ହକି…ଚର୍ଚା…

ହକି..ହକି…ଆଉ ହକି। ସାରା ସହରରେ ଏବେ ଖାଲି ହକିକୁ ନେଇ ଚର୍ଚା। ସ୍କୁଲ୍‌, କଲେଜ୍‌, ପାର୍କ, ରାସ୍ତା, ଖଟି ସବୁଠି ହକି ଏକ ଗରମ ପ୍ରସଙ୍ଗ। ହକି ବିଶ୍ବକପ୍‌ ଆୟୋଜନ ତାରିଖ ଯେତେ ନିକଟ ହେଉଛି ସହରର କୋଳାହଳ ସେତେ ବଢ଼ିବଢ଼ି ଚାଲିଛି। ରାସ୍ତାଘାଟ, ପାର୍କ, ଓଭରବ୍ରିଜ୍‌ ଚକାଚକ କରିବାକୁ ପ୍ରଶାସନ ରାତିଦିନ ଏକ କରିଦେଇଛନ୍ତି। ହକି ବିଶ୍ବକପ୍‌ ଉପଭୋଗ କରିବା ପାଇଁ ଆସୁଥିବା ଦର୍ଶକଙ୍କର ଆଖି ଯେମିତି ଲାଖି ରହିବ ସେନେଇେ ନୂଆନୂଆ ଆୟୋଜନ ଚାଲିଛି। ଅଟକିଯାଇଥିବା ଲୋକପ୍ରିୟ କାର୍ଯ୍ୟକ୍ରମ ଆୟୋଜନ ପାଇଁ ବି ମନବଳାଇଛି ପ୍ରଶାସନ।

