ଏନ୍‌ସିପିସିଆର୍‌ ନିୟମ ମାନୁନାହାନ୍ତି: ଭୁବନେଶ୍ବରର ୧୦ ସ୍କୁଲ୍‌କୁ କାରଣ ଦର୍ଶାଅ

ଭୁବନେଶ୍ବର: ଜାତୀୟ ଶିଶୁ ଅଧିକାର ଆୟୋଗ (ଏନ୍‌ସିପିସିଆର୍‌) ନିୟମ ମାନୁନାହାନ୍ତି ବେସରକାରୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟ କର୍ତ୍ତୃପକ୍ଷ। ଏହାକୁ ନେଇ ଓଡ଼ିଶା ଅଭିଭାବକ ମହାସଂଘ ଆପତ୍ତି ଉଠାଇବା ପରେ ଶିକ୍ଷା ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ନିୟମ ଖିଲାପ କରୁଥିବା ଭୁବନେଶ୍ବର ୧୦ଟି ବିଦ୍ୟାଳୟକୁ ଭୁବନେଶ୍ବର ବ୍ଲକ୍‌ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଛି। ଉକ୍ତ ସ୍କୁଲ୍‌ଗୁଡ଼ିକ ହେଲା, ୟୁନିଟ୍‌-୨ସ୍ଥିତ ସେଣ୍ଟ ଯୋଶେଫ୍‌ ହାୟର୍‌ ସେକେଣ୍ଡାରି ସ୍କୁଲ୍‌, ବଡ଼ଗଡ଼ସ୍ଥିତ ବିଜେଇଏମ୍‌ ସ୍କୁଲ୍‌, ଡୁମୁଡୁମା ଗାଇଡାନ୍ସ ଇଂରାଜୀ ମାଧ୍ୟମ ସ୍କୁଲ, ପୋଖରୀପୁଟ୍‌ ଡିଏଭି, ଖଣ୍ଡଗିରି ସେଣ୍ଟ୍‌ ଜାଭିୟର୍‌ ହାଇସ୍କୁଲ୍‌, ଖାରବେଳନଗରସ୍ଥିତ ଗୁରୁ ନାନକ ପବ୍ଲିକ୍‌ ସ୍କୁଲ୍‌, ବାସୁଆଘାଇ ଡି.ଏମ୍‌ ପବ୍ଲିକ୍‌ ସ୍କୁଲ୍‌, ୟୁନିଟ୍‌-୧ ମଦର୍ସ ପବ୍ଲିକ୍‌ ସ୍କୁଲ୍‌, ଚନ୍ଦ୍ରଶେଖରପୁର ଭେଙ୍କଟେଶ୍ବର ଇଂରାଜୀ ମାଧ୍ୟମ ସ୍କୁଲ୍‌ ଓ କେଦାରଗୌରୀ ସେଣ୍ଟ୍‌ ଜାଭିୟର୍‌ ହାଇସ୍କୁଲ୍‌। ଆସନ୍ତା ୫ ତାରିଖ ସୁଦ୍ଧା ଖୋର୍ଦ୍ଧା ଜିଲ୍ଲା ଶିକ୍ଷାଧିକାରୀଙ୍କୁ କାରଣ ଦର୍ଶାଇବା ପାଇଁ ସ୍କୁଲ୍‌ଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ଏହାବ୍ୟତୀତ ନିୟମ ଖିଲାପକାରୀ ଅନ୍ୟ ସ୍କୁଲ୍‌ଗୁଡ଼ିକୁ ମଧ୍ୟ ଖୁବ୍‌ଶୀଘ୍ର ନୋଟିସ୍‌ କରାଯିବା ନେଇ ପ୍ରସ୍ତୁତି ଚାଲିଥିବା ସୂଚନା ମିଳିଛି।

