ଭୁବନେଶ୍ବର: ସାଂସଦ ଅମର ପଟ୍ଟନାୟକଙ୍କ ଲିଖିତ ଇଂରାଜୀ ପୁସ୍ତକ ‘ପାନଡେମିକ୍ ଡିସ୍ରପସନ୍ ଆଣ୍ଡ୍ ଓଡ଼ିଶାସ୍ ଲେସନ୍ସ ଇନ୍ ଗଭର୍ଣ୍ଣାନ୍ସ’କୁ ନେଇ ଏକ ଆଲୋଚନା ହୋଟେଲ୍ ନ୍ୟୁ-ମାରିଅନ୍ରେ ଅନୁଷ୍ଠିତ ହୋଇଯାଇଛି। ଶ୍ରୀ ପଟ୍ଟନାୟକଙ୍କ ସହ ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ସୁବ୍ରତ ବାଗ୍ଚୀ ଯୋଗଦେଇ ପୁସ୍ତକ ସମ୍ପର୍କରେ ଆଲୋଚନା କରିଥିଲେ।
ଶ୍ରୀ ବାଗ୍ଚୀଙ୍କ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ପଟ୍ଟନାୟକ କହିଲେ, କରୋନା ସମୟ ଘଟଣାବଳୀକୁ ନେଇ ସେ ସମୟରେ ଏହି ପୁସ୍ତକକୁ ଲେଖିବା ଆରମ୍ଭ କରିଥିଲି। ସେ ସମୟରେ ଭାରତର ପରିସ୍ଥିତି ସହ ଓଡ଼ିଶା ସରକାର କିଭଳି କରୋନାକୁ ମୁକାବିଲା କରିଥିଲେ, ସେ ସମ୍ପର୍କରେ ପୁସ୍ତକରେ ତଥ୍ୟ ରହିଛି। ୧୯୯୯ ମସିହା ମହାବାତ୍ୟା ପରେ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶା ସବୁ ସମୟରେ ପ୍ରସ୍ତୁତ ରହିଥିଲା। ତେଣୁ କୋଭିଡ୍ ଆସିବା ମାତ୍ରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାର୍ଗଦର୍ଶନରେ ସମସ୍ତ ବର୍ଗଙ୍କ ସହଯୋଗରେ କରୋନା ମୁକାବିଲା ସହଜ ହୋଇପାରିଥିଲା। ବିଶେଷକରି, ଗୋଷ୍ଠୀଗତ ଉଦ୍ୟମ, ସରପଞ୍ଚମାନଙ୍କୁ ଜିଲ୍ଲାପାଳଙ୍କ ପାୱାର, ଉପଯୁକ୍ତ ସଚେତନତା ଓ ସମୟ ଉପଯୋଗୀ ଯୋଜନା ଯୋଗୁଁ ଅସମ୍ଭବ ସମ୍ଭବ ହୋଇପାରିଲା।
ସେହିପରି ଶ୍ରୀ ବାଗଚୀ କରୋନା ସମୟର କଥାକୁ ମନେ ପକାଇ କହିଲେ, ସେତେବେଳେ ଲୋକଙ୍କ ସାମ୍ନାକୁ ଯିବା ପୂର୍ବରୁ ମୁଖ୍ୟମନ୍ତ୍ରୀ କଥା ହୋଇ ପରାମର୍ଶ ଦେଉଥିଲେ। ଘରୋଇ ହିଂସା କିଭଳି ନ ବଢ଼ିବ, ସେଥିପାଇଁ ପଦକ୍ଷେପ ନିଆଯାଉଥିଲା। ପ୍ରତିଦିନ ପୁଲିସ ଡିଜିଙ୍କଠାରୁ ମହିଳା ହିଂସା ସମ୍ପର୍କରେ ତଥ୍ୟ ନିଆଯାଉଥିଲା। ମୁଖ୍ୟମନ୍ତ୍ରୀ ସମ୍ବେଦନଶୀଳ ପ୍ରସଙ୍ଗକୁ କିଭଳି ସହଜରେ ସମାଧାନ କରାଯିବ, ସେଥିପ୍ରତି ମଧ୍ୟ ଗୁରୁତ୍ବ ଦେଉଥିଲେ।
ସୂଚନାଯୋଗ୍ୟ ଗତ ଅକ୍ଟୋବରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଏହି ପୁସ୍ତକ ଉନ୍ମୋଚିତ ହୋଇଥିଲା। ଆଜି ପୁସ୍ତକ ଆଲୋଚନାରେ ଲେଖକ ହରପ୍ରସାଦ ଦାସ, ଡ. ଏପି ଦାଶ, ଚୁମ୍କି ଦତ୍ତା, ଗୁରୁ ଅରୁଣା ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।