ମଠ ଉଚ୍ଛେଦ ପାଇଁ ଆଲୋଚନା, ଡକରା ପାଇଲାନି ଶିବ ତୀର୍ଥ ମଠ

ପୁରୁଣା ଭୁବନେଶ୍ବର: ଏକାମ୍ର କ୍ଷେତ୍ରର ସୌନ୍ଦର୍ଯ୍ୟୀକରଣ ଯୋଜନା ପାଇଁ ଶ୍ରୀଲିଙ୍ଗରାଜ ମନ୍ଦିର ନିକଟ ସ୍ଥିତିବାନ ଜମି ମାଲିକଙ୍କ ଘରବାଡ଼ି ଉଚ୍ଛେଦ ଚାଲିଛି। ଏହା ପରେ ମଠମାନଙ୍କ ପାଳି ପଡ଼ିବ। ମଠ ଉଚ୍ଛେଦର ରୂପରେଖ ନିର୍ଣ୍ଣୟ ପାଇଁ ଆଜି ବିଏମ୍‌ସି ଅତିରିକ୍ତ କମିସନର୍‌ ବିଭିନ୍ନ ମଠର ଟ୍ରଷ୍ଟିମାନଙ୍କ ସହ ଆଲୋଚନା କରିଥିଲେ। ଆଜିର ବୈଠକରେ ଶଙ୍କରାନନ୍ଦ ମଠର ପୂଜକ ଓ ଗୋପାଳ ତୀର୍ଥ ମଠର ଟ୍ରଷ୍ଟି ଉପସ୍ଥିତ ଥିଲେ। କିନ୍ତୁ ଡକରା ପାଇବା ପରେ ମଧ୍ୟ କପାଳୀ ମଠର ମହନ୍ତ କୌଣସି କାରଣରୁ ଆସି ନଥିଲେ। ତେବେ ଶିବ ତୀର୍ଥ ମଠ କର୍ତ୍ତୃପକ୍ଷଙ୍କୁ ଏହି ଆଲୋଚନା ବୈଠକକୁ ଡକା ଯାଇ ନଥିବାରୁ ନାନା କଥା ଆଲୋଚନା ହେଉଛି।

