ରାଜସ୍ବ ଆଦାୟରେ ନୈରାଶ୍ୟଜନକ ପ୍ରଦର୍ଶନ, ୩ ୱାର୍ଡ ଅଫିସର୍‌ଙ୍କ ବଦଳି

ଭୁବନେଶ୍ବର: ରାଜସ୍ବ ଆଦାୟରେ ନୈରାଶ୍ୟଜନକ ପ୍ରଦର୍ଶନ ପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗ ବିଏମ୍‌ସିର ତିନିଜଣ ୱାର୍ଡ ଅଫିସର(ଟ୍ୟାକ୍ସ କଲେକ୍ଟର)ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ବିଏମ୍‌ସିର ସୁପାରିସ କ୍ରମେ ଦକ୍ଷିଣ-ପୂର୍ବ ଜୋନ୍‌ରେ କାମ କରୁଥିବା ପ୍ରଦୀପ ମଲ୍ଲିକଙ୍କୁ ରେମୁଣା ଏନ୍‌ଏସି ବଦଳି କରାଯାଇଥିବା ବେଳେ ଉତ୍ତର ଜୋନ୍‌ରେ କାମ କରୁଥିବା ବିନୋଦ ମଲ୍ଲିକ ଓ ଅଜୟ ସ୍ବାଇଁଙ୍କୁ ଯଥାକ୍ରମେ ରେମୁଣା ଏନ୍‌ଏସି ଓ ଚାନ୍ଦବାଲି ଏନ୍‌ଏସି ବଦଳି କରାଯାଇଛି। ରାଜସ୍ବ ଆଦାୟ ସହ ଅନ୍ୟାନ୍ୟ କାର୍ଯ୍ୟରେ ପ୍ରଦର୍ଶନ ସନ୍ତୋଷଜନକ ନଥିବା ବିଏମ୍‌ସି ଗୃହ ଓ ନଗର ଉନ୍ନୟନ ବିଭାଗକୁ ଲେଖିବା ପରେ ବିଭାଗ ଏହି କାର୍ଯ୍ୟାନୁଷ୍ଠାନ ନେଇଛି।
କିନ୍ତୁ ଏମାନଙ୍କ ଜାଗାରେ ନୂଆ ପୋଷ୍ଟିଂ କରାଯାଇ ନାହିଁ।

ଅର୍ଥାତ୍‌ ବିଏମ୍‌ସିରେ ରହିଥିବା ୬୭ ୱାର୍ଡ ପାଇଁ ୪୦ ୱାର୍ଡ ଅଫିସର ରହିଥିଲେ। ଏବେ ଏହି ତିନିଜଣ ଯିବା ପରେ ଏମାନଙ୍କ ସଂଖ୍ୟା ୩୭କୁ ଖସି ଆସିଛି। ୬୭ ୱାର୍ଡ ଦାୟିତ୍ବରେ ଏବେ ୩୭ ଜଣ ଅଛନ୍ତି। ବିକଳ୍ପ ବ୍ୟବସ୍ଥା ନ କରି ଏଭଳି କାର୍ଯ୍ୟାନୁଷ୍ଠାନକୁ ନେଇ ଭିନ୍ନ ଚର୍ଚ୍ଚା ହେଉଛି। ଅନ୍ୟପଟେ ହୋଲ୍ଡିଂ ଟ୍ୟାକ୍ସ ଏବେ କେବଳ ଅନ୍‌ଲାଇନ୍‌ରେ ଆଦାୟ ହେଉଛି। ତା’ ଛଡ଼ା ୱାର୍ଡ ଅଫିସରଙ୍କ କାମ ତଦାରଖ କରିବା ପାଇଁ ୱାର୍ଡ ସୁପରଭାଇଜର ରହିଛନ୍ତି। ୱାର୍ଡ ଅଫିସରଙ୍କ ନୈରାଶ୍ୟଜନକ ପ୍ରଦର୍ଶନରେ ସୁପରଭାଇଜରଙ୍କ ଉପରେ କାହିଁକି କାର୍ଯ୍ୟାନୁଷ୍ଠାନ ହେଉ ନାହିଁ ବୋଲି ପ୍ରଶ୍ନ ଉଠିଛି।

ଅନ୍ୟପଟେ ଏମାନେ ଏବେ ମଶା ଧୂଆଁ ଓ ତେଲ ପକାଇବା କାମ ଠାରୁ ଆରମ୍ଭ କରି ପରିମଳ ବ୍ୟବସ୍ଥାରେ ସଚେତନତା ସହ ଏକାଧିକ କାମରେ ରହିଛନ୍ତି। ଆଧାର ଲିଙ୍କ୍‌ କାମରେ ମଧ୍ୟ ସାମିଲ ହୋଇଛନ୍ତି। ଏକାଧିକ ୱାର୍ଡ ଦାୟିତ୍ବ ସହ ଏଭଳି ଅନ୍ୟାନ୍ୟ କାମ ସେମାନଙ୍କ ପାଇଁ ବୋଝ ହୋଇପଡ଼ିଥିବା ସେମାନେ ଅଭିଯୋଗ କରିଛନ୍ତି।

ମିଳିଥିବା ଏମାନଙ୍କ ବିରେଧରେ ଅଭିଯୋଗ ଏବେର ନୁହେଁ। ବର୍ଷେ ତଳେ ସଞ୍ଜୟ ସିଂହ ସମୀକ୍ଷା କରୁଥିବା ବେଳେ ଏମାନଙ୍କର ପ୍ରଦର୍ଶନ ନୈରାଶ୍ୟଜନକ ଥିବା ଜଣାପଡ଼ିଥିଲା। ସେତେବେଳେ ଏମାନଙ୍କ ସହ ୯ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଫାଇଲ୍‌ ପ୍ରସ୍ତୁତ ହୋଇଥିଲା। ସେହି ପୁରୁଣା ଫାଇଲ୍‌ ଆଧାରରେ ଏବେ ନୂଆ ଅଫିସର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଏକ ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି। ବର୍ଷେ ପରେ ୯ ଜଣଙ୍କ ମଧ୍ୟରୁ କେବଳ ତିନିଜଣଙ୍କ ଉପରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ବୋଲି ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର