ଭୁବନେଶ୍ବର: ବୁଣାକାର ଓ କାରିଗରମାନଙ୍କୁ ସିଧାସଳଖ ବଜାର ଯୋଗାଇବା ଲକ୍ଷ୍ୟରେ କେନ୍ଦ୍ର ସରକାର ଆରମ୍ଭ କରିଥିଲେ ‘ଅର୍ବାନ୍ ହାଟ’ ଯୋଜନା। ଏଥିରେ ଓଡ଼ିଶାର ତିନି ପ୍ରମୁଖ ପର୍ଯ୍ୟଟନସ୍ଥଳ ଯଥା ଭୁବନେଶ୍ବର, ପୁରୀ ଓ କୋଣାର୍କରେ ଯଥାକ୍ରମେ ଏକାମ୍ର, ନୀଳାଚଳ ଓ କୋଣାର୍କ ହାଟ ନିର୍ମାଣ ହୋଇଥିଲା। ପର୍ଯ୍ୟଟକ ତଥା ସହରିଆଙ୍କୁ ଆକୃଷ୍ଟ କରିବାକୁ ଏହି ତିନିଟି ହାଟର ନିର୍ମାଣଶୈଳୀ ଗ୍ରାମୀଣ ଢାଞ୍ଚାରେ କରାଯାଇଥିଲା। କିନ୍ତୁ ସରକାରଙ୍କ ଆନ୍ତରିକତାର ଅଭାବରୁ ଏହା କାରିଗର ଓ ବୁଣାକାରଙ୍କ କାମରେ ଆସି ପାରୁନାହିଁ। ଏକାମ୍ର ହାଟରେ କିଛି କିଛି ବ୍ୟବସାୟ ହେଉଥିଲା ବେଳେ ଦିନକୁ ଦିନ ଏହା ବିପର୍ଯ୍ୟସ୍ତ ହେବାକୁ ଯାଉଛି। ଏହା ଘରୋଇ ସଂସ୍ଥାକୁ ଟେକି ଦିଆଯିବ ବୋଲି ଅଭିଯୋଗ ଉଠିଲାଣି। ଅନ୍ୟପଟେ କୋଣାର୍କ ହାଟ ପରିତ୍ୟକ୍ତ ହୋଇ ପଡ଼ିଥିବା ବେଳେ ନୀଳାଚଳ ହାଟ କେବଳ କିଛି ପ୍ରଦର୍ଶନୀ ଓ ମେଳାରେ ସୀମିତ ରହିଛି।
ରାଜଧାନୀର କେନ୍ଦ୍ରସ୍ଥଳରେ ଥିବା ଏକାମ୍ର ହାଟରେ ଗ୍ରାମୀଣ ପରିବେଶ ସହ ଘାସ ଗାଲିଚା, ବଡ଼ ବଡ଼ ବୃକ୍ଷଘେରା ପରିବେଶ ଓ ମଧ୍ୟ ଭାଗରେ ଛୋଟ ପୁଷ୍କରିଣୀ ସହରବାସୀଙ୍କୁ ବେଶ୍ ଆକର୍ଷିତ କରିପାରୁଥିଲା। କିନ୍ତୁ ୨୦୨୦ ମସିହାରେ ଏହାର ନବୀକରଣ ସମୟରେ ଏଠାରେ ଥିବା ଛୋଟ ପୁଷ୍କରିଣୀକୁ ଆଧୁନିକ ଫାଉଣ୍ଟେନ୍ରେ ପରିଣତ କରାଗଲା। ଏବେ ସେ ଫାଉଣ୍ଡେନ୍ ବି ଅଚଳ। ହାଟ ଭିତରେ ପଡ଼ିଥିବା ମାଟିଇଟାକୁ କାଢ଼ି ପେଭର୍ ବ୍ଲକ୍ ପକାଇବା ଫଳରେ ହାଟ ପରିବେଶ ଆଉ ଥଣ୍ଡା ରହୁନାହିଁ। କେନ୍ଦ୍ର ସରକାରଙ୍କ ଗାଇଡ୍ଲାଇନ୍ ଅନୁସାରେ ଏହାର ଏକଚତୁର୍ଥାଂଶ ଜାଗାରେ ହିଁ ନିର୍ମାଣ କାର୍ଯ୍ୟ ହୋଇପାରିବ ଓ ବାକି ସ୍ଥାନ ଖାଲି ରହିବ। କିନ୍ତୁ ଏକାମ୍ର ହାଟ ପଛପାଖରେ ଦୁଇମହଲା କୋଠା ନିର୍ମିତ ହୋଇ ୨ ବର୍ଷ ହେଲା ପରିତ୍ୟକ୍ତ ଅବସ୍ଥାରେ ପଡ଼ିଛି।