ପ୍ରାରମ୍ଭରେ ମଠମାନଙ୍କୁ ସଂପୂର୍ଣ୍ଣ ଭାବେ ଅନ୍ୟତ୍ର ଉଠାଇ ନେବାକୁ ବିଏମ୍‌ସି ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା। କିନ୍ତୁ ଏଥିରେ ମଠର ପ୍ରତିନିଧିମାନେ ରାଜି ହୋଇନଥିଲେ। ତେଣୁ ଏବେ ମଠର ଠାକୁର ଘର, ପିଣ୍ଡି, ପୂଜକ ଘର ନ ଭାଙ୍ଗିବାକୁ ନିଷ୍ପତ୍ତି ନିଆଯାଇଛି। ମଠର ଜମି ଅଧିଗ୍ରହଣ ଟଙ୍କା ଦେବୋତ୍ତର ବିଭାଗକୁ ଦିଆଯିବ ବୋଲି ଅତିରିକ୍ତ କମିସନର ସୂଚନା ଦେଇଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ୍‌ ଘୋଷଣା ଅନୁସାରେ, ଅଧିଗ୍ରହଣ ହେବାକୁ ଥିବା ଜମିର ବଜାର ମୂଲ୍ୟର ୨ ଗୁଣା ଅର୍ଥ ପ୍ରଦାନ କରାଯିବ। ଏଥିସହ ୨୦ଲକ୍ଷ ଟଙ୍କା, ଘର ବାବଦ ଟଙ୍କା, ବର୍ଷକର ଦୋକନ ଘର ଭଡ଼ା ଓ ଅନ୍ୟାନ୍ୟ କ୍ଷତିପୂରଣ ରାଶି ପ୍ରଦାନ କରାଯିବ ବୋଲି ସେ ମହନ୍ତଙ୍କୁ କହିଥିଲେ। ଅଧିଗ୍ରହଣ ଜମିରେ ରାସ୍ତା ହେବ। ଅଧିଗ୍ରହଣ ହେବାକୁ ଥିବା ସମସ୍ତ ଜମି ଶ୍ରୀଲିଙ୍ଗରାଜ ମନ୍ଦିର ପ୍ରଶାସନ ନାମରେ ପଞ୍ଜୀକୃତ କରାଯିବ। ଗୌତମନଗର ମୌଜା ଖାତା ନମ୍ବର ୧୩୩୧/୪୭୧ ପ୍ଲଟ୍‌ ନମ୍ବର ୩୩୪୯ରେ ୨୦ ଡିସିମିଲ, ପ୍ଲଟ୍‌ ନମ୍ବର ୩୩୫୦ରେ ୨୫୨ଡିସିମିଲ, ପ୍ଲଟ୍‌ ନମ୍ବର ୩୩୫୧ରେ ୨୨ଡିସିମିଲ, ପ୍ଲଟ୍‌ ନମ୍ବର ୩୩୯୫ରେ ୫୦୮ଡିସିମିଲ, ପ୍ଲଟ୍‌ ନମ୍ବର ୨୦୮୮ରେ ୩୮୮ଡିସିମିଲ, ଖାତା ନମ୍ବର ୧୧୦୬ ପ୍ଲଟ୍‌ ନମ୍ବର ୩୪୪୧ରେ ୨୫୬ଡିସିମିଲ, ଖାତା ନମ୍ବର ୫୨୫ର ପ୍ଲଟ ନମ୍ବର ୨୧୯ରେ ୧୨୨ ଡିସିମିଲ ଜମି ପ୍ରୋଜେକ୍ଟରେ ସାମିଲ ରହିଛି ବୋଲି ବୈଠକରେ ସୂଚନା ଦିଆଯାଇଥିଲା। ପୁଲିସ ଉପସ୍ଥିତିରେ ମଠର ଜମି ଅଧିଗ୍ରହଣ କାର୍ଯ୍ୟ ସମ୍ପାଦନ ହେବ ବୋଲି ଅତିରିକ୍ତ କମିସନର ଅବନୀକାନ୍ତ ପଟ୍ଟନାୟକ କହିଛନ୍ତି। ମଠର ମାଲିକାନାସତ୍ବ, ମଠର କେତେ ଜମି ରହିଛି, ପୂଜା ପାଇଁ କ’ଣ ବ୍ୟବସ୍ଥା ରହିଛି, ଶ୍ରୀଲିଙ୍ଗରାଜ ମନ୍ଦିର ସହ ମଠର କି’ ସମ୍ପର୍କ ରହିଛି ଓ ଏହାର ପରିଚାଳନା ସମ୍ପର୍କରେ ପୂରା ତଥ୍ୟ ମଗା ଯାଇଛି ବୋଲି ସେ କହିଥିଲେ। ତେବେ ଏବେ ମଠ ଭଙ୍ଗା ହେବ ନାହିଁ ବୋଲି ସେ କହିଛନ୍ତି। ଏହି ବୈଠକରେ ବିଏମ୍‌ସି ଅତିରିକ୍ତ କମିସନର ଶ୍ରୀ ପଟ୍ଟନାୟକ, ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାଶ ପ୍ରମୁଖ ଉପସ୍ଥିତ ଥିଲେ। ବୈଠକକୁ ଡକା ଯାଇନଥିବା ସମ୍ପର୍କରେ ଶିବ ତୀର୍ଥ ମଠର ଟ୍ରଷ୍ଟି ସରୋଜ ମିଶ୍ରଙ୍କ କହିବା କଥା ସେ ବିଏମ୍‌ସିର ଏହି ନିଷ୍ପତ୍ତିରେ ଆଶ୍ଚର୍ଯ୍ୟ ହୋଇଛନ୍ତି।

ସମ୍ବନ୍ଧିତ ଖବର