ମେୟରଙ୍କ ସହ ଗଣେଶ ମାର୍କେଟ୍‌ ବ୍ୟବସାୟୀ ସଂଘର ଆଲୋଚନା

ଖୁବ୍‌ଶୀଘ୍ର ସ୍ଥାୟୀ ସମାଧାନ: ମେୟର

ଭୁବନେଶ୍ୱର: ଝାରପଡ଼ା ଗଣେଶ ମାର୍କେଟ୍‌ ଉଚ୍ଛେଦ ହେବା ପରେ ବ୍ୟବସାୟୀଙ୍କ ମଧ୍ୟରେ ଅସନ୍ତୋଷ ଥମିବା ନାଁ ଧରୁନି। ସମସ୍ୟାର ସମାଧାନ ପାଇଁ ନିକଟ ଅତୀତରେ ସେମାନେ ବିଡିଏ ଅଧିକାରୀମାନଙ୍କ ସହ ଆଲୋଚନା କରିଥିବା ବେଳ‌େ ଆଜି ବିଏମ୍‌ସି ମେୟର ସୁଲୋଚନା ଦାସଙ୍କୁ ଭେଟିଥିଲେ। ବିଏମ୍‌ସି ସଭାଗୃହରେ ବସିଥିବା ବୈଠକରେ ବ୍ୟବସାୟୀମାନେ କ୍ଷତିପୂରଣ ଦାବି କରିବା ସହ ଅସ୍ଥାୟୀ ଭାବରେ ବସି ବ୍ୟବସାୟ କରିବା ପାଇଁ ଜାଗା ଦେବାକୁ ଅନୁରୋଧ କରିଥିଲେ। ଖୁବ୍‌ଶୀଘ୍ର ସେମାନଙ୍କ ସମସ୍ୟାର ସ୍ଥାୟୀ ସମାଧାନ ହେବ ବୋଲି ମେୟର ପ୍ରତିଶ୍ରୁତି ଦେଇଛନ୍ତି।

ମେୟରଙ୍କ କହିବା କଥା ହେଲା, କ୍ଷୟକ୍ଷତି ଭରଣା ଓ ଅସ୍ଥାୟୀ ସ୍ଥାନ ଏହାର ସମାଧାନ ନୁହେଁ। ବରଂ ନିୟମ ଅନୁସାରେ ଯୋଗ୍ୟ ବ୍ୟବସାୟୀମାନଙ୍କୁ ସ୍ଥାୟୀ ଦୋକାନ ଘର ଯୋଗାଇଦେଲେ ସେମାନେ ଅଧିକ ଉପକୃତ ହେବେ। କାରଣ ସରକାରଙ୍କର ନିୟମ ଅନୁସାରେ ସହାୟତା ଗୋଟିଏ ଥର ମିଳିଥାଏ। ଏଣୁ ଏହି ଅସ୍ଥାୟୀ ସହାୟତା ନେଇଗଲେ ଆଉ ସ୍ଥାୟୀ ସହାୟତା ପାଇଁ ସୁଯୋଗ ରହିବନି। ସ୍ଥାୟୀ ସମାଧାନ ପାଇଁ ପ୍ରକ୍ରିୟା ଚାଲିଛି। ରାଜ୍ୟ ସରକାରଙ୍କ ସହ ବିଏମ୍‌ସି ଏହି ଯୋଜନା କରୁଛି। କେଉଁ ସ୍ଥାନରେ ଏହି ପ୍ରକଳ୍ପ କରାଯିବ ସେ ନେଇ ଆଲୋଚନା ମଧ୍ୟ ଜାରି ରହିଛି ବୋଲି ମେୟର ଶ୍ରୀମତୀ ଦାସ କହିଥିଲେ। ବୈଠକରେ ୱାର୍ଡ ନଂ-୩୩ ର କର୍ପୋରେଟର ଧରିତ୍ରୀ ଜେନା ଓ ୱାର୍ଡ ନଂ-୪୫ ର କର୍ପୋରେଟର ଅମରେଶ ଜେନା ଉପସ୍ଥିତ ଥିଲେ।

ବ୍ୟବସାୟୀ ସଂଘର ଦାବି ମୁତାବକ, ଉକ୍ତ ବଜାରରେ ୪୨୭ ଜଣ ବ୍ୟବସାୟୀ ରହିଥିଲେ। ସମସ୍ତଙ୍କୁ ଅସ୍ଥାୟୀ ଭାବ‌ରେ ବସିବା ପାଇଁ ଜାଗା ଦେବା ସହ ପରବର୍ତ୍ତୀ ସମୟରେ ସ୍ଥାୟୀ ବ୍ୟବସ୍ଥା ବିଏମ୍‌ସି କରୁ। ବିଡିଏ ସୂଚନା ନ ଦେଇ ଭାଙ୍ଗି ଦେଇଥିବାରୁ ହଜାର ହଜାର ଟଙ୍କାର ସାମଗ୍ରୀ ନଷ୍ଟ ହୋଇଯାଇଛି। ଏଥିପାଇଁ କ୍ଷତିଭରଣା କରୁ। କର୍ପୋରେଟର ଅମରେଶ ଜେନାଙ୍କ କହିଛନ୍ତି ବ୍ୟବସାୟୀମାନେ ବ୍ୟାପକ କ୍ଷତି ସହିଛନ୍ତି। ସମସ୍ତ ବ୍ୟବସାୟୀ ଏବେ ବାରଦୁଆର ହେଉଛନ୍ତି। ସମସ୍ତ ୪୨୭ ବ୍ୟବସାୟୀଙ୍କୁ ସୁବିଧା ମିଳିବା ଉଚିତ୍‌ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର