ପୁସ୍ତକ ଚର୍ଚ୍ଚା, ‘କୁମ୍ଭାରଚକ’ରେ ଆତ୍ମସମୀକ୍ଷା ପ୍ରତିଫଳିତ

ଭୁବନେଶ୍ବର: କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକଙ୍କ ରଚିତ ‘କୁମ୍ଭାରଚକ’ ଆତ୍ମରଚିତ ହୋଇଥିଲେ ହେଁ ଏଥିରେ ‌ଲେଖକଙ୍କ ଆତ୍ମସମୀକ୍ଷା ପ୍ରତିଫଳିତ ହୋଇଛି। ଏହି ପୁସ୍ତକରେ ଐତିହାସିକ ସତ୍ୟତା ଓ ବାସ୍ତବତା ଖୋଜିବା ଅପେକ୍ଷା ଅନୁଭବ, ଜୀବନସ୍ମୃତିର ରୋମନ୍ଥନ ଓ ଅଭିଜ୍ଞତା ବର୍ଣ୍ଣନାର ଚମତ୍କାରିତାରେ ପାଠକମାନେ ଆଚ୍ଛନ୍ନ ହେବାର ଅନୁକୂଳ ଅବସର ରହିଛି ବୋଲି କହିଛନ୍ତି ଗବେଷକ, ଲେଖକ ପ୍ରଫେସର ବାବାଜୀ ଚରଣ ପଟ୍ଟନାୟକ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଓଡ଼ିଆ ଭାଷା ପ୍ରତିଷ୍ଠାନ ଦ୍ବାରା ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ‘ପୁସ୍ତକ ଚର୍ଚ୍ଚା’ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦେଇ ସେ ଏହା କହିଛନ୍ତି। ଏହି ପୁସ୍ତକରେ କାଳୀଚରଣଙ୍କ ଜନ୍ମ, ଶିକ୍ଷାଗ୍ରହଣ, ଜୀବନୀ, ‘ସଂଗୀତ ପ୍ରଭା’ ପତ୍ରିକାର ପ୍ରକାଶନ, ଶିଶୁ ସାହିତ୍ୟ ରଚନା, ସତ୍ୟବାଦୀ ନାଟ୍ୟସଂଘ ତଥା ଓଡ଼ିଶା ଥିଏଟର୍ସ ପରି ସଂଗଠନର ପ୍ରତିଷ୍ଠା ଆଦି ଘଟଣା ଉପରେ ପ୍ରଫେସର ପଟ୍ଟନାୟକ ଆଲୋକପାତ କରିବା ସହ ‘କୁମ୍ଭାରଚକ’ ଏକ ଉତ୍କୃଷ୍ଟ ସାରସ୍ବତ କୃତି ବୋଲି କହିଥିଲେ। ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ମନୋରଂଜନ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆତ୍ମଜୀବନୀ ଆମ ସାହିତ୍ୟର ମହତ୍ତ୍ବପୂର୍ଣ୍ଣ ଅଙ୍ଗ ବୋଲି କହିଥିଲେ। ଓଡ଼ିଆ ଭାଷା ପ୍ରତିଷ୍ଠାନର ନିର୍ଦେଶିକା ତମସାରାଣୀ ଦାସମହାପାତ୍ର ସ୍ବାଗତ ଭାଷଣ ଦେବା ସହ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ସାହିତ୍ୟିକ ଓ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର