ମୁକ୍ତଚିନ୍ତନ ମଞ୍ଚର ୧୭୯ତମ ଆଲୋଚନାଚକ୍ର: ଅପାରଗତା ଲୁଚାଇବାକୁ ରିହାତି ଓ ମାଗଣା ଯୋଜନା

ଭୁବନେଶ୍ବର: ଓଡ଼ିଶାରେ କୋଟିଏ ୬ ଲକ୍ଷ ପରିବାର ମଧ୍ୟରୁ ୮୬ ଲକ୍ଷ ପରିବାରକୁ ରିହାତି ଦିଆଯାଉଛି। ସରକାର ୭୦ ପ୍ରତିଶତ ପରିବାରକୁ ଟଙ୍କିକିଆ ଚାଉଳ ଦେଉଛନ୍ତି। ଯଦି ଟଙ୍କିକିଆ ଚାଉଳ ଦିଆଯିବ ନାହିଁ ତେବେ ଓଡ଼ିଶା ଲୋକଙ୍କ କଙ୍କାଳ ଦେଖାଯିବ। ସରକାର ରୋଜଗାର ସୃଷ୍ଟି ନକରି ମାଗଣା ଓ ରିହାତି ଦେଇ ଲୋକଙ୍କୁ କୋଢ଼ିଆ କରି ଦେଉଛନ୍ତି। କହିବାକୁ ଗଲେ ସରକାର ନିଜର ଦୋଷ ଦୁର୍ବଳତା, ଅପାରଗତାକୁ ଲୁଚାଇବାକୁ ରିହାତି ଓ ମାଗଣା ଯୋଜନା କରିଛନ୍ତି ବୋଲି କହିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ।

ଆଜି ଭାରତୀୟ ବିଦ୍ୟାଭବନରେ ‘ମୁକ୍ତଚିନ୍ତନ ମଞ୍ଚ’ର ୧୭୯ ତମ ଆଲୋଚନାଚକ୍ରରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଶ୍ରୀ କାନୁନ୍‌ଗୋ ସରକାରଙ୍କ ଦୋଷ ଦୁର୍ବଳତାକୁ ପଦାରେ ପକାଇଛନ୍ତି। ସେ କହିଲେ, ସରକାର ଯେଉଁ ରିହାତି ଦେଉଛନ୍ତି ତାହା ପ୍ରକୃତ ହିତାଧିକାରୀ ଅପେକ୍ଷା ବଡ଼ ବଡ଼ କମ୍ପାନି ଓ ବିତ୍ତଶାଳୀ ଲୋକଙ୍କ ପାଖକୁ ଯାଉଛି। ଏବେ ରାଜ୍ୟ ୧ ଲକ୍ଷ ୩୨ କୋଟି ଟଙ୍କା ଋଣ ଭାରରେ ରହିଛି। ସରକାର ଋଣ କରି ଏବଂ ସା‌ଧାରଣ ଲୋକଙ୍କ ଟଙ୍କାକୁ ଅବପ୍ୟବହାର କରି ‘ଆହାର’ ଓ ‘କାଳିଆ’ ଭଳି ଯୋଜନା କରିଛନ୍ତି। ରାଜନୈତିକ ଫାଇଦା ପାଇଁ ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଅନେକ ଅନାବଶ୍ୟକ ଯୋଜନା କରିଛନ୍ତି। କିନ୍ତୁ ପ୍ରକୃତରେ ଭବିଷ୍ୟତକୁ ଦୃଷ୍ଟିରେ ରଖି ଯେଉଁ ଦୀର୍ଘ ମିଆଦି ଯୋଜନା ପ୍ରସ୍ତୁତ କରିବା କଥା ତାହା କରାଯାଉନାହିଁ। ସରକାର ରିହାତି ଓ ମାଗଣା ଦେବା ଅପେକ୍ଷା ଲୋକଙ୍କୁ ରୋଜଗାର ଦିଅନ୍ତୁ, ସ୍ବାବଲମ୍ବୀ କରାନ୍ତୁ। ଅପବ୍ୟୟ ବନ୍ଦ କରି ସଠିକ୍‌ ମାର୍ଗରେ ଅର୍ଥ ବ୍ୟୟବରାଦ ଓଡ଼ିଶାର ଭବିଷ୍ୟତ ଉଜ୍ଜ୍ବଳ କରିପାରିବ‌ ବୋଲି ଶ୍ରୀ କାନୁନ୍‌ଗୋ କହିଛନ୍ତି।

