ଅନ୍ୟ ଭାଷା ପ୍ରତି ପ୍ରବଣତା ଆମ ଭାଷାକୁ ବିପନ୍ନ କରୁଛି

ସଂଭାବନା ପକ୍ଷରୁ ଆଲୋଚନାଚକ୍ର

ଭୁବନେଶ୍ବର: ସଂଭାବନା ପକ୍ଷରୁ ଆୟୋଜିତ ହେଉଥିବା ‘ବଶ୍ବ ମାତୃଭାଷା ଦିବସ ସପ୍ତାହ’ ପରିପ୍ରେକ୍ଷୀରେ ଆଜି ଜୟଦେବ ଭବନରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଛି। ‘ମାତୃଭାଷାର ସୁରକ୍ଷା, ବ୍ୟବହାର ଓ ଗଣମାଧ୍ୟମ’ ଶୀର୍ଷକ ଏହି କର୍ମଶାଳାରେ ବିଶିଷ୍ଟ ଭାଷାବିତ୍‌ ଦେବୀପ୍ରସନ୍ନ ପଟ୍ଟନାୟକ ଯୋଗଦେଇ କହିଲେ, ବର୍ତମାନ ଗଣମାଧ୍ୟମର ଭାଷା ‘ହିଙ୍ଗୁଡ଼ିଆ’ ଅର୍ଥାତ ହିନ୍ଦୀ, ଇଂରାଜୀ ଓ ଓଡ଼ିଆ ମିଶା ହୋଇଯାଇଛି। ଗଣମାଧ୍ୟମ ଓ ଭାଷା ସାହିତ୍ୟର ସମ୍ପର୍କ ସୁଦୃଢ଼। ମାତ୍ର ଭାଷାକୁ ଯେତିକି ଗୁରୁତ୍ବ ଦେବା କଥା, ଦିଆଯାଉ ନାହିଁ। ‘ଭାଷା ନୀତି’ ବିଧାନସଭାରେ ଘୋଷଣା ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରୁନାହିଁ। ଆମର କିଛି ବୁଦ୍ଧିଜୀବୀମାନଙ୍କ ମଧ୍ୟରେ ଭାଷାକୁ ନେଇ ଏତେ ବିରୋଧ ଦେଖାଦେଇଛି ଯେ ସେମାନେ ଓଡ଼ିଆ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ନେଇ ପ୍ରଶ୍ନ ଉଠାଉଛନ୍ତି ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ବରିଷ୍ଠ ସାମ୍ବାଦିକ ସନ୍ଦୀପ ସାହୁ, କହିଲେ, ଭାଷା ସ୍ଥିର ପୁଷ୍କରିଣୀ ନୁହେଁ। ଏହା ଏକ ପ୍ରବହମାନ ଧାରା। ମାତ୍ର ଅନ୍ୟ ଭାଷାକୁ ବ୍ୟବହାର କରିବାର ପ୍ରବଣତା ଆମ ଭାଷାକୁ ବିପନ୍ନ କରିବାର ବଡ଼ କାରଣ ପାଲଟିଛି ବୋଲି ସେ କହିଥିଲେ। ସାମ୍ବାଦିକ ବିମଳ ପ୍ରସାଦ କହିଲେ, ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ପିଲାମାନଙ୍କୁ ଓଡ଼ିଆରେ କଥା ହେବାକୁ ଦିଆଯାଉନାହିଁ। ଏପର୍ଯ୍ୟନ୍ତ ସରକାରୀ କାର୍ଯ୍ୟାଳୟରେ ଓଡ଼ିଆ ଭାଷାରେ ଚିଠିପତ୍ର ବି ଦିଆ ଯାଉନାହିଁ। ମାତ୍ର ଗଣମାଧ୍ୟମରେ ଏହାକୁ ନେଇ ଯେତିକି ଚର୍ଚ୍ଚା ହେବା କଥା ତାହା ହେଉନାହିଁ। ଭାଷାତତ୍ତ୍ବ ଅଧ୍ୟାପକ ଦେବାଶିଷ ମହାପାତ୍ର, ଭାଷା ଆନ୍ଦୋଳନର ଆବାହକ ପବିତ୍ର ମହାରଥା, ସ୍ତମ୍ଭକାର ଛନ୍ଦା ମିଶ୍ର, ସାମ୍ବାଦିକ କିଶନ ବରାଇ, ଭାଷାପ୍ରେମୀ ଦେବାଶିଷ ପାତ୍ର, ବିଜୟଲକ୍ଷ୍ମୀ, ମାନସ ପଟ୍ଟନାୟକଙ୍କ ସମେତ କିଛି ସାମ୍ବାଦିକତା ମହା‌ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ସଂଭାବନାର ଅଧ୍ୟକ୍ଷ ଶରତ ଚନ୍ଦ୍ର ଭଦ୍ର ସ୍ବାଗତ ଭାଷଣ ଦେଇଥିବା ବେଳେ ଭିତ୍ତିପତ୍ର ଉପସ୍ଥାପନ କରିଥିଲେ ସମ୍ପାଦକ ଦେବପ୍ରସାଦ ପରିଜା। ଶେଷରେ କର୍ମଶାଳାର ସଂଯୋଜକ ରାମଚଣ୍ଡୀ ପ୍ରସାଦ ରଣସିଂହ ଧନ୍ୟବାଦ ଅର୍ପଣ କରିଥିଲେ। ଟ୍ରଷ୍ଟି ସ୍ମୃତି ମହାନ୍ତି, ପ୍ରେମ ପ୍ରକାଶ ସିଂ, ପ୍ରଫୁଲ୍ଲ ଦେ, ରାଜଶ୍ରୀ ଶତପଥୀ, ବିଦୁଲତା ସ୍ବାଇଁ, ଅମ୍ବିକା ଆଚାର୍ଯ୍ୟ, ରଶ୍ମୀ ସାହୁ, ରେଖା ସାହୁ ପରିଚାଳନାରେ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର