କୁଳପତି ଚୟନ ପ୍ରଶ୍ନ ନେଇ ଚର୍ଚ୍ଚାକୁଳପତି ଚୟନ ପ୍ରଶ୍ନ ନେଇ ଚର୍ଚ୍ଚା: ଭଗବାନଙ୍କୁ କ’ଣ ବର ମାଗିବେ?

ଭୁବନେଶ୍ବର : ୫ଦିନ ତଳେ କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର ଗଣେଣୀ ଲାଲ୍ ୬ଟି ବିଶ୍ବବିଦ୍ୟାଳୟର କୁଳପତିଙ୍କୁ ନିଯୁକ୍ତି ଦେଇଛନ୍ତି। ପତ୍ନୀଙ୍କ ବିୟୋଗ ସତ୍ତ୍ବେ କୁଳପତି ନିଯୁକ୍ତି ପ୍ରକ୍ରିୟାରେ କୁଳାଧିପତି ସାମିଲ୍‌ ହୋଇଥିବାରୁ ଏବଂ ସେହି ଦିନ ହିଁ ନିଯୁକ୍ତି ଦେଇଥିବାରୁ ସାରା ଦେଶରେ ଏହି ପ୍ରସଙ୍ଗ ଚର୍ଚ୍ଚାର କାରଣ ହୋଇଥିଲା। ହେଲେ କୁଳପତି ନିଯୁକ୍ତି ପ୍ରକ୍ରିୟା ଏଥର ଯେ ବିଗତବର୍ଷଗୁଡ଼ିକଠାରୁ ସଂପୂର୍ଣ୍ଣ ଭିନ୍ନ ଥିଲା, ତାହା ଏବେ ଜାଣିବାକୁ ମିଳିଛି। କୁଳପତି ପଦବି ପାଇଁ ଆବେଦନ କରିଥିବା ଅଭିଜ୍ଞ ପ୍ରଫେସରମାନେ କୌଣସି ମୌଖିକ ପ୍ରଶ୍ନର ଉତ୍ତର ନଦେଇ ଲିଖିତ ପ୍ରଶ୍ନର ଉତ୍ତର ଦେଇଥି‌େଲ। ଯାହା ଓଡ଼ିଶାରେ କୁଳପତି ନିଯୁକ୍ତି ପ୍ରକ୍ରିୟାରେ ପ୍ରଥମ ଘଟଣା ବୋଲି କୁହାଯାଉଛି। ପୂର୍ବରୁ କୁଳାଧିପତି ପ୍ରାର୍ଥୀମାନଙ୍କୁ ସେମାନେ କୁଳପତି ନିଯୁକ୍ତି ପାଇଲେ କ’ଣ କରିବାକୁ ଯୋଜନା କରିଛନ୍ତି, ଉନ୍ନତିମୂଳକ କାମ ପାଇଁ କ’ଣ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି ଇତ୍ୟାଦି ବିଷୟରେ ପଚାରନ୍ତି।

ହେଲେ ଏଥର କୁଳାଧିପତି ଶେଷ ପର୍ଯ୍ୟାୟକୁ ଉତ୍ତୀର୍ଣ୍ଣ ହୋଇଥିବା ପ୍ରାର୍ଥୀଙ୍କୁ କୌଣସି ପ୍ରଶ୍ନ ପଚାରି ନଥିଲେ। ୪ଟି ପ୍ରଶ୍ନ ଲିଖିତ ଆକାରରେ ଦେଇଥିଲେ। ୪୫ ମିନିଟରେ ଉତ୍ତର ଲେଖିବାକୁ କହିଥିଲେ। ଛାତ୍ରଛାତ୍ରୀଙ୍କ ପରି ବରିଷ୍ଠ ପ୍ରଫେସରମାନେ ବି ଉତ୍ତର ଖାତାରେ ନିଜ ନାମ ଲେଖିବା ପରେ ଉତ୍ତର ଲେଖିଥି‌େଲ। ଏହାପରେ କୁଳାଧିପତି ଖାତା ମୂଲ୍ୟାୟନ କରି ଅପରହ୍‌ଣରେ କୁଳପତି ନିଯୁକ୍ତି ପ୍ରଦାନ କରିଥିଲେ। କୁଳାଧିପତି ଯେଉଁ ଚାରିଟି ପ୍ରଶ୍ନ ପଚାରିଥିଲେ, ସେଥିରୁ ଗୋଟିଏ ପ୍ରଶ୍ନ ସବୁଠୁ ଅଧିକ ଚର୍ଚ୍ଚାରେ। ସେଇଟି ହେଲା ‘ଭଗବାନ ଯଦି ଆପଣଙ୍କ ସମ୍ମୁଖରେ ପ୍ରକଟ ହୁଅନ୍ତି ଏବଂ ଗୋଟିଏ ବର ମାଗିବାକୁ କୁହନ୍ତି ତେବେ କ’ଣ ମାଗିବେ?’ ମିଳିଥିବା ସୂଚନା ଅନୁଯାୟୀ, କୁଳାଧିପତି ଆଉ ତିନିଟି ପ୍ରଶ୍ନ ପଚାରିଥିଲେ। ସେଗୁଡ଼ିକ ହେଲା ‘ବିଶ୍ବ କେଉଁଥିରେ ତିଆରି’?, ‘ବିଶ୍ବ ନିର୍ମାଣରେ ବିଶ୍ବବିଦ୍ୟାଳୟର ଭୂମିକା’, ‘ଆପଣଙ୍କ କାର୍ଯ୍ୟ ଦକ୍ଷତା, କାମ କରିବାର ଶୈଳୀ? କାମ କରିବାର ଭାବନା’।

