ଭୁବନେଶ୍ବର: ଖୋଲିବା ଦିନଠାରୁ ବହୁତଳ କାର୍‌ ପାର୍କିଂକୁ ବିବାଦ ପିଛା ଛାଡ଼ୁନି। ପ୍ରଥମେ ଖୋଲିବାରେ ଅହେତୁକ ବିଳମ୍ବ ଓ ପରେ ତିନିଗୁଣ ଚଢ଼ା ଦରରେ ପାର୍କିଂ ଫି’କୁ ନେଇ ବିବାଦ ହୋଇଥିବା ବେଳେ ଏବେ ନୂଆ ଅଡ଼ୁଆରେ ଏହି ବ୍ୟବସ୍ଥା ଛନ୍ଦି ହୋଇଛି। ଏହାକୁ ପରିଚାଳନା କରିବାକୁ ଠିକା ନେଇଥିବା ସଂସ୍ଥା ଦୁଇ ମାସ ହେବ ଦେୟ ଦାଖଲ କରୁନାହିଁ। ବେପାର ହେଉ ନଥିବାରୁ ଟଙ୍କା ଦେୟ ଜମାକରାଯାଇପାରୁ ନାହିଁ ବୋଲି ଦର୍ଶାଇ ଉଭୟ ସଂସ୍ଥା ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍‌(ବିଏସ୍‌ସିଏଲ୍‌)କୁ ଚିଠି ଲେଖିଛି। ବିଏସ୍‌ସିଏଲ୍‌ ମଧ୍ୟ ସଂସ୍ଥାଙ୍କୁ ସମୟ ଦେଇଛି। ଉଭୟ ସଂସ୍ଥାଙ୍କୁ ମାସକୁ ପ୍ରାୟ ୧୫ ଲକ୍ଷ ଟଙ୍କା ଦେବାକୁ ରହିଛି। କେଉଁ ପରିସ୍ଥିତିରେ ଘରୋଇ ସଂସ୍ଥା ଚୁକ୍ତିରେ ଖିଲାପ କରିଛି? କାହା ସ୍ବାର୍ଥରେ ବିଏସ୍‌ସିଏଲ୍‌ ଏତେ ଗୁଡ଼ାଏ ଟଙ୍କା ଛାଡ଼ି ଦେଇ ବସିଛି? ମୋଟ ଅଙ୍କର ହାତଗୁଞ୍ଜା ନେଇ ବିଏସ୍‌ସିଏଲ୍‌ର ବରି‌ଷ୍ଠ ଅଧିକାରୀମାନେ ଠିକା ସଂସ୍ଥା ପ୍ରତି ଅନୁକମ୍ପା ଦେଖାଇଥିବା ଅଭିଯୋଗ ହୋଇଛି।

Advertisment

ତେବେ ଲକ୍ଷ ଲକ୍ଷ ଟଙ୍କା କେବଳ ବାକି ପଡ଼ିବା ପ୍ରସଙ୍ଗ ନୁହେଁ ବରଂ ଏହି ପାର୍କିଂ ସ୍ଥଳରେ ଲୁଟ୍‌ ଚାଲିଥିବା ଅଭିଯୋଗ ହୋଇଛି। ପୂର୍ବରୁ ପାର୍କିଂ ଦେୟ ତିନିଗୁଣରୁ ଅଧିକା ଧାର୍ଯ୍ୟ କରିବାରୁ ବିବାଦ ହୋଇଥିଲା। ଏ ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଧାର୍ଯ୍ୟ ହୋଇଥିବା ଦେୟ (ଘଣ୍ଟାକୁ ୨୦ ଟଙ୍କା)କୁ ବିଏସ୍‌ସିଏଲ୍‌ ଘଣ୍ଟାକୁ ୧୦ ଟଙ୍କାକୁ କମାଇଥିବା କହିଥିଲା। କିନ୍ତୁ ଠିକା ସଂସ୍ଥା ୨୦ ଟଙ୍କା ନେଇ ଏବେ ବି ୧୦ ଟଙ୍କାର ରସିଦ୍‌ ଦେଉଛି। ଏ ନେଇ ବିଏସ୍‌ସିଏଲ୍‌କୁ ବାରମ୍ବାର ଅଭିଯୋଗ ହୋଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ଏବେ ୧୫ ଲକ୍ଷ ବାକି ପଡ଼ିଥିଲେ ମଧ୍ୟ ବିଏସ୍‌ସିଏଲ୍‌ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବାରୁ ଅଧିକାରୀମାନେ ବିବାଦକୁ ଆସିଛନ୍ତି।

ଅନ୍ୟପଟେ ବିଏସ୍‌ସିଏଲ୍‌ ଏମ୍‌ଡି ସ୍ମାର୍ଟ ସିଟି ପ୍ରକଳ୍ପରେ ମୁଣ୍ଡ ପୁରାଉନଥିବା ଅଭିଯୋଗ ହୋଇଛି। ଗତ ନଭେମ୍ବର ମାସରୁ କୌଣସି ପ୍ରକଳ୍ପର ସମୀକ୍ଷା ହୋଇ ନାହିଁ। ଜଣେ ମ୍ୟାନେଜରଙ୍କ ହାତରେ ଛାଡ଼ି ଦେଇଛନ୍ତି। ପୂର୍ବରୁ ପ୍ରତ୍ୟେକ ମାସରେ ପ୍ରତିଟି ପ୍ରକଳ୍ପର ନିୟମିତ ସମୀକ୍ଷା ହେଉଥିବାରୁ କେଉଁଠି କଣ ସମସ୍ୟା ରହିଛି? କେଉଁ ସମସ୍ୟା ପାଇଁ କେଉଁ ପ୍ରକଳ୍ପ ଅଟକି ରହିଛି? ଏ ସବୁ ପ୍ରସଙ୍ଗ ଆଲୋଚନା ହେବା ସହ ସମାଧାନର ବାଟ ବାହାରୁଥିଲା। କିନ୍ତୁ ଏବେ ସମୀକ୍ଷା ହେଉନାହିଁ। ଏଣେ ମହାପ୍ରବନ୍ଧକ ନୂଆ କରି କାର୍ଯ୍ୟରେ ଯୋଗ ଦେଇଥିବାରୁ ସେ ମଧ୍ୟ କିଛି ଜାଣୁନାହାନ୍ତି। ଏଣୁ ଏକ ବିଚିତ୍ର ପରିସ୍ଥିତି ସୃଷ୍ଟି ହୋଇଛି।
ଏହି ବହୁତଳ ପାର୍କିଂ କାର୍ଯ୍ୟକ୍ଷମ ହେବା ପରେ ବିଏସ୍‌ସିଏଲ୍‌ ସ୍ବତନ୍ତ୍ର ସ୍କ୍ବାଡ୍‌ ଜରିଆରେ ଏହି ପ୍ରକଳ୍ପ ଚାରି ପାଖରେ ଉଚ୍ଛେଦ ଜାରି ରଖିଛି। ରାସ୍ତା କଡ଼ରେ ଯେଉଁଠି ପାର୍କିଂ ହେଉଛି ସେଠାରୁ ଗାଡ଼ିଗୁଡ଼ିକୁ କ୍ରେନ୍‌ ସାହାଯ୍ୟରେ ଉଠାଇ ନିଆଯାଉଛି। ଜବତ ଗାଡ଼ି ଆଣିଲା ବେଳେ ମାଲିକ ମୋଟା ଅଙ୍କର ଜରିମାନା ମଧ୍ୟ ଦେଉଛି। କେବଳ ଏହି ପାର୍କିଂରେ ସବୁ ଗାଡ଼ି ରହିବା ଓ ଭଲ ବେପାର ହେବା ଉଦ୍ଦେଶ୍ୟରେ ବିଏସ୍‌ସିଏଲ୍‌ ଏହି କାର୍ଯ୍ୟ କରୁଛି। କିନ୍ତୁ ଏଣେ ବେପାର ହେଉ ନାହିଁ କହି ଠିକା ସଂସ୍ଥା ପଇସା ଦେଉନଥିଲେ ମଧ୍ୟ କର୍ତ୍ତୃପକ୍ଷ ନିରବ ରହିଛନ୍ତି।

ଏ ନେଇ ଆମେ ବିଏସ୍‌ସିଏଲ୍‌ ମହାପ୍ରବନ୍ଧକ ସୁବ୍ରତ ବେହେରାଙ୍କ ସହ ଯୋଗାଯୋଗ କରିଥିଲୁ। ସେ କହିଛନ୍ତି, ପାର୍କିଂ ଫି ୨୦ ଟଙ୍କା ନେଲେ ମଧ୍ୟ ୧୦ ଟଙ୍କାର ରସିଦ୍‌ ଦେବା ନେଇ ଅଭିଯୋଗ ଆସିଛି। ଏହା ଉପରେ ଆମେ ତଦନ୍ତ କରୁଛୁ। ଟେଣ୍ଡର ଚୁକ୍ତି ମୁତାବକ ଉଭୟ ସଂସ୍ଥା ଦେୟ ବାକି ରଖିଛନ୍ତି। ସେମାନଙ୍କୁ ନୋଟିସ୍‌ କରାଯାଇଛି। ଖୁବ୍‌ଶୀଘ୍ର ସେମାନେ ଟଙ୍କା ଦାଖଲ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଦାଖଲ ନ କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ।

ସୂଚନାଯୋଗ୍ୟ, ଧାର୍ଯ୍ୟ ସମୟର ଦୁଇବର୍ଷ ବିଳମ୍ବରେ ସହିଦନଗର ଓ ରାଜମହଲ(ୟୁନିଟ୍‌-୨)ରେ ଏହି ଦୁଇ ପାର୍କିଂ ସ୍ଥଳ କାର୍ଯ୍ୟକ୍ଷମ ହୋଇଥିଲା। ରାଜମହଲ ଏମ୍‌ଏଲ୍‌ସିପିକୁ ବର୍ଷକୁ ୧ କୋଟି ୧୨ ଲକ୍ଷ ଟଙ୍କାରେ ଏସ୍‌ଏନ୍‌ ଏଣ୍ଟରପ୍ରାଇଜର୍ସ ସଂସ୍ଥା ନିଲାମ ନେଇଥିବା ବେଳେ ବର୍ଷକୁ ୭୬ ଲକ୍ଷ ଟଙ୍କାରେ ସହିଦନଗର ପ୍ରକଳ୍ପକୁ ମଲ୍ଟିପ୍ଲେକ୍ସ ନାମକ ସଂସ୍ଥା ଠିକା ନେଇଛନ୍ତି। ଉଭୟ ସଂସ୍ଥାକୁ ପ୍ରତି ମାସରେ ପ୍ରାୟ ୧୫ ଲକ୍ଷ ଟଙ୍କା ଜମା କରିବାକୁ ରହିଛି।