ସୂଚନା ମୁତାବକ, ଇଂରାଜୀ ମାଧ୍ୟମ ବିଦ୍ୟାଳୟଗୁଡ଼ିକ ଏନ୍‌ସିପିସିଆର୍‌ ନିୟମ ଉଲ୍ଲଙ୍ଘନ କରୁଥିବା ନେଇ ଓଡ଼ିଶା ଅଭିଭାବକ ମହାସଂଘ ପକ୍ଷରୁ ଅଭିଯୋଗ କରାଯାଇଥିଲା। ସଂଘର ଆବାହକ ପ୍ରଦୀପ୍ତ ମିଶ୍ର ଗତ ଏପ୍ରିଲ୍‌ ୪ତାରିଖରେ ଭୁବନେଶ୍ବର ବ୍ଲକ୍‌ ଶିକ୍ଷାଧିକାରୀଙ୍କୁ ଏନେଇ ଲିଖିତ ଅଭିଯୋଗ କରିଥିଲେ। ପରେ ଭୁବନେଶ୍ବର ବ୍ଲକ୍‌ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସତ୍ୟାସତ୍ୟ ଅନୁଧ୍ୟାନ କରିବା ଓ ପ୍ରମାଣ ମିଳିବା ପରେ ୧୦ଟି ସ୍କୁଲ୍‌କୁ ନୋଟିସ୍‌ ଦିଆଯାଇଛି।

ମୁଖ୍ୟତଃ ଜାତୀୟ ଶିଶୁ ଅଧିକାର ଆୟୋଗ (ଏନ୍‌ସିପିସିଆର୍‌), ଶିକ୍ଷା ଅଧିକାର ଆଇନ୍‌-୨୦୦୯ର ଉଲ୍ଲଙ୍ଘନ, ଏନ୍‌ସିଇଆର୍‌ଟି ବହି ପଢ଼ା ନଯାଇ ଘରୋଇ ପବ୍ଲିକେସନ୍‌ ଦ୍ବାରା ପ୍ରକାଶିତ ବହି ପଢ଼ାଯିବା, ସ୍କୁଲ୍‌ ପରିସରରେ ବହି ବିକ୍ରି କରିବା ଭଳି ସଙ୍ଗିନ୍‌ ଅଭିଯୋଗ ବିଦ୍ୟାଳୟଗୁଡ଼ିକ ନାମରେ ଆସିଛି। ଏନେଇ ଓଡ଼ିଶା ଅଭିବାକ ମହାସଂଘର ଅଧ୍ୟକ୍ଷ ବାସୁଦେବ ଭଟ୍ଟ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଓଡ଼ିଶାରେ ୪୨୬୪ ବେସରକାରୀ ଇଂରାଜୀ ଓ ଓଡ଼ିଆ ମାଧ୍ୟମ ସ୍କୁଲ୍‌ ରହିଛି। କେବଳ ଭୁବନେଶ୍ବର‌ରେ ୩୭୫ ବେସରକାରୀ ଇଂରାଜୀ ମାଧ୍ୟମ ସ୍କୁଲ ରହିଛି। ହେଲେ ୯୯ ପ୍ରତିଶତ ସ୍କୁଲ୍‌ ଏନ୍‌ସିପିସିଆର୍‌ ନିୟମର ଉଲ୍ଲଙ୍ଘନ କରୁଛନ୍ତି। ବାରମ୍ବାର ଅଭିଯୋଗ ପରେ ମଧ୍ୟ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ଫଳରେ ଛାତ୍ରଛାତ୍ରୀ ସ୍କୁଲ୍‌ ଦ୍ବାରା ମାତ୍ରାଧିକ ଆର୍ଥିକ ଶୋଷଣର ଶିକାର ହେଉଛନ୍ତି। ନିୟମ ଅନୁସାରେ, ଇଂରାଜୀ ମାଧ୍ୟମ ସ୍କୁଲ୍‌ରେ ଏନ୍‌ସିଇଆର୍‌ଟି ବହି ପଢ଼ାଯିବା କଥା। ଏହା ଗୋଟେ ବର୍ଷ ପାଇଁ ୭୦୦ରୁ ୧୦୦୦ ଟଙ୍କା ଭିତରେ ଆସିଥାଏ। କିନ୍ତୁ ସ୍କୁଲ୍‌ଗୁଡ଼ିକ ଏନ୍‌ସିଇଆର୍‌ଟି ଦ୍ବାରା ଅନୁମୋଦନ ହୋଇନଥିବା ଘରୋଇ ପବ୍ଲିକେସନ୍‌ର ବହି ପଢ଼ାଉଛନ୍ତି।

ସମ୍ବନ୍ଧିତ ଖବର