ଭୁବନେଶ୍ୱର : କଳିଙ୍ଗନଗରସ୍ଥିତ କେ-୪ସ୍ଥିତ ଶତାକ୍ଷୀ ମହିଳା ସଂଗଠନ ପକ୍ଷରୁ ୟୁଥ୍‌-ଫର ସେବା ସହଯୋଗରେ ଉତ୍କଳ ଦିବସ ପାଳିତ ହୋଇଯାଇଛି। ସଂଗଠନ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ବରିଷ୍ଠ ସଦସ୍ୟା ମୀରା ରଥ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍‌ଘାଟନ କରିଥିଲେ। ପରେ ସଂଗଠନର ସଭାପତି ସବିତାରାଣୀ ପୃଷ୍ଟିଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ଏହି ଅବସରରେ ୟୁଥ୍‌ ଫର ସେବାର ସୁବ୍ରତ ପୃଷ୍ଟି ଯୋଗଦେଇ ଓଡ଼ିଶାର ସଂସ୍କୃତି, ଭାଷା ଓ ପକ୍ଷୀ ସୁରକ୍ଷା ସଂପର୍କରେ ଆଲୋଚନା କରିଥିଲେ। ଜଳାଭାବ ଯୋଗୁଁ ଯେପରି ପକ୍ଷୀମାନଙ୍କ ମୃତ୍ୟୁ ନହୁଏ, ସେଥିପ୍ରତି ସଭାରେ ଗୁରୁତ୍ୱ ଦିଆଯାଇଥିଲା। ଖରାଦିନେ ଯେପରି ପକ୍ଷୀମାନଙ୍କ ପାଣି ପିଇବାରେ ସମସ୍ୟା ନ ହେବ, ତାକୁ ଦୃଷ୍ଟିରେ ରଖି କଳିଙ୍ଗ ନଗରର ଥିବା ବିଭିନ୍ନ ଗଛରେ ଜଳପୂର୍ଣ୍ଣ ମାଟିପାତ୍ର ଲଗାଇବା ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା। ସଭାରେ ଅନୁଷ୍ଠାନର ସ୍ନିଗ୍ଧା ମିଶ୍ର, କଳ୍ପଲତା ନାୟକ, ଉର୍ମିଳା ରାଉତ, ଜ୍ୟୋତ୍ସ୍ନା ସିଂ, ବାସନ୍ତୀ ଦାଶ, ଭାଗ୍ୟବତୀ ମଲ୍ଲିକ, ସୋନାଲି ମହାନ୍ତି ପ୍ରମୁଖ ବନ୍ଦେ ଉତ୍କଳ ଜନନୀ ସମେତ ଅନ୍ୟ ଦେଶାତ୍ମାବୋଧ ସଂଗୀତ ଗାନ କରିଥିଲେ। ଅନୁଷ୍ଠାନର ସଂପାଦିକା ମମତା ବିଶ୍ୱାଳ ସ୍ୱରଚିତ କବିତା ଆବୃତ୍ତି କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ।