ଭୁବନେଶ୍ବର: ୧୯୯୯ ମସିହାର ମହାବାତ୍ୟା ଓଡ଼ିଶାର ଉପକୂଳ ଅଞ୍ଚଳକୁ ଛାରଖାର କରି ଦେଇଥିଲା। କିନ୍ତୁ ଏହାପରେ ଗ୍ରହଣ କରାଯାଇଥିବା ପଦକ୍ଷେପ ଏବଂ ନୀତି ଓଡ଼ିଶାକୁ ମଡେଲରେ ପରିଣତ କରିଛି। ୧୯୯୯ ବାତ୍ୟାରେ ୧୦ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା। ପରବର୍ତ୍ତୀ ବଡ଼ ବାତ୍ୟାରେ ମାତ୍ର ୨୦ରୁ କମ୍ ଲୋକଙ୍କ ଜୀବନ ଯାଇଥିଲା। ଇଂରାଜୀ ଆତ୍ମଜୀବନୀର ଓଡ଼ିଆ ଅନୁବାଦ ସେବା ଅବ୍ୟାହତର ଉନ୍ମୋଚନ କାର୍ଯ୍ୟକ୍ରମରେ ଏହା କହିଛନ୍ତି ଓଡ଼ିଶାର ପୂର୍ବତନ ରାଜ୍ୟପାଳ ଏମ୍ଏମ୍ ରାଜେନ୍ଦ୍ରନ୍। ସୋଆ ପକ୍ଷରୁ ପ୍ରକାଶିତ ଆତ୍ମଜୀବନୀରେ ଜଣେ ବ୍ୟୁରୋକ୍ରାଟ ଏବଂ ରାଜ୍ୟପାଳ ଭାବରେ ନିଜ ଅଭିଜ୍ଞତା କହିଛନ୍ତି। ଏହି ଅବସରରେ ସେ କହିଛନ୍ତି, ବନ୍ୟା ନିୟନ୍ତ୍ରଣ ପାଇଁ ହୀରାକୁଦ ବନ୍ଧର ତଳମୁଣ୍ଡରେ ଛୋଟ ଛୋଟ ବନ୍ଧ ନିର୍ମାଣର ଆବଶ୍ୟକତା ରହିଛି। ହୀରାକୁଦ ବନ୍ଧର ତଳମୁଣ୍ଡରେ ପ୍ରାୟ ୪୮ହଜାର ବର୍ଗ କିମି କ୍ୟାଚ୍ମେଣ୍ଟ ଅଞ୍ଚଳରେ ହେଉଥିବା ବର୍ଷା ଯୋଗୁଁ ଉପକୂଳ ଓଡ଼ିଶାରେ ପ୍ରାୟତଃ ବନ୍ୟା ସମସ୍ୟା ଦେଖା ଦେଉଛି।
ତେଣୁ ମହାନଦୀରେ ଆସି ମିଶିଥିବା ଅନ୍ୟ ନଦୀ ଗୁଡ଼ିକ ଉପରେ ବନ୍ଧ ନିର୍ମାଣ କରାଯିବାର ଆବଶ୍ୟକତା ରହିଛି। ଏଥିରେ ବିଦ୍ୟୁତ୍ ଉତ୍ପାଦନ ମଧ୍ୟ କରାଯାଇ ପାରିବ। ଶିକ୍ଷାବିତ୍ ତଥା ସୋଆ ଉପଦେଷ୍ଟା ମଣ୍ଡଳୀର ଅଧ୍ୟକ୍ଷ ପ୍ରଫେସର ଦାମୋଦର ଆଚାର୍ଯ୍ୟଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସୋଆ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଅଶୋକ କୁମାର ମହାପାତ୍ର, ଶ୍ରୀ ରାଜେନ୍ଦ୍ରନ୍ଙ୍କ ପତ୍ନୀ ସୁଶିଳା ରାଜେନ୍ଦ୍ରନ୍ ଏବଂ ପୁସ୍ତକର ଓଡ଼ିଆ ଅନୁବାଦକ ତଥା ସୋଆ ବିଶ୍ୱବିଦ୍ୟାଳୟ ଆଉଟରିଚ୍ ପ୍ରୋଗ୍ରାମର ନିର୍ଦ୍ଦେଶକ ପ୍ରଫେସର ନଚିକେତା କେ. ଶର୍ମା ଉପସ୍ଥିତ ଥିଲେ। ସୋଆ ଡିନ୍ (ଛାତ୍ର କଲ୍ୟାଣ) ପ୍ରଫେସର ଜ୍ୟୋତି ରଞ୍ଜନ ଦାଶ ଧନ୍ୟବାଦ ଦେଇଥିଲେ।