂଖ୍ୟା ତିନିଗୁଣ ହୋଇଯାଇଛି। ବିଏମ୍‌ସି ମେଡିକାଲ୍‌‌କୁ ଅଲ୍ଟ୍ରାସାଉଣ୍ଡ ମେସିନ୍‌ ଆଣିବା ପାଇଁ ଯୋଜନା ହୋଇଥିଲା। ଏହି ଖର୍ଚ୍ଚ ବିଏମ୍‌ସି ପାଣ୍ଠିରୁ ନୁହେଁ, ବରଂ ବର୍ଷେ ତଳୁ ବେଦାନ୍ତ ପ୍ରଦାନ କରିସାରିଛି। ବିଏମ୍‌ସି କେବଳ ମେସିନ୍‌ କିଣିବା କଥା। ତଥାପି ତାହା ସମ୍ଭବ ହେଉ ନାହିଁ। ଏହାକୁ ନେଇ ଷ୍ଟାଣ୍ଡିଂ କମିଟି ପ୍ରଶ୍ନ ଉଠାଇବା‌ ପରେ ତନାଘନା ଆରମ୍ଭ ହୋଇଛି। କେଉଁ ପରିସ୍ଥିତିରେ ମେସିନ୍‌ କିଣା ହୋଇ ପାରିଲା ନାହିଁ ତାହାକୁ ନେଇ ଖୋଳତାଡ଼ ଆରମ୍ଭ ହୋଇଛି। ଖୋଳତାଡ଼ କରୁ କରୁ ଆଉ ଏକ ବିଚିତ୍ର କଥା ପଦାକୁ ଆସିଛି। ୨୦୧୯ ମସିହାରୁ ଦୁଇ ଜଣ ଡାକ୍ତର ବିଏମ୍‌ସିରୁ ଦରମା ନେଉଛନ୍ତି। ଏଥିପାଇଁ ବିଏମ୍‌ସି ସ୍ବୀକୃତି ଦେଇ ନାହିଁ। କର୍ପୋରେସନର ବିନା ସ୍ବୀକୃତିରେ ସେମାନେ କିଭଳି ଦରମା ନେଉଛନ୍ତି ସେ ନେଇ ଆଶ୍ଚର୍ଯ୍ୟ ପ୍ରକଟ କରିଛି ବିଏମ୍‌ସିର ପବ୍ଲିକ୍‌ ହେଲ୍ଥ ଷ୍ଟାଣ୍ଡିଂ କମିଟି। ଏ ସବୁ ଅର୍ଥ ବେଆଇନ ଭାବରେ ପ୍ରଦାନ କରାଯାଇଛି। ୨୦୨୯ରୁ ଆଜି ପର୍ଯ୍ୟନ୍ତ ୫ ବର୍ଷର ଦରମା ହିସାବ କରି ରିକଭରି କରିବାକୁ କମିଟି ସୁପାରିସ କରିଛି। ଏଭଳି ଅନିୟମିତତା ପଛରେ କିଏ ଅଛି ବା କାହା ନିର୍ଦ୍ଦେଶରେ ଅନିୟମିତତା ହୋଇଛି ତାହାର ତଦନ୍ତ କରି ସମ୍ପୃକ୍ତ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସୁପାରିସ କରାଯାଇଛି।

Advertisment

ଲାଗିବ ଅଟୋ ଷ୍ଟେରିଲାଇଜେସନ ମେସିନ୍‌
ଆର୍‌କେଏସ୍‌ ବୈଠକକୁ ଯିବେ ଷ୍ଟାଣ୍ଡିଂ କମିଟି ସଭ୍ୟ
ବିନା ଆଦେଶରେ ଦରମା ନେଉଛନ୍ତି ୨ ଡାକ୍ତର

