ଭୁବନେଶ୍ବର: ସ୍ୱାଧୀନତାର ଅମୃତ ମହୋତ୍ସବ ଅବସରରେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରେ ଏକ ଆଲୋଚନାଚକ୍ର ‘ଓଡ଼ିଶା ସ୍ବତନ୍ତ୍ରତା ଆନ୍ଦୋଳନରେ ଜନଜାତିଙ୍କ ଅବଦାନ ଓ ଭୂମିକା’ କୋଭିଡ୍ କଟକଣା ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। କୁଳପତି ପ୍ରଫେସର୍ ବ୍ୟୋମକେଶ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ବିଶିଷ୍ଟ ଐତିହାସିକ ନିହାର ରଞ୍ଜନ ପଟ୍ଟନାୟକ ମୁଖ୍ୟବକ୍ତା ଭାବେ ଯୋଗଦେଇ ସ୍ବାଧୀନତା ସଂଗ୍ରାମୀ ଧରଣୀଧର ଭୂୟାଁ, ଚକରା ବିଶୋୟୀ, ଡୋରା଼ ବିଶୋୟୀ, ବିର୍ସା ମୁଣ୍ଡା ଓ ସହିଦ ଲକ୍ଷ୍ମଣ ନାଏକଙ୍କ ବୀରତ୍ବର ଗାଥା ଓ ବ୍ରିଟିସ୍ ସରକାର ବିରୋଧରେ ସେମାନଙ୍କ ସଂଗ୍ରାମ ସଂପର୍କିତ ବହୁ ପ୍ରାମାଣିକ ତଥ୍ୟ ଉପସ୍ଥାପନ କରିଥିଲେ।
କୁଳପତି ଶ୍ରୀ ତ୍ରିପାଠୀ କହିଥିଲେ, ସ୍ବାଧୀନତାର ଲଢ଼େଇରେ ବହୁ ଆଦିବାସୀ ଜନନେତା ସାମିଲ ହୋଇ ଉଲ୍ଲେଖନୀୟ କାର୍ଯ୍ୟ କରିଥିଲେ ହେଁ ଇତିହାସରେ ସେମାନଙ୍କ ଖୁବ୍ କମ୍ ଚର୍ଚ୍ଚା ଦେଖିବାକୁ ମିଳେ। କିନ୍ତୁ ଆଗାମୀପିଢ଼ି ଏ ବିଷୟରେ ଜାଣିବା ନିହାତି ଜରୁରୀ। ସେ ଓଡ଼ିଶାର ବୀର ଆଦିବାସୀଙ୍କ ବଳିଦାନ ଉପରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରଦାନ କରିଥିଲେ। ଏହି ଅବସରରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ମୁଖ୍ୟବକ୍ତା ପ୍ରଫେସର୍ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର୍ ଜଗନ୍ନାଥ କୁଅଁର ସ୍ୱାଗତ ଭାଷଣ ଓ ରାଜେଶ ମହନ୍ତ ଧନ୍ୟବାଦ ଦେଇଥିଲେ। ଆଲୋଚନାଚକ୍ରକୁ ଅଧ୍ୟାପକ ଡ. ଆଶିଷ ମହାପାତ୍ର ପରିଚାଳନା କରିଥିଲେ।