ଭୁବନେଶ୍ବର: ସରକାରୀ ବିଶ୍ବବିଦ୍ୟାଳୟର ବିକାଶ ଲାଗି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ପାଣ୍ଠିରୁ କୋଟି କୋଟି ଟଙ୍କା ଆସୁଛି। ଏତେ ସବୁ ପରେ ବି ଉଚ୍ଚଶିକ୍ଷା ସ୍ଥିତିରେ କୌଣସି ସୁଧାର ଆସୁନି। ନୂଆ କରି ପ୍ରତିଷ୍ଠା ହୋଇଥିବା ଘରୋଇ ଶିକ୍ଷାନୁଷ୍ଠାନଗୁଡ଼ିକ ଜାତୀୟସ୍ତରରେ ବାରମ୍ବାର ସଫଳତା ହାସଲ କରୁଥିବା ବେଳେ ସରକାରୀ ଶିକ୍ଷାନୁଷ୍ଠାନର ଦୟନୀୟ ସ୍ଥିତି ଜାରି ରହିଛି। କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ‘ଶ୍ରେଷ୍ଠ ଶହେ’ ଶିକ୍ଷାନୁଷ୍ଠାନ ତାଲିକାକୁ ଦେଖିଲେ ସରକାରୀ ଶିକ୍ଷାନୁଷ୍ଠାନଗୁଡ଼ିକର ସ୍ଥିତି କେତେ ତଳକୁ ଖସିଲାଣି ତାହା ଜଳଜଳ ଦିଶୁଛି। ରାଜ୍ୟର ଏକମାତ୍ର ଶିକ୍ଷାନୁଷ୍ଠାନ ଭାବେ ୨୦୧୬ରେ ନାକ୍‌ ‘ଏ+’ ଗ୍ରେଡ୍‌ ହାସଲ କରିଥିବା ଉତ୍କଳ ବିଶ୍ବବିଦ୍ୟାଳୟ ଏଥର ବି ‌‘ଶ୍ରେଷ୍ଠ ଶହେ’ ଭିତରକୁ ଆସିପାରି ନାହିଁ। ଯେତେବେଳେ କି ନାକ୍‌ ‘ଏ’ ଗ୍ରେଡ୍‌ ମାନ୍ୟତା ହାସଲ କରିଥିବା ସୋଆ ବିଶ୍ବବିଦ୍ୟାଳୟ(୩୮) ଓ କିଟ୍‌ ବିଶ୍ବବିଦ୍ୟାଳୟ(୪୪) ଲଗାତାର ଭାବେ ଉନ୍ନତ ପ୍ରଦର୍ଶନ କରିଚାଲିଛନ୍ତି। ତେବେ ଆଶ୍ବାସନାର ବିଷୟ ହେଉଛି ଯେ ‘ଶ୍ରେଷ୍ଠ ଶହେ ବିଶ୍ବବିଦ୍ୟାଳୟ’ ବର୍ଗରେ ଉତ୍କଳ ବିଶ୍ବବିଦ୍ୟାଳୟ ପ୍ରଥମଥର ଲାଗି ଶହେ ଭିତର(୯୬ତମ ସ୍ଥାନ)କୁ ପ୍ରବେଶ କରିଛି। ତେବେ ପୂର୍ବ ରେକର୍ଡ ଭାଙ୍ଗିପାରି ନାହିଁ। ସରକାରୀ ବିଶ୍ବବିଦ୍ୟାଳୟ ଭାବେ ୨୦୧୮ରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ(ଓୟୁଏଟି) ‌୯୧ତମ ସ୍ଥାନରେ ରହିଥିଲା।