ପ୍ରାର୍ଥୀମାନେ ଏହିଭଳି ପ୍ରଶ୍ନ ପାଇ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କ’ଣ ଲେଖିବେ, କ’ଣ ଲେଖିଲେ କୁଳାଧିପତିଙ୍କ ମନକୁ ପାଇବ ସେ ଦ୍ବନ୍ଦ୍ବରେ ପଡ଼ି ଯାଇଥିଲେ। ହେଲେ ଶେଷରେ ଯେଉଁ ପ୍ରାର୍ଥୀଙ୍କ ଉତ୍ତର କୁଳାଧିପତିଙ୍କ ମନକୁ ପାଇଥିଲା, ସେ କୁଳପତି ଭାବେ ନିଯୁକ୍ତି ପାଇଥିଲେ। କନକ ନ୍ୟୁଜ୍‌କୁ ତିନିଟି ବିଶ୍ବବିଦ୍ୟାଳୟର କୁଳପତି ସେଦିନର ଅନୁଭୂତି ବିଷୟରେ କହିଛନ୍ତି। ଖଲ୍ଲିକୋଟ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଫୁଲ୍ଲ ମହାନ୍ତି କହିଛନ୍ତି ଯେ ମୁଁ ସବୁ ପ୍ରଶ୍ନର ଉତ୍ତର ଦେଇଥିଲି। ମୁଁ ଲେଖିଥିଲି ଯେ ଭଗବାନଙ୍କୁ ପ୍ରାର୍ଥନା କରିବି ସ୍ବଳ୍ପ ସମୟ ଭିତରେ ସମାଜର ସେବା କରିବାକୁ ଶକ୍ତି ଦିଅନ୍ତୁ। ସେହିପରି ରମାଦେବୀ ବିଶ୍ବବିଦ୍ୟାଳୟର କୁଳପତି ଅପରାଜିତା ଚୌଧୁରୀ କହିଛନ୍ତି ଯେ ପ୍ରତିଟି ପ୍ରଶ୍ନକୁ ମୁଁ ଉପଭୋଗ କରିଥିଲି। ପ୍ରଶ୍ନଗୁଡ଼ିକ ବୁଝିବା ପାଇଁ ମୋତେ ଟିକେ ସମୟ ଲାଗିଥିଲା। ୪ଟି ପ୍ରଶ୍ନ ରହିଥିଲା, ପ୍ରଶ୍ନଗୁଡ଼ିକର ପରିସର ବ୍ୟାପକ ଓ ଦାର୍ଶନିକ ରହିଥିଲା। ପ୍ରଶ୍ନ ଦେଖିବା ପରେ ବହୁତଗୁଡ଼ିଏ ଚିନ୍ତା ମନକୁ ଆସିଲା, ହେଲେ ସୀମିତ ସମୟରେ ଲେଖିହେଲା ନାହିଁ। ଯେତିକି ମନେ ପଡ଼ିଲା, ସେତିକି ଭଲ ଭାବେ ଲେଖିବାକୁ ଉଦ୍ୟମ କରିଥିଲି। ଜିଏମ୍‌ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଏନ୍‌. ନାଗାରାଜୁ କହିଛନ୍ତି ଯେ ଯେଉଁଦିନ କୁଳାଧିପତିଙ୍କ ବ୍ୟକ୍ତିଗତ ଭାବେ ବଡ଼ କ୍ଷତି ହୋଇଥିଲା, ସେହିଦିନ ଆମକୁ ସାକ୍ଷାତକାର ପାଇଁ ଡାକିବା ହିଁ ବଡ କଥା । ମୁଁ ଦୂରରୁ ଆସିଥିଲି, ଡେରିରେ ପହଞ୍ଚିଥିଲି। ଏତେ ବଡ ବ୍ୟକ୍ତିଗତ କ୍ଷତି ପରେ ବି ବିଶ୍ୱବିଦ୍ୟାଳୟ କୁଳପତି ଚୟନ ପାଇଁ ପରୀକ୍ଷା କରି କୁଳାଧିପତି କର୍ତବ୍ୟ ପାଳନ କରିଥିଲେ।

ସମ୍ବନ୍ଧିତ ଖବର