ଭୁବନେଶ୍ୱର: ଶାରୀରିକ ଅକ୍ଷମତା ବାଧକ ସାଜିନି। ପ୍ରବଳ ଇଚ୍ଛାଶକ୍ତି ତାଙ୍କୁ ସ୍ବାଭିମାନ ସହ ବଞ୍ଚିବାର ରାହା ଦେଖାଇଛି। ଅନ୍ୟ ଉପରେ ବୋଝ ନ ହୋଇ ସେ ସ୍ବାବଲମ୍ବୀ ହୋଇଛନ୍ତି। କେବଳ ସ୍ବାବଲମ୍ବୀ ହୋଇ ନାହାନ୍ତି ବରଂ ଅନ୍ୟମାନଙ୍କ ପାଇଁ ଉଦାହରଣ ହୋଇଛନ୍ତି। ସମସ୍ତ ପ୍ରତିକୂଳ ପରିସ୍ଥିତିକୁ ଏଡ଼ାଇ ସେ କେବଳ ନିଜ ପାଇଁ ନୁହେଁ ବରଂ ନିଜ ପରିବାର ପ୍ରତିପୋଷାଣ କରୁଛନ୍ତି। ସେ ହେଉଛନ୍ତି ବିଜେବିନଗର ଅଞ୍ଚଳରେ ରହୁଥିବା ସନ୍ତୋଷ ପ୍ରଧାନ। ସେ ଜୋମାଟୋର ହୋମ୍‌ ଡେଲିଭରି ବୟ ସାଜିଛନ୍ତି। ଅନ୍‌ଲାଇନ୍‌ରେ ବୁକିଂ ହେଉଥିବା ଖାଦ୍ୟ ପଦାର୍ଥ ସେ ଘର ଘର ବୁଲି ଡେଲିଭରି କରୁଛନ୍ତି। ଆଗକୁ ବଢ଼ିବାର ନିଶାରେ ସେ ସ୍ବପ୍ନ ଦେଖିବା ଛାଡ଼ି ନାହାନ୍ତି। ପଢ଼ାପଢ଼ି ବି ଜାରି ରଖିଛନ୍ତି।

Advertisment

ବାପା କପିଳ ପ୍ରଧାନ ଦିନ ମଜୁରିଆ। କେତେବେଳେ କାମ ମିଳେ ତ କେତେବେଳେ ମିଳେନି। ମା’ ମୀନା ପ୍ରଧାନ ଗୃହିଣୀ। ଘର ବ୍ରହ୍ମପୁର। ସନ୍ତୋଷଙ୍କୁ ବୟସ ମାତ୍ର ୨୨ ବର୍ଷ। ଦୁଇଟି ଯାକ ଗୋଡ଼ ଜନ୍ମରୁ ଅଚଳ। ବାପା ମା’ ଭାବୁଥିଲେ ବୟସ ବଢ଼ିବା ସହ ଗୋଡ଼ ବି ଠିକ୍‌ ହେଇଯିବ। ଏଥିପାଇଁ କେତେ ମାନସିକ, କେତେ ପୂଜାପାଠ କରୁଥିଲେ। କିଛି କାମରେ ଲାଗିଲାନି। ହେଲେ ବାପା ମା’ ବି ହାରି ଯାଇନଥିଲେ। ଭୁବନେଶ୍ବର ଆସି ଭଡ଼ା ଘରେ ରହିବା ସହ ସ୍ବଳ୍ପ ରୋଜଗାରରେ ସନ୍ତୋଷଙ୍କୁ ପାଠ ପଢ଼ାଇବାରେ ହେଳା କରିନଥିଲେ। କଷ୍ଟେମଷ୍ଟେ ସରକାରୀ ସ୍କୁଲ୍‌ରେ +୨(କଳା)ର ପ୍ରଥମ ବର୍ଷର ଅଧା ଯାଏ ପାଠପଢ଼ା ହୋଇଯାଇଥିଲା। ହେଲେ ଏହା ପରେ ଆଉ ସମ୍ଭବ ହେଲାନି। ଆର୍ଥିକ ସଙ୍କଟ ତାଙ୍କ ପାଠ ପଢ଼ାରେ ଡୋରି ବାନ୍ଧିଦେଲା। ଆଉ ସନ୍ତୋଷ ନିଜ ଅଚଳ ଗୋଡ଼ ପଦାକୁ ବାହାର କଲେ।

ଜୋମୋଟୋ ତାଙ୍କୁ ଡେଲିଭରି ବୟ ଭାବରେ ଚାକିରି ଦେଲା। ସରକାରଙ୍କ ପାଖରୁ ଏକ ବ୍ୟାଟେରି ଚାଳିତ ଟ୍ରାଇ ସାଇକେଲ୍‌ ଧରି ସେ ଘର ଘର ବୁଲିବା ଆରମ୍ଭ କଲେ। ଖରା, ବର୍ଷା ଓ ଶୀତରେ ଗଳି ଗଳି ବୁଲି ଖାଦ୍ୟପଦାର୍ଥ ଡେଲିଭରି କରୁଛନ୍ତି। ଦିନକୁ ୧୦ରୁ ୧୫ ଡେଲିଭରି ହେଉଛି। ବେଳେବେଳେ ଟିକିଏ ଅଧିକ ପରିଶ୍ରମ କଲେ ୨୦ଟି ଡେଲିଭରି ହେଉଛି। ଦିନକୁ ସର୍ବାଧିକ ୫ଶହ ଟଙ୍କା ରୋଜଗାର ହେଉଛି। ସେଥିରୁ କିଛି ସଞ୍ଚୟ କରି ଆଗକୁ ପାଠପଢ଼ା ସମ୍ପୂର୍ଣ୍ଣ କରିବା ସହ କମ୍ପିଟିଟିଭ୍‌ ପରୀକ୍ଷା ଦେବା ପାଇଁ ଯୋଜନା କରିଛନ୍ତି ସନ୍ତୋଷ। ଆଗକୁ ବଢ଼ିବାର ନିଶାରେ ସେ ପଢ଼ାପଢ଼ି ଜାରି ରଖିଛନ୍ତି। ସେ କହିଛନ୍ତି, ଦୃଢ଼ ମନୋବଳ ଅନେକ କଷ୍ଟ କାମକୁ ସହଜ କରିଦିଏ। ଜଣେ ଦିବ୍ୟାଙ୍ଗ ଚାହିଲେ ଅନେକ ଅସମ୍ଭବକୁ ସମ୍ଭବ କରିପାରିବ। ମାନସିକ ସ୍ତରରେ ଏଥିପାଇଁ ପ୍ରସ୍ତୁତ ହେବାକୁ ହେବ ବୋଲି ସେ କହିଛନ୍ତି।