ଭୁବନେଶ୍ବର: ନିୟନ୍ତ୍ରିତ ହୋଇ ପାରୁନି ଦର। ରାଜ୍ୟରେ ଫେଲ ମାରୁଛି ଶୀତଳଭଣ୍ଡାର ବ୍ୟବସ୍ଥା। ରାଜ୍ୟ, କେନ୍ଦ୍ର ସରକାରଙ୍କ ପକ୍ଷରୁ ରିହାତି ଦେଇ ଶୀତଳଭଣ୍ଡାର ପରିଚାଳନା ବ୍ୟବସ୍ଥା ଆରମ୍ଭ ହୋଇଛି। ହେଲେ ଅଧିକାଂଶ ଶୀତଳଭଣ଼୍ଡାର ଅନୁପଯୋଗୀ ହୋଇ ପଡ଼ିଛି। ଯେତିକି ସକ୍ଷମ ରହିଛି ସେଥିରେ ଫଳ, ପରିବା ରଖିବା ପାଇଁ ଓଡ଼ିଆ ଚାଷୀ ସମର୍ଥ ହେଉ ନାହାନ୍ତି। ଫଳରେ ରାଜ୍ୟର ଅନେକ ଶୀତଳଭଣ୍ଡାର ପଶ୍ଚିମବଙ୍ଗର ଆଳୁ ବ୍ୟବସାୟୀଙ୍କ କବ୍ଜାକୁ ଚାଲିଯାଉଛି। ଟମାଟୋ ଭଳି ବିଭିନ୍ନ ପ୍ରକାର ଖରାଦିନିଆ ପରିବା ୨୧ ଦିନରୁ ଅଧିକ ସମୟ ରଖିବା ସମ୍ଭବ ହୋଇପାରୁ ନାହିଁ। ଏଣୁ ଦରଦାମ ମଧ୍ୟ ନିୟନ୍ତ୍ରଣରେ ରହୁନାହିଁ।
ଏପ୍ରିଲ, ମେ’ରେ ଟମାଟୋ ଦର ୧୦୦ ପାର କରିଗଲା। ୩୦ ଟଙ୍କାର ବିନ୍ସ ୭୦ ଟଙ୍କାରେ ବିକ୍ରି ହେଲା। କେବଳ ଚଳିତ ବର୍ଷ ନୁହେଁ, ପ୍ରତ୍ୟେକ ବର୍ଷ ଏଭଳି ସ୍ଥିତି ଦେଖାଯାଉଛି। କୌଣସି ପରିବା ନାହିଁ ଯାହାର ଦାମ ଖରା ଦିନରେ ଆକାଶ ଛୁଆଁ ହେଉନାହିଁ। ଅଧିକ ସଂଖ୍ୟକ ବ୍ୟବସାୟୀ ଶୀତଳଭଣ୍ଡାର ପରିଚାଳନା ବ୍ୟବସାୟରେ ସାମିଲ ପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ସମନ୍ବିତ, ଉଦ୍ୟାନ ମିସନ ଏବଂ ଏପିକଲ ପକ୍ଷରୁ ସମୁଦାୟ ଖର୍ଚର ୩୫ରୁ ୫୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ବ୍ୟବସ୍ଥା ରହିଛି। ଓଡ଼ିଶା ଆଳୁ ସଂରକ୍ଷଣ ପାଇଁ ବିଜୁଳି ବିଲରେ ରିହାତି ବ୍ୟବସ୍ଥା ରହିଛି। ରାଜ୍ୟରେ ବର୍ତ୍ତମାନ ୩ ଲକ୍ଷ ୮୭ ହଜାର ୫୨୫ ମେଟ୍ରିକ ଟନ କ୍ଷମତା ବିଶିଷ୍ଟ ୧୩୧ଟି ଶୀତଳଭଣ୍ଡାର ରହିଛି। ସେମଧ୍ୟରୁ ସରକାରୀ ଭାବରେ ସମବାୟ ବିଭାଗର ୧୮, କୃଷି, ଉଦ୍ୟାନ ବିଭାଗର ୪, ୧୦୯ଟି ବେସରକାରୀ ରହିଛି। ଏଥିରୁ ମାତ୍ର ୪୯ଟି କାର୍ଯ୍ୟକ୍ଷମ। ଏହା ସତ୍ତ୍ବେ ଆକାଶଛୁଆଁ ଦର ଏବଂ ଚାଷୀଙ୍କୁ ଉପଯୁକ୍ତ ପ୍ରାପ୍ୟ ନେଇ ପୂର୍ବରୁ ଯେଉଁ ସମସ୍ୟା ରହିଥିଲା, ବର୍ତ୍ତମାନ ମଧ୍ୟ ତାହା ବଳବତ୍ତର ରହିଛି।
/sambad/media/post_attachments/wp-content/uploads/2022/05/47-6.jpg)
