‘ଏକବିଂଶ ଶତାବ୍ଦୀର ଓଡ଼ିଆ ସମାଲୋଚନା ସାହିତ୍ୟ: ପଦ୍ଧତି ଓ ଆଭିମୁଖ୍ୟ’ ଆଲୋଚନାଚକ୍ର

ଭୁବନେଶ୍ବର: କେନ୍ଦ୍ର ସାହିତ୍ୟ ଅକାଦେମି ଓ ଉତ୍କଳ ବିଶ୍ବବିଦ୍ୟାଳୟ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ମିଳିତ ଆନୁକୂଲ୍ୟରେ ଆଜି ବିଶ୍ବବିଦ୍ୟାଳୟ ସ୍ନାତକୋତ୍ତର ପରିଷଦ କକ୍ଷରେ ଦିନିକିଆ ଜାତୀୟ ସଂପାନ ଅନୁଷ୍ଠିତ ହୋଇଯାଇଛି। ସଭାରେ ଅକାଦେମିର ସଚିବ କେ. ଶ୍ରୀନିବାସ ରାଓ ସ୍ବାଗତ ଭାଷଣ ଦେଇଥିଲେ। ଦାଶରଥୀ ଦାସ ମୁଖ୍ୟ ଅତିଥି ଭାବେ ଯୋଗ‌ଦେଇ ‘ଏକବିଂଶ ଶତାବ୍ଦୀର ଓଡ଼ିଆ ସମାଲୋଚନା ସାହିତ୍ୟ: ପଦ୍ଧତି ଓ ଆଭିମୁଖ୍ୟ’ ସମ୍ପର୍କରେ ଆଲୋଚନା କରିଥିଲେ। ସେ ସାହିତ୍ୟରେ ସମାଲୋଚନାର ନୂଆ ଧାରା ସମ୍ପର୍କରେ ଆଲୋକପାତ କରିବା ସହ ଓଡ଼ିଆ ସାହିତ୍ୟ ସମାଲୋଚନାରେ ଏହାର ପ୍ରଭାବ ସମ୍ପର୍କରେ ଆଲୋଚନା କରିଥିଲେ।

ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର୍‌ ଦୁର୍ଗାଶଙ୍କର ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଓଡ଼ିଆ ସାହିତ୍ୟର ଇତିହାସ ସମ୍ପର୍କରେ ସବିଶେଷ ତଥ୍ୟ ରଖିବା ସହ ସାହିତ୍ୟର ବୈଜ୍ଞାନିକ ବିଶ୍ଳେଷଣ ଉପରେ ଗୁରୁତ୍ବାରୋପ କରିଥିଲେ। ଅକାଦେମିର ଓଡ଼ିଆ ଉପଦେଷ୍ଟାମଣ୍ଡଳୀ ଆବାହକ ବିଜୟାନନ୍ଦ ସିଂହ ସଭାପତିତ୍ବ କରିଥିବା ବେଳେ ବିଶ୍ବବିଦ୍ୟାଳୟର ଓଡ଼ିଆ ବିଭାଗ ମୁଖ୍ୟ ସନ୍ତୋଷ ତ୍ରିପାଠୀ ମୂଳ ଭାଷଣ ପ୍ରଦାନ କରିଥିଲେ। ଅକାଦେମିର ଓଡ଼ିଆ ଉପଦେଷ୍ଟାମଣ୍ଡଳୀ ସଦସ୍ୟ ପ୍ରଦୀପ୍ତ ପଣ୍ଡା ଧନ୍ୟବାଦ ଦେଇଥିଲେ। ମଞ୍ଚ ପରିଚାଳନା କରିଥିଲେ ଓଡ଼ିଆ ବିଭାଗର ଅଧ୍ୟାପକ ରୁଦ୍ରନାରାୟଣ ମହାପାତ୍ର।

ପରେ ଆୟୋଜିତ ପ୍ରଥ‌ମ ଅଧିବେଶନରେ ପ୍ରଦୋଷ ସ୍ବାଇଁ, ରୁଦ୍ରନାରାୟଣ ମହାପାତ୍ର ଓ ଶ୍ରୀକାନ୍ତ ବାରିକ ପ୍ରବନ୍ଧ ପାଠ କରିଥିଲେ। ଏଥିରେ ପ୍ରସନ୍ନ ମହାନ୍ତି ସଭାପତିତ୍ବ କରିଥିଲେ। ସେହିପରି କୃଷ୍ଣଚନ୍ଦ୍ର ପ୍ରଧାନଙ୍କ ସଭାପତିତ୍ବରେ ଆୟୋଜିତ ଦ୍ବିତୀୟ ଅଧିବେଶନରେ ବିଜୟଲକ୍ଷ୍ମୀ ଦାଶ, ମମତା ବେହେରା, ପ୍ରହ୍ଲାଦ ଖିଲ ଓ ରମେଶ ଚନ୍ଦ୍ର ମଲ୍ଲିକ ପ୍ରବନ୍ଧ ପାଠ କରିଥିଲେ। ଶେଷରେ ଆନ୍‌ପା ମାର୍ଣ୍ଡି ଧନ୍ୟବାଦ ଦେଇଥି‌ଲେ।

ସମ୍ବନ୍ଧିତ ଖବର