Advertisment

ସବୁଠାରୁ ବଡ଼ କଥା ହେଉଛି ନାକ୍‌ ‘ଏ+’ ଗ୍ରେଡ୍‌ ହାସଲ କରିବା ସହ କେନ୍ଦ୍ର ସରକାରଙ୍କ ୨୫ଟି କାଟାଗୋରି-୧ ଶିକ୍ଷାନୁଷ୍ଠାନ ମଧ୍ୟରେ ଥିବା ଉତ୍କଳ ବିଶ୍ବବିଦ୍ୟାଳୟର ଲଜ୍ଜାଜନକ ସ୍ଥିତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ବିଗତ ୩ ବର୍ଷ ମଧ୍ୟରେ ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ପ୍ରାୟ ଶହେ କୋଟି ଟଙ୍କା ଖର୍ଚ୍ଚ କରାଯାଇ ୯ଟି ସେଣ୍ଟର ଅଫ୍‌ ଏକ୍ସଲେନ୍ସ ପ୍ରତିଷ୍ଠା ହୋଇଛି। ଦ୍ବିତୀୟ କ୍ୟାମ୍ପସ ପ୍ରତିଷ୍ଠା ସହ ଭିତ୍ତିଭୂମି ବିକାଶ ଲାଗି ରାଜ୍ୟ ସରକାର ହାତ ଖୋଲି ଟଙ୍କା ଅଜାଡ଼ି ଦେଇଛନ୍ତି। ତା’ପରେ ବି ‘ଶ୍ରେଷ୍ଠ ଶହେ’କୁ ଆସିପାରିଲାନି ଦେଶର ଏହି କାଟାଗୋରି-୧ ଶିକ୍ଷାନୁଷ୍ଠାନ। ଯେତେବେଳେ କି ଗୋଆ, ପଞ୍ଜାବ, ପୁଡୁଚେରି, ଜମ୍ମୁ, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, ତାମିଲନାଡ଼ୁ ଆଦି ରାଜ୍ୟର ସରକାରୀ ବିଶ୍ବବିଦ୍ୟାଳୟଗୁଡ଼ିକ ଉତ୍କଳ ତୁଳନାରେ ଉନ୍ନତ ପ୍ରଦର୍ଶନ କରିଛନ୍ତି।

ଗୁଣାତ୍ମକ ଶିକ୍ଷା, ଗବେଷଣାକୁ ନେଇ ଡିଣ୍ତିମ ପିଟୁଥିବା ଉଚ୍ଚଶିକ୍ଷା‌ ବିଭାଗର ପାରିବାପଣିଆ ନେଇ ଏବେ ପ୍ରଶ୍ନ ଉଠିଛି। ବିଭାଗ ଅଧୀନରେ ୧୧ଟି ବିଶ୍ବବିଦ୍ୟାଳୟ ରହିଛି। ସେଥିମଧ୍ୟରୁ ଗୋଟିଏ ବି ‌‘ଶ୍ରେଷ୍ଠ ଶହେ’ ତାଲିକାରେ ନାହାନ୍ତି। ‘ଶ୍ରେଷ୍ଠ ଶହେ ବିଶ୍ବବିଦ୍ୟାଳୟ’ ତାଲିକାରେ ଉତ୍କଳ ୯୬ତମ ସ୍ଥାନରେ ଥିବା ବେଳେ ସମ୍ବଲପୁର ବିଶ୍ବବିଦ୍ୟାଳୟ ୧୦୧ରୁ ୧୫୦ ଓ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ୧୫୧ରୁ ୨୦୦ତମ ରୢାଙ୍କ ମଧ୍ୟରେ ରହିଛି। ଫକୀର ମୋହନ ବିଶ୍ବବିଦ୍ୟାଳୟ, ରେଭେନ୍ସା ବିଶ୍ବବିଦ୍ୟାଳୟ, ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟ, ‌ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ, ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟ ପରି ଶିକ୍ଷାନୁଷ୍ଠାନ ୨୦୦ ତାଲିକା ମଧ୍ୟକୁ ନ ଆସିବା ପରିତାପର ବିଷୟ। ଉକ୍ତ ବିଶ୍ବବିଦ୍ୟାଳୟ ମଧ୍ୟରୁ ଅଧିକାଂଶ ଆବେଦନ କରି ନଥିବା ଜଣାପଡ଼ିଛି। ଓଡ଼ିଶାର ଉଚ୍ଚଶିକ୍ଷା ବ୍ୟବସ୍ଥା ସଜାଡ଼ିବା ପାଇଁ ରାଜ୍ୟ ସରକାର ବାର୍ଷିକ ଦୁଇ ହଜାର କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି। ଇ-ପାଠାଗାର, ଡିଜିଟାଲ କ୍ଲାସରୁମ୍‌, କ୍ୟାମ୍ପସ ସମ୍ପ୍ରସାରଣ ଦିଗରେ ଦୃଷ୍ଟି ଦେଉଛନ୍ତି। ବିଶ୍ବବ୍ୟାଙ୍କରୁ ବି ଋଣ ଆଣି ଉଚ୍ଚଶିକ୍ଷା ବ୍ୟବସ୍ଥା ସଜାଡ଼ିବା ଲାଗି ଅଣ୍ଟା ଭିଡ଼ୁଛନ୍ତି। ଏତେ ସବୁ ପରେ ବି ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ତାଲିକାରେ ସରକାରୀ ଶିକ୍ଷାନୁଷ୍ଠାନର ନୈରାଶ୍ୟଜନକ ପ୍ରଦର୍ଶନ ରାଜ୍ୟର ଉଚ୍ଚଶିକ୍ଷାର ଦୁର୍ବଳ ସ୍ଥିତିକୁ ଜାହିର‌୍‌ କରୁଛି। ଆଶ୍ଚର୍ଯ୍ୟଜନକ ବିଷୟ ହେଉଛି ଯେ କଲେଜ ବର୍ଗରେ ଓଡ଼ିଶାର ଗୋଟିଏ ବି କଲେଜ ସ୍ଥାନ ପାଇ ପାରିନାହାନ୍ତି।