ସାହିତ୍ୟିକ ତଥା ଅନୁଷ୍ଠାନର ସଭାପତି ସାତ‌କଡ଼ି ହୋତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ଶିକ୍ଷା ଓ ଅନୁସନ୍ଧାନ ବିଶ୍ବବିଦ୍ୟାଳୟର କୁଳପତି ଡାକ୍ତର ଅଶୋକ କୁମାର ମହାପାତ୍ର କହିଲେ ଯେଉଁ ଦେଶରେ ଶିକ୍ଷା ଓ ସ୍ବାସ୍ଥ୍ୟ ସମୃଦ୍ଧ ନୁହେଁ ସେ ଦେଶର ଭବିଷ୍ୟତ ଉଜ୍ଜ୍ବଳ ନୁହେଁ। ଓଡ଼ିଶାରେ ଦୁଇଟା ଯାକ ଦୁର୍ବଳ। ସରକାର ଜାଣିଛନ୍ତି ଲୋକଙ୍କୁ ଶିକ୍ଷା କ୍ଷେତ୍ରରେ ପଛରେ ରଖି ପଙ୍ଗୁ କରିଦେଲେ ଭୋଟ୍‌ ମିଳିବ। ସେଥିପାଇଁ ଏସବୁ ରିହାତି ଓ ମାଗଣା ଖିଆ ଯୋଜନା। ସମ୍ମାନିତ ଅତିଥି ଭାବେ ସ୍ତମ୍ଭକାର ସହଦେବ ସାହୁ ଯୋଗଦେଇ କହିଲେ ଓଡ଼ିଶାର ୬୦ ପ୍ରତିଶତ ଚାଷୀ ପରିବାର ହୋଇଥିଲେ ହେଁ ଚାଷୀଙ୍କ ପାଇଁ ଶୀତଳ ଭଣ୍ଡାର, ଜଳସେଚନ ବ୍ୟବସ୍ଥା, ସହଜରେ ବିଦ୍ୟୁତ୍‌ ଯୋଗାଣ ଓ ଆନୁସଙ୍ଗିକ ସହଯୋଗ ନାହିଁ।

ସରକାର ଶିକ୍ଷା ଓ ସ୍ବାସ୍ଥ୍ୟକୁ ଗୁରୁତ୍ବ ନଦେଇ ରିହାତି ଓ ମାଗଣା ଯୋଜନାକୁ ଅଧିକ ଗୁରୁତ୍ବ ଦେଉଛନ୍ତି। ସଭାପତି ଶ୍ରୀ ହୋତା ବର୍ତ୍ତମାନ ଓଡ଼ିଶାକୁ ଶାସନ କରୁଥିବା ବ୍ୟକ୍ତି ଓଡ଼ିଶାର ଗୌରବକୁ ଜାଣିପାରୁନାହାନ୍ତି। ଯାହା ଏକ ବିରାଟ ସମସ୍ୟା ହୋଇ ଉଭା ହେଉଛି ‌ବୋଲି କହିଥିଲେ। ଏହି ଅବସରରେ ପ୍ରଫେସର ଗୋପାଳ ଚନ୍ଦ୍ର ନନ୍ଦଙ୍କ ଦ୍ବାରା ଅନୁଦିତ ‘ନାମମାଳିକା’କୁ ଅତିଥିମାନେ ଉନ୍ମୋଚନ କରିଥିଲେ। ମୁକ୍ତ ଚିନ୍ତନର ସମ୍ପାଦକ ପୀତବାସ ରାଉତରାୟ ସ୍ବାଗତ ଭାଷଣ ଦେଇଥିବା ବେଳେ ଆବାହକ ରାଧାକାନ୍ତ ମିଶ୍ର ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର