ପୁରୁଣା ଭୁବନେଶ୍ୱର: ଗ୍ୟାରେଜ୍‌ ଛକ ନିକଟ ନନ୍ଦକିଶୋରନଗରରେ ଥିବା ଐତିହାସିକ କଣ୍ଡରା ପୁଷ୍କରିଣୀର ସଫେଇ ପାଇଁ ଅଦାଲତଙ୍କ ନିର୍ଦ୍ଦେଶକୁ ୫ବର୍ଷ ବିତିଲା। କିନ୍ତୁ ଅଦାଲତଙ୍କ ନିର୍ଦ୍ଦେଶ ପାଳନ କରିବାରେ ବିଏମ୍‌ସି ଏଯାବତ୍‌ କୌଣସି ପଦକ୍ଷେପ ନେଇନାହିଁ। ଏହାର ପ୍ରତିବାଦରେ ସ୍ଥାନୀୟ ଲୋକ ବିଏମ୍‌ସି ଅଫିସ୍‌ ଆଗରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣା ଦେଇଛନ୍ତି।

Advertisment

ମିଳିଥିବା ସୂଚନାନୁସାରେ, ନନ୍ଦକିଶୋରନଗରସ୍ଥିତ ଐତିହାସିକ ନନ୍ଦକୁଣ୍ଡ ପୁଷ୍କରିଣୀ (କଣ୍ଡରା ପୋଖରୀ)କୁ ଜମି ମାଫିଆମାନେ କବ୍‌ଜା କରିବାକୁ ଚକ୍ରାନ୍ତ ଚଳାଇଥିବା ବେଳେ ଏକାମ୍ର ଜନଜାଗରଣ ମଞ୍ଚ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା କରିଥିଲା। ୨୦୧୮ରେ ହାଇକୋର୍ଟ‌ରେ ଏହି ମାମଲା ଦାୟର୍‌ କରାଯାଇଥିଲା। ସେହିବର୍ଷ ହାଇକୋର୍ଟ ଏହାର ଶୁଣାଣି କରି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)କୁ ଏହି ପୋଖରୀର ପୁନରୁଦ୍ଧାର ଓ ସଂରକ୍ଷଣ ନିମନ୍ତେ ଜରୁରୀକାଳୀନ ଭିତ୍ତିରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ।

କିନ୍ତୁ ଅଦାଲତଙ୍କ ନିର୍ଦ୍ଦେଶକୁ ବିଏମ୍‌ସି ବେଖାତିର କରିଚାଲିଛି। ଫଳରେ ଉକ୍ତ ପୋଖରୀଟି ଏବେ ସ୍ଥାନୀୟ ଲୋକଙ୍କ ପାଇଁ ବିଭିନ୍ନ ସମସ୍ୟାର କାରଣ ପାଲଟିଛି। ପୁନରୁଦ୍ଧାର ଓ ରକ୍ଷଣାବେକ୍ଷଣ ଅଭାବରୁ ପୋଖରୀଟି ଏବେ ମଶାଙ୍କ ଓ ବିଭିନ୍ନ ସରୀସୃପଙ୍କ ଏନ୍ତୁଡ଼ିଶାଳ ପାଲଟିଛି। ଆଖାପାଖ ଅଞ୍ଚଳରେ ମଶାଙ୍କ ପ୍ରାଦୁର୍ଭାବ ଏତେ ବଢ଼ି ଯାଇଛି ଯେ ସଂଧ୍ୟା ହେଲେ ଲୋକ କବାଟ ବନ୍ଦ କରିଦେଉଛନ୍ତି। ତେଣୁ ଏହାର ପ୍ରତିବାଦରେ ମଞ୍ଚର ସଭାପତି ଭୀଷ୍ମ ନାରାୟଣ ନାୟକଙ୍କ ନେତୃତ୍ୱରେ ବିଏମ୍‌ସି ଅଫିସ୍‌ ଆଗରେ ଏହି ଧାରଣା ଦିଆଯାଇଛି।