ଚନ୍ଦ୍ରଶେଖପୁର: ଓଡ଼ିଶା ସାହିତ୍ୟ ଏକାଡେମୀ ଓ ‘ରତ୍ନଚିରା’ ମାସିକ ସାହିତ୍ୟ ପତ୍ରିକାର ମିଳିତ ସହଯୋଗରେ ବିଖ୍ୟାତ ସାହିତ୍ୟିକ ସୁରେନ୍ଦ୍ର ମହାନ୍ତିଙ୍କ ୧୦୪ତମ ଜୟନ୍ତୀ ଅବସରରେ ‘ସୁରେନ୍ଦ୍ର ମହାନ୍ତିଙ୍କ କ୍ଷୁଦ୍ରଗଳ୍ପରେ ମନସ୍ତତ୍ତ୍ୱ ଓ ସାମାଜିକ ଦାୟବଦ୍ଧତା’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ରତ୍ନଚିରାର ଉପଦେଷ୍ଟା ତଥା ସଂସ୍କୃତି ବିଭାଗର ପ୍ରାକ୍ତନ ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଆୟୋଜିତ ଉକ୍ତ ସଭାରେ ବିଶିଷ୍ଟ ସାହିତ୍ୟ ସମାଲୋଚକ ବିରଞ୍ଚି କୁମାର ସାହୁ ମୁଖ୍ୟବକ୍ତା ଭାବେ ଯୋଗଦେଇ ସୁରେନ୍ଦ୍ର ମହାନ୍ତି, ଓଡ଼ିଆ କଥାସାହିତ୍ୟ ଜଗତର ଅପ୍ରତିଦ୍ୱନ୍ଦ୍ବୀ ଶିଳ୍ପୀ ଥିଲେ ବୋଲି କହିଥିଲେ। ସମୁଦ୍ରର ଉତ୍ତାଳତା ଏବଂ ଆକାଶର ଦିଗନ୍ତବ୍ୟାପୀ ବିଶାଳତା ଭଳି ଥିଲା ସୁରେନ୍ଦ୍ରଙ୍କ ସାହିତ୍ୟ ଜଗତ। ମୁଖ୍ୟ ଅତିଥିଭାବେ ବିଶିଷ୍ଟ ଅନୁବାଦକ ଜଗନ୍ନାଥ ଦାଶ ଯୋଗଦେଇ କହିଲେ, ସାମ୍ବାଦିକତାଠାରୁ ଆରମ୍ଭ କରି ରାଜନୀତି, ସାହିତ୍ୟ ସବୁଥିରେ ହାତଦେଇ ସେ ସଫଳତାର ଶୀର୍ଷରେ ପହଞ୍ଚିପାରିଥିଲେ।
ସମ୍ମାନିତ ଅତିଥିଭାବେ ସୁରଞ୍ଜନ ଲେଙ୍କା ଓ ସୁଭାଷ ଶତପଥୀ, ଶ୍ରୀ ମହାନ୍ତିଙ୍କ ବିଭିନ୍ନ କାଳଜୟୀ ଗଳ୍ପ ଉପରେ ଆଲୋକପାତ କରିଥିଲେ। ରତ୍ନଚିରାର ସମ୍ପାଦିକା ସ୍ନେହଲତା ପୃଷ୍ଟି ସ୍ୱାଗତ ଭାଷଣ ଓ ଭାଷାବିତ୍ ଦେବାଶିଷ ମହାପାତ୍ର ଧନ୍ୟବାଦ ଦେଇଥିଲେ। ସଭାପୂର୍ବରୁ ଏକ ମନୋଜ୍ଞ କବିତା ପାଠୋତ୍ସବ ଆୟୋଜିତ ହୋଇଥିଲା। ଏଥିରେ କବି ମନୋଜ ପଟ୍ଟନାୟକ, ମନୋଜ ଜେନା, ମନୋରଞ୍ଜନ ଷଡ଼ଙ୍ଗୀ, ଗୋପାଳ ମହାପାତ୍ର, ସୁରେନ୍ଦ୍ର ପାଣିଗ୍ରାହୀ, କାନନବାଳା ପଟ୍ଟନାୟକ, ଉମାକାନ୍ତ ରାଉତ, କମଳିନୀ ମଲ୍ଲିକ, ନିରୁପମା କର, ଶୀସିକ୍ତା ଶୁଭଦର୍ଶିନୀ, ସଂଗ୍ରାମ ମହାରଣା, ସ୍ରୋତସ୍ୱିନୀ ପରିଡ଼ା, ଦେବଯାନୀ ରାୟ, ସୌଦାମିନୀ ବେହେରା, ବେଦପ୍ରକାଶ ନାୟକ, ଶୁଭଶ୍ରୀପ୍ରଭା ସ୍ୱାଇଁ, ରୀତାଞ୍ଜଳି ମହାରଣା, ଶୀତଲ ମିଶ୍ର, ସୁମିତ ପଣ୍ଡା ଏବଂ ସ୍ୱାଗତିକା ମିଶ୍ର ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ। କରୁଣାକର ପୃଷ୍ଟି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।