ଏହି ହସ୍‌ପିଟାଲ୍‌ ବୈଠକରେ ବସୁଥିବା ରୋଗୀ କଲ୍ୟାଣ ସମିତି ବୈଠକରେ ମେଡିକାଲ୍‌ର ଉନ୍ନତି ଓ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତିମାନ ନିଆଯାଉଛି। ବିଏମ୍‌ସି ଏହି ମେଡିକାଲ୍‌ ପରିଚାଳନା କରୁଛି। କିନ୍ତୁ ଏଥିରେ ବିଏମ୍‌ସିର ପବ୍ଲିକ୍‌ ହେଲ୍ଥ ଷ୍ଟାଣ୍ଡିଂ କମିଟିକୁ ଡକା ଯାଉ ନାହିଁ। ଯାହା ଫଳରେ ନିଷ୍ପତ୍ତି ଗ୍ରହଣ କରିବା‌ ପୂର୍ବରୁ କମିଟି ଉପଯୁକ୍ତ ପରାମର୍ଶ ଦେଇ ପାରୁ ନାହିଁ। ଏହାକୁ ନେଇ ଉଦ୍‌ବେଗ ପ୍ରକାଶ ପାଇବା ପରେ ପରବର୍ତ୍ତୀ ବୈଠକରେ କମିଟି ସଦସ୍ୟଙ୍କୁ ଉପସ୍ଥିତ ରହିବାକୁ ନିଷ୍ପତ୍ତି ହୋଇଛି। ସେହିଭଳି ମେଡିକାଲ୍‌ ବାହାରେ ରୋଗୀ ଓ ତାଙ୍କ ପରିଜନମାନେ ଖରା ବର୍ଷାରେ ଧାଡ଼ିବାନ୍ଧି ଛିଡ଼ା ହେଉଥିବାରୁ ଏଠାରେ ଏକ ସେଡ୍‌ କରିବାକୁ ବିଏମ୍‌ସି ନିଷ୍ପତ୍ତି ନେଇଛି। ସେହିଭଳି ମେଡିକାଲ୍‌ରେ ଅଗ୍ନି ନିର୍ବାପକ ବ୍ୟବସ୍ଥା କରିବାକୁ ବିଏମ୍‌ସି ଯୋଜନା କରିଛି। ଅସ୍ତ୍ରୋପଚାରରେ ବ୍ୟବହାର ହେଉଥିବା ଯନ୍ତ୍ରପାତିଗୁଡ଼ିକୁ ବିଶୋଧିତ କରିବାକୁ ଏକ ଅଟୋ ଷ୍ଟେରିଲାଇଜେସନ ମେସିନ୍‌ କିଣିବାକୁ ଯୋଜନା ହୋଇଛି।

ଏଠାରେ ସୂଚାଇ ଦିଆଯାଇପାରେ, ଗତ ବର୍ଷ ବେଦାନ୍ତ ଅଲ୍ଟ୍ରାସାଉଣ୍ଡ ମେସିନ୍‌ କିଣିବାକୁ ବିଏମ୍‌ସିକୁ ଅର୍ଥ ପ୍ରଦାନ କରିଥିଲା। ଗତ ବର୍ଷ ଫେବ୍ରୁଆରି ମାସରେ ବିଏମ୍‌ସି ଏହି ମେସିନ୍‌ ଯୋଗାଇବା ପାଇଁ ଠିକା ସଂସ୍ଥା ଚୟନ କରିବାକୁ ଟେଣ୍ଡର ଡାକିଥିଲା। ୨୧ ଇଞ୍ଚର ଏଲ୍‌ଇଡି ଡିସ୍‌ପ୍ଲେ ସହ ଟଚ୍‌ ସ୍କ୍ରିନ୍‌ କଣ୍ଟ୍ରୋଲ୍‌ ପ୍ୟାନେଲ୍‌ ଭଳି ଅତ୍ୟାଧୁନିକ ସୁବିଧା ରହିବାକୁ ବିଏମ୍‌ସି ସର୍ତ୍ତ ରଖିଥିଲା। ୫ ବର୍ଷ ପର୍ଯ୍ୟନ୍ତ ଠିକା ସଂସ୍ଥା ଏହାର ରକ୍ଷଣାବେକ୍ଷଣ କରିଥାନ୍ତା। ଖୁବ୍‌ଶୀଘ୍ର ଅର୍ଥାତ୍‌ ୨୦୨୩ ଏପ୍ରିଲ୍‌ ସୁଦ୍ଧା ଏହି ମେସିନ୍‌ ଲାଗିଯିବା କଥା। ହେଲେ କଣ ହେଲା କେଜାଣି ଏହି ମେସିନ୍‌ କିଣା ଯାଇ ପାରିଲା ନାହିଁ। ତେବେ ବିଏମ୍‌ସି କହିଛି ଟେଣ୍ଡର ସରିଛି। କେବଳ ଖୋଲା ଯାଇ ପାରିନି। କମ୍‌ ଦିନ ଭିତରେ ଖୋଲା ଯାଇ ଠିକା ସଂସ୍ଥା ଚୟନ କରାଯିବା ସହ ମେସିନ୍‌ କିଣାଯିବ। ତେବେ ଟେଣ୍ଡର ଖୋଲୁ ଖୋଲୁ ବର୍ଷେ କାହିଁକି ଲାଗିଗଲା ସେ ନେଇ କାହା ପାଖରେ ଉତ୍ତର ନାହିଁ।