ଗୋବପନ୍ଧୁ ମାର୍ଗରେ ଖୋଲିବ ଷ୍ଟ୍ରିଟ୍ ବଜାର
ରାମ ମନ୍ଦିର ଛକରୁ ହାଉସିଂ ବୋର୍ଡ ଛକ ପର୍ଯ୍ୟନ୍ତ ଥିବା ମଧୁସୂଦନ ଦାସ ମାର୍ଗରେ ଆସନ୍ତା ଡିସେମ୍ବର ୧ରୁ ୧୬ତାରିଖ ପର୍ଯ୍ୟନ୍ତ ଷ୍ଟ୍ରିଟ୍ ବଜାର ଖୋଲିବ। ଏଥିରେ ଅପରାହ୍ଣ ୫ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ପୂରା ରାସ୍ତାରେ ବିଭିନ୍ନ ପ୍ରକାରର ସାମଗ୍ରୀ ବିକ୍ରି ହେବା ସହ ଲୋକଙ୍କ ମନୋରଂଜନ ପାଇଁ ବିଭିନ୍ନ ପ୍ରକାରର ସାମଗ୍ରୀ ଉପଲବ୍ଧ ହେବ। ଏହା ଭୁବନେଶ୍ବର ପଥ ଉତ୍ସବ ଭଳି ହେବ। ପାର୍ଥକ୍ୟ ଏତିକି, ପଥ ଉତ୍ସବ ସକାଳ ବେଳା ହେଉଥିଲା, ଷ୍ଟ୍ରିଟ୍ ବଜାର ରାତି ସମୟରେ ହେବ। ଏକାମ୍ର ହାଟରେ ନାଇଟ୍ ମାର୍କେଟ୍ ଖୋଲିବାକୁ ଯୋଜନା ହେଉଥିଲେ ହେଁ ଏହା ବାତିଲ୍ ହୋଇଯାଇଥିବା ବିଡିଏର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।
ତିନି ପାର୍କରେ ହେବ ସଂଗୀତ ସନ୍ଧ୍ୟା
ଡିସେମ୍ବର ୧ ଓ ୧୫ରେ ରାଜଧାନୀର ତିନିଟି ପାର୍କରେ ସଂଗୀତ ସଂଧ୍ୟା (ମ୍ୟୁଜିକ୍ ଇନ୍ ପାର୍କ) କାର୍ଯ୍ୟକ୍ରମ ହେବ। ଏହା ଆଇଜି ପାର୍କ ଏବଂ ବୁଦ୍ଧ ଜୟନ୍ତୀ ପାର୍କରେ ହେବ। ଏଥିପାଇଁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର କଳାକାରମାନେ ସଂଗୀତ ପରିବେଷଣ କରିବେ। ଏହି ସମୟରେ ପାର୍କର ସୁସଜ୍ଜିତ ପରିସର ବି ଅନ୍ୟତମ ଆକର୍ଷଣ ସାଜିବ।
ଗପ କହିବେ ବିଦେଶୀ
ବକୁଳ ଫାଉଣ୍ଡେସନ୍ ସହାୟତାରେ ତିନିଟି ପାର୍କ ଆଇଜି ପାର୍କ, ଖାରବେଳ ପାର୍କ ଏବଂ ବୁଦ୍ଧ ଜୟନ୍ତୀ ପାର୍କରେ ଲୋକଙ୍କୁ ବିଭିନ୍ନ ପ୍ରକାରର ଗପ ଶୁଣାଯିବ। ଏଥିପାଇଁ ୨୪ଜଣ ବିଦେଶୀ ଏବଂ ୯ଜଣ ଭାରତୀୟ ଷ୍ଟୋରି ଟେଲର୍‌ଙ୍କୁ ଡକାଯାଇଛି। ‌ସେମାନଙ୍କ ମୁହଁରୁ ବହୁ ଆକର୍ଷଣୀୟ ଶୈଳୀରେ କାହାଣୀ ଶୁଣିବାର ଅବକାଶ ମିଳିବ।
ଖାଦ୍ୟମେଳାରେ ୧୬ ଦେଶ, ୨୯ ରାଜ୍ୟର ଖାଦ୍ୟ ମିଳିବ
ହକି ବିଶ୍ବକପ୍‌ରେ ଭାଗ ନେଉଥିବା ୧୬ଟି ଦେଶର ଖେଳାଳି ଏବଂ କ୍ରୀଡ଼ାପ୍ରେମୀଙ୍କୁ ନଜରରେ ରଖି ପ୍ରଦର୍ଶନୀ ପଡ଼ିଆରେ ଏକ ଅନ୍ତର୍ଜାତୀୟ ଖାଦ୍ୟ ମେଳା କରିବାକୁ ନିଷ୍ପତ୍ତି ହୋଇଛି। ଏଥିରେ ୧୬ଟି ଦେଶର ଖାଦ୍ୟ ସହ, ଭାରତର ୨୯ଟି ରାଜ୍ୟର ପ୍ରସିଦ୍ଧ ଖାଦ୍ୟ ଉପଲବ୍ଧ ହେବ। ଓଡ଼ିଶାର ଷ୍ଟ୍ରିଟ୍ ଫୁଡ୍‌ ମଧ୍ୟ ଏହି ପରିସର ମଧ୍ୟରେ ଉପଲବ୍ଧ ହେବ। ପରିସର ମଧ୍ୟରେ ୨୪ଟି ଖାଦ୍ୟ କାଉଣ୍ଟର୍‌ ଖୋଲିବ। କେଉଁ ହୋଟେଲ କେଉଁ ପ୍ରକାରର ଖାଦ୍ୟ ବିକିବେ ତାହା ଖୁବ୍‌ଶୀଘ୍ର ଚୂଡ଼ାନ୍ତ ହେବ।
ପ୍ରତି ସନ୍ଧ୍ୟା ହେବ ତାରକା ସନ୍ଧ୍ୟା
ଡିସେମ୍ବର ୧ରୁ ୧୬ତାରିଖ ପର୍ଯ୍ୟନ୍ତ ରାଜଧାନୀବାସୀଙ୍କ ମଧ୍ୟରେ ସ୍ମରଣୀୟ ରଖିବା ପାଇଁ ବିଭିନ୍ନ ଯୋଜନା ହେଉଥିବାବେଳେ ପ୍ରଦର୍ଶନୀ ପଡ଼ିଆରେ ବଲିଉଡ୍‌ ଏବଂ ଓଡ଼ିଆ କଣ୍ଠଶିଳ୍ପୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରି‌ବେଷଣ କରିବେ। ଏଥିପାଇଁ କଳାକାର ଚୟନ ହୋଇସାରିଥିବାବେଳେ କେତେକ କାର୍ଯ୍ୟକ୍ରମ ପାଇଁ ଟିକେଟ୍ ବୁକିଂ ହେବ। ଏହି ଟିକେଟ୍ ‘ବୁକ୍‌ ମାଇଁ ସୋ’ ମାଧ୍ୟମରେ ବିକ୍ରି ହେବ ବୋଲି ଜଣାପଡ଼ିଛି।
ଡିସେମ୍ବର ୨ରୁ ପଥୋତ୍ସବ
ଡିସେମ୍ବର ୨ରୁ ଜନପଥରେ ପଥୋତ୍ସବ ଆରମ୍ଭ ହେବ। ଏଥିପା‌ଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ହକି ବିଶ୍ବକପ୍‌ ସମୟରେ ଡିସେମ୍ବର ୨, ୯, ୧୬ ତାରିଖରେ କ’ଣ କ’ଣ କାର୍ଯ୍ୟକ୍ରମ ହେବ ତାହା ଖୁବଶୀଘ୍ର ଚୂଡ଼ାନ୍ତ ହେବାକୁ ଥିବାବେଳେ ମାର୍ଚ୍ଚ ଶେଷ ପର୍ଯ୍ୟନ୍ତ ଏହି ପଥୋତ୍ସବ କରିବାକୁ ଯୋଜନା ହେଉଛି।
ଗୋଟିଏ ଡିଜାଇନ୍‌ରେ ସବୁ ବସ୍‌
ଖେଳାଳିମାନେ ହୋଟେଲରୁ ଷ୍ଟାଡିୟମ୍‌ ପର୍ଯ୍ୟନ୍ତ ଆସିବା ପାଇଁ ସ୍ବତନ୍ତ୍ର ବସ୍‌ ବ୍ୟବସ୍ଥା ହୋଇଛି। ବସ୍‌ଗୁଡ଼ିକୁ ‌ଗୋଟିଏ ଡିଜାଇନ୍‌ରେ ଷ୍ଟିକରିଂ କରାଯାଉଛି। କେବଳ ହକି ଖେଳ ପାଇଁ ଯେମିତି ସ୍ବତନ୍ତ୍ର ବସ୍‌ ଆସିଛି ତାହା ଲାଗୁଛି।

ସମ୍ବନ୍ଧିତ ଖବର