ଓୟୁଏଟି ଅଧ୍ୟାପକ ଗୌରୀଶଙ୍କର କହିଛନ୍ତି, ଆଳୁ, ରସୁଣ, ସେଓ, ବନ୍ଧାକୋବି, ବିଟ୍, ଗାଜର, ମୂଳା ବ୍ୟତୀତ କୌଣସି ପରିବା ଅର୍ଥାତ ବିନ୍ସ, ବାଇଗଣ, କଲରା, ଭେଣ୍ଡି, ଲାଉ, ଟମାଟୋ ଦୀର୍ଘ ଦିନ ଧରି ଶୀତଳଭଣ୍ଡାରରେ ରଖିହେବ ନାହିଁ। କିଛି ବର୍ଷ ପୂର୍ବରୁ ୬ରୁ୭ ଦିନ ପରିବା ରଖିବା ପାଇଁ ଜିରୋ ଏନର୍ଜି କୁଲ୍ ଚାମ୍ବର ପ୍ରସ୍ତୁତ ହୋଇଥିଲା। ମାତ୍ର ଏହା ପ୍ରଚାର-ପ୍ରସାର ହୋଇ ପାରିଲା ନାହିଁ। ଯେଉଁ ସ୍ଥାନରେ ଚାଷୀ ବ୍ୟବହାର କଲେ ତାହା ମଧ୍ୟ ଆଦୃତ ହେଲା ନାହିଁ। ଖରା ଦିନରେ ରାଜ୍ୟରେ ପାଣି ସୁବିଧା ନଥିବାରୁ ପରିବା ଉତ୍ପାଦନ ହେଉନାହିଁ। ଯେଉଁ ସ୍ଥାନରେ ଥଣ୍ଡା ହେଉଛି ସେହି ସ୍ଥାନକୁ ଚୟନ କରି କିଛି ପରିବା ଉତ୍ପାଦନ କଲେ ରାଜ୍ୟର ଚାହିଦା କିଛିଟା ପୂରଣ ହୋଇ ପାରନ୍ତା।
କୃଷି ବିଭାଗର ବିଶେଷଜ୍ଞଙ୍କ ଅନୁସାରେ, ବୁର୍ଲା, ବାରଙ୍ଗ, ଚୌଦ୍ବାର ସମେତ ରାଜ୍ୟର କେତେକ ସ୍ଥାନରେ କିଛି ସମୃଦ୍ଧ ଚାଷୀ ଖରା ଦିନରେ ପଲ୍ଲୀ ହାଉସ ତିଆରି କରି ଟମାଟୋ, କ୍ୟାପ୍ସିକମ, ଗାଜର, କିଛି ଭେରାଇଟିର କାକୁଡ଼ି କରାଯାଉଛି। କିନ୍ତୁ ଉପକୂଳବର୍ତ୍ତୀ ଅଞ୍ଚଳରେ ଯେଉଁଭଳି ପବନ ହେଉଛି, ପରିବା ନଷ୍ଟ ହେଉଛି। ସମ୍ବଲପୁରରେ ଏତେ ତାପମାତ୍ରା ହେଉଛି ଯେ ଏହାକୁ ନିୟନ୍ତ୍ରିତ କରିନପାରି ସେମାନଙ୍କ ପାଇଁ ଲାଭଜନକ ହେଉନି। ଏଥିସହିତ ବିଜୁଳି ଖର୍ଚ ମଧ୍ୟ ସମସ୍ୟା। ପଶ୍ଚିମବଙ୍ଗରେ ଗତବର୍ଷ ୧୧୦ ଲକ୍ଷ ଟନ ଆଳୁ ଉତ୍ପାଦିତ ହୋଇଥିଲା। ଚଳିତ ବର୍ଷ ଏହା ହ୍ରାସ ପାଇଥିଲେ ମଧ୍ୟ ଏହି ଆଳୁ ସେମାନଙ୍କ ଶୀତଳଭଣ୍ଡାର ସହିତ ଓଡ଼ିଶାର ଶୀତଳଭଣ୍ଡାରରେ ରୁହେ। ଅଫ୍ ସିଜନରେ ଏହି ଆଳୁ, ଫଳ ମାତ୍ରାଧିକ ଦରରେ ବିକ୍ରି ହୁଏ। ଓଡ଼ିଶା ଶୀତଳଭଣ୍ଡାର ରିହାତି ଲାଭ ବାହାର ରାଜ୍ୟର ବ୍ୟବସାୟୀ ଉଠାନ୍ତି। ଦର ନିୟନ୍ତ୍ରଣ ପାଇଁ ତାପମାତ୍ର ସହଣୀ ପରିବା ଉତ୍ପାଦନର ଗବେଷଣା ସହିତ ଶୀତଳଭଣ୍ଡାରର ବିକଳ୍ପ ବ୍ୟବସ୍ଥା ଯେଉଁଠି ରାଜ୍ୟର ଚାଷୀ ଖରାଦିନିଆ ପରିବା ରଖିପାରିବେ ଏଥିପାଇଁ ଚିନ୍ତା କରିବାକୁ ପଡ଼ିବ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/48-6.jpg)