ଏଠାରେ ଥିବା ହୋଟେଲ୍ ଓ ପିଣ୍ଡିଗୁଡ଼ିକର ଆବଣ୍ଟନ ବି ଠିକ୍ ଭାବେ ହୋଇପାରୁନାହିଁ। ପୂର୍ବରୁ ବର୍ଷକୁ ହୋଟେଲ ପିଛା ୩୬ ହଜାର ଟଙ୍କା ଦେୟ ଦେବାକୁ ପଡ଼ୁଥିବା ବେଳେ ଏବେ ଅକ୍ସନ୍ କରି ହୋଟେଲ ପିଛା ବର୍ଷକୁ ଅଢ଼େଇ ଲକ୍ଷ ଟଙ୍କା ଦେୟ ଆଦାୟ କରାଯାଉଛି। ଲୋକଙ୍କ ଆଗମନ କମ୍ ସହ ୧୦ରୁ ଅଧିକ ହୋଟେଲ ଥିବାରୁ ଅମେଇ ଲକ୍ଷ ଦେୟଦେବାକୁ ବ୍ୟବସାୟୀମାନଙ୍କ ପକ୍ଷେ ସମ୍ଭବ ହେଉନାହିଁ। ଫଳରେ ଏବେ ଅଧିକାଂଶ ହୋଟେଲ ବନ୍ଦ ହୋଇଗଲାଣି। ବୁଣାକାର ଓ ହସ୍ତଶିଳ୍ପୀମାନଙ୍କୁ ପିଣ୍ଡି ପାଇଁ ବର୍ଷକୁ ଥରେ ୧.୨୦ ଲକ୍ଷ ଟଙ୍କା ଦେୟ ଦେବାକୁ ପଡ଼ୁଥିବାରୁ ସେମାନେ ଏଥି ପାଇଁ ବିମୁଖ ହେଉଛନ୍ତି। ଏବେ ପାଖାପାଖି ଦେଢ଼ ବର୍ଷ ହେବ ଅଧିକାଂଶ ପିଣ୍ଡି ଓ ହୋଟେଲ ବନ୍ଦ ରହିଛି। ଏଭଳି ସ୍ଥିତିରେ ଏବେ କୌଣସି ଘରୋଇ ସଂସ୍ଥାକୁ ଏହା ପିପିପି ମୋଡ୍ରେ ଦିଆଯାଇପାରେ ବୋଲି ଚର୍ଚ୍ଚା ହେଉଛି।
ସେହିଭଳି ପୁରୀ ନୀଳାଚଳ ହାଟର ନବୀକରଣ ପରେ ଏହାର ଭିତ୍ତିଭୂମିରେ ସୁଧାର ଆସିଥିଲା। କିନ୍ତୁ ପର୍ଯ୍ୟଟକ ଆସୁନଥିବାରୁ ବିକ୍ରିବଟା ଜମୁନାହିଁ। ତେଣୁ ନୀଳାଚଳ ହାଟର ଅବସ୍ଥା ଅତ୍ୟନ୍ତ ସଙ୍ଗିନ। କୋଣାର୍କ ହାଟ ଏକ ପ୍ରକାର ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି। ରାଜ୍ୟର ତିନିଟି ଯାକ ଅର୍ବାନ ହାଟ ଏବେ ଲକ୍ଷ୍ୟଠାରୁ ବହୁ ଦୂରରେ ରହିଛି। ପୂର୍ବରୁ ଇଡ୍କୋ ଏହି ହାଟଗୁଡ଼ିକର ରକ୍ଷଣାବେକ୍ଷଣ କରୁଥିଲା ବେଳେ ପରବର୍ତ୍ତୀ ସମୟରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗକୁ ଅର୍ବାନ୍ ହାଟଗୁଡ଼ିକର ରକ୍ଷଣାବେକ୍ଷଣ ଦାୟିତ୍ବ ନେଲା ପରେ ହାଟଗୁଡ଼ିକର ସ୍ଥିତି ବିଗିଡ଼ିବାରେ ଲାଗିଛି। ଏନେଇ ହସ୍ତଶିଳ୍ପ ନିର୍ଦ୍ଦେଶିକା ପ୍ରଣତି ଛୋଟରାୟ କହିଛନ୍ତି, ତିନିଟି ଯାକ ଅର୍ବାନ ହାଟ କିଭଳି ଭଲ ଭାବେ କାର୍ଯ୍ୟକ୍ଷମ ହେବ ଏବଂ ଏହାକୁ ନେଇ ଅଧିକ କ’ଣ କରାଯାଇପାରିବ ଏବେ ସରକାରୀ ସ୍ତରରେ ଆଲୋଚନା ଜାରି ରହିଛି। ଖୁବ୍ଶୀଘ୍ର ରାଜ୍ୟର ଅର୍ବାନ ହାଟଗୁଡ଼ିକୁ ନେଇ ନୂଆ ନିଷ୍ପତ୍ତି ନିଆଯିବ।