ନ୍ୟାୟ ପାଇଁ ଥାନାକୁ ଦୌଡ଼ିଦୌଡ଼ି ନିରାଶ: ଧାର ଟଙ୍କା ମାଗିବାରୁ ମହିଳାଙ୍କୁ ଦୁଷ୍କର୍ମ

ଭୁବନେଶ୍ବର: ବ୍ୟବସାୟ ନାଁରେ ମହିଳାଙ୍କଠାରୁ ୫ଲକ୍ଷ ଟଙ୍କା ଧାର ନେଇଥିଲା। କିନ୍ତୁ ଟଙ୍କା ଫେରାଇବା ବଦଳରେ ମହିଳାଙ୍କୁ ବ୍ଲାକମେଲ୍‌ କରିବା ସହ ଦୁଷ୍କର୍ମ କଲା। ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଥିଲେ ହେଁ ପୁଲିସ ଅଭିଯୁକ୍ତକୁ ଗିରଫ କରୁନି। ଏନେଇ ପୀଡ଼ିତାଜଣଙ୍କ ଥାନାକୁ ଦୌଡ଼ି ଦୌଡ଼ି ନିରାଶ ହେବାପରେ ଶେଷରେ ଡିସିପିଙ୍କ ଦ୍ବାରସ୍ଥ ହୋଇଛନ୍ତି।ସୂଚନା ମୁତାବକ, କିଛି ଦିନ ତଳେ ବାପୁଜୀନଗର ଅଞ୍ଚଳର ଜଣେ ବ୍ୟବସାୟୀ ତାଙ୍କ ସାଙ୍ଗ ପତ୍ନୀଙ୍କଠାରୁ ୫ଲକ୍ଷ ଟଙ୍କା ଧାର ନେଇଥିଲା। କିଛି ଦିନ ପରେ ମହିଳାଜଣଙ୍କ ଟଙ୍କା ଫେରାଇବାକୁ କହିବାରୁ ବ୍ୟବସାୟୀଜଣଙ୍କ ଆଜିକାଲି କହି ଦିନ ଗଡ଼ାଇ ଚାଲିଥିଲେ। ତେବ‌େ ମହିଳାଜଣଙ୍କ ବାରମ୍ବାର ଫୋନ୍‌ କରି ଟଙ୍କା ମାଗିବାରୁ ସେ ତାଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲା। ଥରେ ମହିଳାଙ୍କ ସ୍ବାମୀ ଘରେ ନଥିବା ସୁଯୋଗରେ ସେ ତାଙ୍କ ଘରେ ପଶି ଦୁଷ୍କର୍ମ କରିବା ସହ ଭିଡିଓ କରିନେଇଥିଲା। ଏହାପରେ ତାଙ୍କୁ ବ୍ଲାକମେଲ୍‌ କରିବା ଆରମ୍ଭ କରିଦେଇଥିଲା।

ଟଙ୍କା ମାଗିଲେ ଭିଡିଓ ଭାଇରାଲ୍‌ କରିଦେବ ବୋଲି ଧମକ ଦେଇଥିଲା। ଏନେଇ ମହିଳାଜଣଙ୍କ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଥିଲେ ହେଁ ପୁଲିସ୍‌ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିଲା। ଥାନାରୁ ନିରାଶ ହେବା ପରେ ମହିଳାଜଣଙ୍କ ଡିସିପି କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ। ପରେ ଡିସିପିଙ୍କ ନିର୍ଦ୍ଦେଶରେ ପଡ଼ିବାରୁ ପୁଲିସ ମାମଲା ରୁଜୁ କରିଥିଲା। କିନ୍ତୁ ଅଭିଯୁକ୍ତକୁ ଗିରଫ କରିବା ତ ଦୂରର କଥା ତାଙ୍କୁ ଜେରା ବି କରିନାହିଁ ବୋଲି ମହିଳାଜଣଙ୍କ କହିଛନ୍ତି।

ସମ୍ବନ୍ଧିତ ଖବର