ବିଶ୍ବବିଦ୍ୟାଳୟ ବର୍ଗରେ ୯୬ତମ ସ୍ଥାନରେ ଉତ୍କଳ, ଓୟୁଏଟିର ରେକର୍ଡ ବି ଭାଙ୍ଗି ପାରିଲାନି

ନୈରାଶ୍ୟଜନକ ପ୍ରଦର୍ଶନ: ଏବିଭିପି
ଭୁବନେଶ୍ବର: ଏନ୍ଆଇଆରଏଫ୍ ରୢାଙ୍କିଙ୍ଗରେ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ କୌଣସି ବିଶ୍ୱବିଦ୍ୟାଳୟ ଶ୍ରେଷ୍ଠ ଶତକରେ ସ୍ଥାନ ପାଇ ନଥିବାରୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ପକ୍ଷରୁ କଡ଼ା ସମାଲୋଚନା କରାଯାଇଛି। ସଙ୍ଗଠନର ରାଜ୍ୟ ସମ୍ପାଦକ ଶଶିକାନ୍ତ ମିଶ୍ର କହିଛନ୍ତି ଯେ ତାଲିକାକୁ ଦେଖିଲେ ଓଡ଼ିଶାର ବିଶ୍ୱବିଦ୍ୟାଳୟଗୁଡ଼ିକର ବିପର୍ଯ୍ୟସ୍ତ ସ୍ଥିତି ପ୍ରତିଫଳିତ ହେଉଛି। ରାଜ୍ୟରେ ଥିବା ରାଷ୍ଟ୍ରୀୟ ଓ ଘରୋଇ ଶିକ୍ଷାନୁଷ୍ଠାନ ଶ୍ରେଷ୍ଠ ଶହେରେ ଥିବା ବେଳେ ରାଜ୍ୟ ସରକାରଙ୍କ ଦ୍ବାରା ପରିଚାଳିତ କୌଣସି ଶିକ୍ଷାନୁଷ୍ଠାନ ଏଥିରେ ସ୍ଥାନ ନପାଇବା ଅତ୍ୟନ୍ତ ନିନ୍ଦନୀୟ। ଓଡ଼ିଶାରେ ପ୍ରାୟ ୨ ହଜାର ଶିକ୍ଷାନୁଷ୍ଠାନ ଥିବା ବେଳେ ମାତ୍ର ୨୨ଟି ଭିନ୍ନ ଭିନ୍ନ ବର୍ଗରେ ସ୍ଥାନ ପାଇଛନ୍ତି। ତେବେ ବିଶ୍ବବିଦ୍ୟାଳୟ ବର୍ଗରେ ଉତ୍କଳ ବିଶ୍ବବିଦ୍ୟାଳୟ ୯୬ତମ ସ୍ଥାନରେ ରହିଛି। ଏହାକୁ ନେଇ ରାଜ୍ୟ ସରକାର ଯେଉଁଭଳି ଉତ୍‌ଫୁଲ୍ଲିତ ହେଉଛନ୍ତି ତାହାକୁ ଦେଖିଲେ ‘ନାହିଁ ମାମୁଁଠାରୁ କଣା ମାମୁଁ ଭଲ’ ଭଳି ଲାଗୁଛି। ଅନ୍ୟ ରାଜ୍ୟର ସରକାରୀ ବିଶ୍ବବିଦ୍ୟାଳୟଗୁଡ଼ିକ ଶ୍ରେଷ୍ଠ ୫୦ରେ ପହଞ୍ଚିଥିବା ବେଳେ ୭୭ ବର୍ଷର ଉତ୍କଳ ବିଶ୍ବବିଦ୍ୟାଳୟର ଦୟନୀୟ ସ୍ଥିତି ଆଶ୍ଚର୍ଯ୍ୟଜନକ। ମୟୂରଭଞ୍ଜ ଜିଲ୍ଲାର ଶୁକୃଳି ଡିଗ୍ରି କଲେଜ ରୢାଙ୍କିଙ୍ଗ ପାଇଁ ଆବେଦନ କରିଥିବା ବେଳେ ବିପିୟୁଟି ଭଳି ବିଶ୍ୱବିଦ୍ୟାଳୟ ଆବେଦନ ନ କରିବା ଦୁର୍ଭାଗ୍ୟଜନକ ବୋଲି ଏବିଭିପିର ଟେକ୍ନିକାଲ ଛାତ୍ର ସଂଯୋଜକ ପ୍ରୀତମ ଦାସ କହିଛନ୍ତି।